(ଏଇତ...ଜୀବନ....) ମୋ ଶୋଇବା ଘର ଝରକା ବାହାରେ ଏକ ଏକାନ୍ତ କୋଣ ରେ କେବେଠୁ ଡେରା ବାନ୍ଧିଛି ବଣିଟିଏ କୋଉ ଅଜଣା ମୁହୂର୍ତ୍ତ ରୁ.. ସଂଗ୍ରହ କରୁଛି କୁଟାକାଠି, କେତେ ଲଟା ପତ୍ର, ସଂସାର ଗଢିବ ବୋଲି, ମାଘ ମାସ ଶୀତ କାକର ବାଆ ବତାସ ,କୁହୁଡି ଘେରା ଝାପସା ଝାପସା ଆଲୋକ କିଛି ଫରକ ପଡୁନି, ଗୁଣୁ ଗୁଣୁ ଗୀତ ଗାଇ ଡାଳ ରୁ ଡାଳ ବୁଲି ଫେରିଆସେ ପୁଣି ତା ବସାକୁ ଉଷୁମେଇ ଦିଏ ଅଣ୍ଡା ଟିକୁ କେତେ ସ୍ନେହ ରେ, କେତେ ସରାଗ ରେ ଏଇତ ହିଁ ଜୀବନ... ଜୀଇଁବା, ବଞ୍ଚିବାର ପଣ। ମଝିରେ ମଝିରେ ମୋ ଝରକା ମୁହଁ ପାଖରେ ବୋଧହୁଏ କିଛି କହିଯାଏ..... ତାର ଉଦାସୀନ ଚାହାଣୀ, ନୀରୋଳା ଆକାଶ ର ଅଲିଭା ସପନ... ମଧୁକ୍ଷରା,ବିଷଝରା ଅନନ୍ତ ସାଗରରୁ କିଛି ଉଜ୍ଜୀବିତ କରେ.... ଏତେ କ୍ଷୋଭ,ଏତେ କ୍ଳାନ୍ତି ପରେ କ୍ରୁର ହଳାହଳ ରୁ ଅଙ୍କୁରିତ ହୁଏ ନୂଆ ଏକ ଜୀବନ। ଚାତକ ପରି ଚାହିଁ ଥାଏ, ସୁନ୍ଦର ସ୍ୱପ୍ନ ର ଫରୁଆ ଖୋଲି ତା ସ୍ନାୟୁ ରୁ ସୂର୍ଯ୍ୟ ଦେବ ଉତ୍ସବ ଲଗ୍ନରେ ଉଙ୍କି ମାରନ୍ତି ଆଃ... ସତେ ଆଜି ସେ ବହୁତ ଖୁସି.... ଆକାଶ ନଇଁ ପଡେ ତା ଦିଗନ୍ତ ଅଗଣାରେ ଗଭୀର,ସୁଦୀର୍ଘ,ନିର୍ଜନତାକୁ ଏଡାଇ ପବିତ୍ର ମନ୍ତ୍ର ଗୁନ୍ଥି ସାକାର ସ୍ବପ୍ନ ର ରଙ୍ଗ ବୋଳି ତାର କୁନି କୁନି ଡେଣାରେ ଡେଇଁ ଡେଇଁ କହି ବୁଲେ....... ଜୀବନ ମାନେ ଜୀଇଁବା, କିଛି ଖୁସି ବାଣ୍ଟିବା କିଛି ଖୁସି ପାଇବା।