ବୟସର ଛାପ ସମୟର ସ୍ରୋତେ ଭାସିଯାଏ ଆୟୁ ବଦଳେ ଦେହର ରୂପ, ଅକୁହା କଥାକୁ ସାଇତି ରଖିଛି ଏହି ବୟସର ଛାପ । କେତେ ଯେ ଖରା ଓ କେତେ ଯେ ବରଷା, ବିତିଗଲା କେତେ ଋତୁ, କୁଞ୍ଚିତ ଚର୍ମରେ ଲେଖା ହୋଇଅଛି ଜୀବନର ସବୁ ସେତୁ । ଆଖି କୋଣେ ଆଜି କଳା ଗାର କହେ, ଅନିଦ୍ରା ରାତିର ଗପ, ସପନର ଚିତା ଜଳି ଯାଇଅଛି ବାକି ଅଛି ଶେଷ ଧୂପ । ଧଳା କେଶ ସବୁ ପାଚିଲା ଧାନର ସୁନେଲି କେଣ୍ଡାଟି ପରି, ଅନୁଭୂତିର ସେ ଭାରାକ୍ରାନ୍ତ ବୋଝ ଚାଲିଛି ମୁଣ୍ଡରେ ଧରି । ହାତର ଶିରା ପ୍ରଶିରା ଗୁଡ଼ିକ ମାନଚିତ୍ର ସମ ଦିଶେ, ହସ ଓ ଲୁହର ସେଇ ପୁରୁଣା ଦିନ ମନ ଆକାଶରେ ଭାସେ । ଦର୍ପଣ ଦେଖାଏ ରେଖା କେଇ ଧାଡ଼ି କୁଞ୍ଚିତ କପାଳ ତଳେ, ଯେଉଁଠି ଲୁଚିଛି ସଂଘର୍ଷର କଥା ଅକୁହା ଲୁହର ଜଳେ। କାନ୍ଧରେ ଲଦା ସେ କର୍ତ୍ତବ୍ୟର ଭାର, ଏବେ ବି ଅଛି ଯେ ଜାରି, ବୟସର ଛାପ ହସି କହୁଥାଏ ଜୀବନଟା କାରିଗରୀ । ଝଡ଼ ପରେ ଯେମିତି ଶାନ୍ତ ଆକାଶ ଦିଶେ ଅତି ମନୋହର, ସେମିତି ଏ ବୟସ ଶିଖାଇ ଦେଇଛି ଜୀବନର ସାରା ସାର। ନଥାଉ ସେ ଦେହେ ଯୌବନର ତେଜ ଥାଏ ଅନୁଭବି ଆଲୋକ, ସେଇ ଆଲୋକରେ ବାଟ କଢ଼ାଇବା ଦୂର କରି ସବୁ ଶୋକ। କିନ୍ତୁ ଏହି ଛାପ ହାରିବାର ନୁହେଁ ଅଟେ ଜିତିବାର ଚିହ୍ନ, ତ୍ୟାଗ ଓ ଶ୍ରମର ସ୍ବାକ୍ଷର ସେ ବହେ ସ୍ମୃତି ଯେ ଏକ ଅଭିନ୍ନ । ଜନ୍ମ ଓ ମୃତ୍ୟୁର ସେଇ ମଧୁଶାଳେ ବୟସତ ଏକ ସାକ୍ଷୀ, ପ୍ରତିଟି ରେଖାରେ ଲୁଚି ରହିଥାଏ ସନ୍ତୋଷର ମିଠା ଆଖି। ଭାଙ୍ଗିଯାଉ ପଛେ ମାଟିର ପିତୁଳା,...
ସକାଳର ସୂର୍ଯ୍ୟ ଆଜି ପରାଜିତ, ଏକ ଅଦୃଶ୍ୟ ସୈନ୍ୟବାହିନୀ ପରି କୁହୁଡ଼ି ମାଡ଼ି ଆସିଛି ସାରା ସହରକୁ ନିଜ ମୁଠାରେ ନେବା ପାଇଁ। ପବନରେ ଶୀତର ଶିହରଣ ଅପେକ୍ଷା ରହସ୍ୟର ଗନ୍ଧ ଅଧିକ, ଝରକା କାଚ ବାହାରେ ଜଗତଟା ଏବେ ଏକ ଜଳଛବି ଯାହାକୁ କେହି ଜଣେ ଅସାବଧାନରେ ଓଦା ହାତରେ ପୋଛି ଦେଇଛି। ନିଶ୍ୱାସ ଛାଡ଼ିଲେ ଧୂଆଁ ବାହାରୁଛି ନିଜ ଭିତରୁ, ସତେ ଯେମିତି ଆମେ ନିଜେ ବି ଏହି କୁହୁଡ଼ିର ଏକ ଏକ ଅଂଶ ପାଲଟି ଯାଇଛୁ। ରାସ୍ତା କଡ଼ର ଚା’ ଦୋକାନରୁ ଉଠୁଥିବା ବାମ୍ଫ ଆଉ ବାହାରର ଏଇ ଧୂମ୍ର ଜାଲ ଦୁହେଁ କେଉଁଠି ମିଶିଯାଉଛନ୍ତି ଜାଣି ହେଉନି। ଗାଡ଼ିର ହେଡ୍ଲାଇଟ୍ ସବୁ ଏବେ ପଥ ପ୍ରଦର୍ଶକ ନୁହନ୍ତି, ସେମାନେ ଯେମିତି କୁହୁଡ଼ି ସମୁଦ୍ରରେ ଭାସୁଥିବା ଦୁଇଟି ହେମାଭ ଆଖି। ଚିନି ପରି ମିଶିଯାଉଛି ସମୟ ଏହି ଧଳା ନିସ୍ତବ୍ଧତା ଭିତରେ, ପୋଖରୀ କୂଳର ସେଇ ବରଗଛ ଯାହାର ଶିଖର ଏବେ ଶୂନ୍ୟରେ ହଜିଛି, ଲାଗୁଛି ସେ ଯେମିତି ଧରିତ୍ରୀର ଏକ ଅକୁହା ପ୍ରଶ୍ନ ପରି ଠିଆ ହୋଇଛି। ଧୀରେ ଧୀରେ... ଯେବେ ଖରା ତାର ସୁନା ରଙ୍ଗର ଆଙ୍ଗୁଠିରେ ଏହି ପରଦାକୁ ଆଡ଼େଇ ଦେବ, ସେତେବେଳେ ସଂସାର ପୁଣି ଥରେ ଝଲସି ଉଠିବ, କିନ୍ତୁ କୁହୁଡ଼ି ସାଥେ ଦେଖିଥିବା ସେହି ମାୟାପୁରୀ ମନର କୋଣରେ ଏକ ରହସ୍ୟ ହୋଇ ରହିଯିବ। ମିନାକ୍ଷୀ ଦ୍ବିବେଦୀ ଗୁରୁ ଗ୍ରାମ