*ସମ୍ଭାବନା* ସମ୍ଭାବନା ର ତରଙ୍ଗ ରେ ଭାସି ଆସି ଯେବେ କୁଳରେ ଲାଗିଲି, ଆଶଙ୍କାରେ ଦଗ୍ଧ ବାଲୁକାରେ ଧୀରେ ଧୀରେ ଧସି ହୋଇଗଲି, ଆଶାର ବିଶ୍ବାସ,ସମ୍ଭାବନା ର ନିଃଶ୍ବାସ ଭିତରେ ଅହରହ ଜଳୁଥିବା ନିଆଁ ଝୁଲଟିଏ ସତେ ମୁଁ, ଅସଜଡା ଅନ୍ଧାରକୁ ଟାହିଆ କରି ଘୁରି ବୁଲୁଛି, ଭୟ,ଚିନ୍ତା,ଦୁଃସ୍ବପ୍ନ କୁ ଜୀବନରେ ସନ୍ଧି କରି ଆଗକୁ ଆଗେଇ ଚାଲିଛି, ଶହେ ଆଠ ନଡ଼ିଆ,ପୂଜା,ଯପ,ତପ ଆଉ ବୋଲି ମାନୁ ନାହାନ୍ତି, ପବନର ଅଣଚାଶ ପାଦଶଦ୍ଦ ଶୁଭୁଚି ମୋ ଶିଥିଳ ଜୀବନର ଜଉଘରେ, ଯେତେ ପ୍ରୀତି,ଅନୁରାଗ, କାମନା ଖୋଜୁଛନ୍ତି ନିର୍ବାଣ, ଦୁର୍ଦ୍ଦିନର ଦିନ ପଶି ଆସିଛି ଲେଉଟାଣି ହୋଇ, ଅନିଶ୍ଚିତ ଭବିଷ୍ୟତ ନେଇ ଆଦିଗନ୍ତ ମରୁଭୂମି ଅତିକ୍ରାନ୍ତ କରିବାକୁ ହବ, ଦୁଃଖର ବଜ୍ରାଘାତରେ ସମୟକୁ ଆହୁରି ସମୟ ଦେବାକୁ ପଡ଼ିବ, ତଥାପି ମନରେ ଆଶ୍ଵାସନା ମଝିରେ ମଝିରେ ଝରକା ଫାଙ୍କରୁ ଉଙ୍କି ମାରୁଛି, କିଏ ଗୋଟେ କାନ ପାଖରେ ଅହ ରହ କହୁଛି କଳାହାଣ୍ଡିଆ ମେଘ ଓହରି ଯିବ ସେଇ ଅଣଚାଶ ପବନରେ ଝୁଲି ଝୁଲି, ଆକାଶ ତୋର ନିର୍ମଳ ହୋଇଯିବ, ପ୍ରଜାପତି ର ଛାଇରେ ଫୁଲ ପୁଣି କଅଁଳିବ, ଭାଗ୍ୟର ସ୍ବୀକୃତ ବୀଜ ଅଙ୍କୁରଦଗୋମ ହବ ଇନ୍ଦ୍ରଧନୁ ର ସପ୍ତରଙ୍ଗ ନେଇ, ସଫଳତା ର ମୁଣ୍ଡ ଆଲିଙ୍ଗନ କରି ବାଟ କଢେଇବ ସୂର୍ଯ୍ୟାସ୍ତ ରୁ ସୂର୍ଯ୍ୟୋଦୟ ଯାଏଁ, ଖାଲି ଟିକେ ଧୈର୍ଯ୍ୟ ଧର।