Skip to main content

Posts

Showing posts from November, 2022

ଆଶ୍ବସ୍ତି

(ଆଶ୍ବସ୍ତି) ସତ କହିଲ ତୁମେ ମୋ ବିନା କ'ଣ ବଞ୍ଚି ପାରିବ? କାଇଁ କିଛି ସେମିତି ତ ଉଷ୍ଣ ମାଦକତା ଅନୁଭବ କରି ପାରୁନି, ଆମର ଏ ଅଧା ପ୍ରେମର ମିଛ କାହାଣୀ  ଅଲିଭା ସ୍ମୃତି ହୋଇ ରହିଯିବ କେବଳ ତୁମରି ପାଇଁ, ମୁଁ ମାୟାର ରଙ୍ଗୀନ ଚଷମା ପିନ୍ଧି ଥିଲି, ସବୁ ସିନେମା ପରି ରଙ୍ଗମୟ ଲାଗୁଥିଲା, ତୁମେ କିନ୍ତୁ ଖେଳୁଥିଲ କପଟର ଖେଳ  ଦିନରେ ଜହ୍ନ,ତାରା ଦେଖାଇ। ମୋ ଅନ୍ତହୀନ ବିଶ୍ବାସରେ  ବିଷ ଭରୁଥିଲ, ମୁଁ କିନ୍ତୁ ତୁମ ମିଛ ପ୍ରେମ ବର୍ଷାରେ ଭିଜି ଯାଉଥିଲି, ମୋ ପ୍ରେମର ଅମରାବତୀ ରେ ଦୀପ ଜାଳୁଥିଲି, ତୁମେ ଯୁଇ ସଜାଡୁଥିଲ ମୋରି ପାଇଁ। ମୁଁ ଗଲାପରେ ମୋ କବିତାକୁ ରାତିସାରା ପଢୁଥିବ, ଦେଖିବ ବାଡିଆଡ ମନ୍ଦାର ଗଛ ଟା ମୁହଁ ଶୁଖେଇ ଥିବ, ତୁଳସୀ ଚଉରା ର ବିଷର୍ଣ୍ଣ ମୁଖରୁ ଦେଖି ପାରିବ ମୋ ପ୍ରତିବିମ୍ବ, ଶୀତ ରାତି ପାହାନ୍ତି ପ୍ରହର ରେ ଅନୁଭବ କରି ପାରିବ ମୋର ଅସ୍ତିତ୍ବ, ବର୍ଷା ଭିଜା ରାତିରେ ତୁମେ ବିରହରେ ଜଳୁଥିବ ମୁଁ ଆଶ୍ବସ୍ତିରେ ହସୁଥିବି। ମୋ ନିଷ୍କପଟ ନିରିମାଖୀ ହୃଦୟର ଅକୁହା ଭାଷା ବେଶ୍ ହୃଦୟଙ୍ଗମ କରି ପାରିବ  ତୁମ କୁଢ଼ କୁଢ଼ ପ୍ରତାରଣାରେ ମୁଁ ଯେମିତି ଜଳୁଥିଲି  ତୁମ ନିଃସଙ୍ଗ ଜୀବନରେ ଠିକ୍ ବୁଝିପାରିବ ବିରହ ବେଦନା ମୋ ସ୍ମୃତି ର ଧୂଆଁ ରେ ତୁମେ ଧୂସର ହୋଇ ଯାଇଥିବ ମୁଁ ଚାହିଁ ଥିବି ଦୂର ଅନ୍ତରୀକ୍ଷ ରୁ ଏକ ଜ୍ୱଳନ୍ତ ତାରା ଟିଏ ହୋଇ। ମିନାକ୍ଷୀ ଦ୍ବିବେଦୀ ନିଉ ଦିଲ୍ଲୀ 7978082834

ଠିକଣା

*ଠିକଣା* ମଳୟର ପ୍ରଳୟ ନିଃଶ୍ୱାସ ରେ  ଆଜି ସେ ଅନ୍ତଃସତ୍ତ୍ବା ବର୍ଷା ର କଳା ମନ୍ତ୍ର ରେ ରୋମାଞ୍ଚିତା  ଛାତିର ସ୍ପନ୍ଦନ ମାଇଲ ଗତିର ବେଗ, ମୁହୂର୍ତ୍ତକରେ ମନ ସାଜୁଥିଲା ବେପଥୁ କ୍ଳାନ୍ତ ପାଦ ଦିଓଟି ହେଲା ଦିଗହରା ଶିକାରୁ ନିଗିଡି ଗଲା ସବୁ ରକ୍ତଦୁଃଖ ଅନ୍ଧାରି ଜୀବନରେ ଜାଳି ଦେଇଥିଲା ସମଗ୍ର ଆୟୁଷ, ସ୍ନେହାଶୀଳ ନିର୍ମମ ବଂଶୀସ୍ବରେ ଥିଲା ବଙ୍କିମ ଉପହାସ ଛାତିରୁ ଶୁଭୁଥିଲା ତାର ଶୋଣିତ ଅରୁଣ ବ୍ୟଥା ତା ମୁଦ୍ରିତ ଚକ୍ଷୁରେ ଗୁମୁରୁ ଥିଲା ନିର୍ଜନତା ଦେବୀ ଟିଏ ହବାର ଚେଷ୍ଟା ନ ଥିଲା ନଥିଲା ବିଳାସ ବାସର ରାତ୍ରୀ ପୁଙ୍ଗୁଳା ଆଲୁଅରେ ଚାହୁଁଥିଲା ଶାଶ୍ବତ ପ୍ରଣୟର ସୁହାସ ଚୁମ୍ବନ, ଘନ କଳା ବଉଦରୁ ଖୋଜୁଥିଲା ଆଞ୍ଜୁଳାଏ ଫୁଲର ସୁରଭି ବିହ୍ବଳ ମନରେ ଥିଲା ବୁଢିଆଣୀ ଜାଲ ପରି ଅଗଣିତ ଅଛିଣ୍ଡା ପ୍ରଶ୍ନ ନା ହେଲା ଦେବୀ ନା ହେଲା ମାନବୀ, ଆଜି ସେ ପରିତ୍ୟକ୍ତା ଅନ୍ତହୀନ ଯାତ୍ରା ର, ତା ଆଶା ଓ ବିଶ୍ବାସ ର, ଗ୍ଲେୟ ମନରେ ଲେଖିଦେଲା ଜୀବନ ଜନନୀ ପତ୍ରିକା, ଅକ୍ଷୌହଣୀ ବିନିଦ୍ର ନିଶିରେ ପ୍ରାପ୍ତି ଆଉ ଅପ୍ରାପ୍ତିର ତରାଜୁରେ ବାଛିନେଲା ସମାଧିସ୍ଥ ଆତ୍ମା ର  ଉଚିତ୍ ଠିକଣା ଭରିଦେଇ ଲୁହର ପାଉଣା।