ତ୍ରିରଙ୍ଗା – ମୋର ଆତ୍ମାର ସ୍ପନ୍ଦନ ସୁର୍ଯ୍ୟର ରୋଷଣୀରେ ତୁମେ ଯେତେବେଳେ ଫୁଲୁଥାଅ, ଆକାଶର ପବନରେ ଗର୍ବରେ ଝୁଲୁଥାଅ ମୋର ମନରେ ଜାଗିଉଠେ ଅନେକ ସ୍ମୃତି, ଏକାଧାରେ ଗର୍ବ, ପ୍ରେମ ଓ ତ୍ୟାଗର କଥା ମୋର ଚକ୍ଷୁରେ ଆସେ ଏକ ଦୀପ୍ତ ଦୃଶ୍ୟ, ମୋର ମନରେ ଭାସି ଉଠେ ଦେଶପ୍ରେମର ଇତିହାସ । କେଶରୀ ରଙ୍ଗରେ ମୁଁ ଦେଖିଥାଏ ସେଇ ନିର୍ଭିକ ସାହସୀଙ୍କ ମୁହଁ, ଯେଉଁମାନେ ହସିହସି ଜୀବନ ଦେଇଥିଲେ ଦେଶର ପ୍ରତି ପ୍ରେମରେ ମୋହିତ ହୋଇ, ତାଙ୍କର ରକ୍ତର ଗନ୍ଧ ଆଜିଯାଏ ପବନରେ ମିଶି ତୁମକୁ କରିଛି ପବିତ୍ର କେଶରୀରେ ଲୁଚିଛି ସେଇ ଅଗ୍ନିଶିଖା, ଯାହା ସାହସୀ ସେନାଙ୍କୁ କରୁଛି ପ୍ରତିଶ୍ରୁତିମୟ। ସେହି ରଙ୍ଗରେ ମୁଁ ଅନୁଭବ କରିଛି ତ୍ୟାଗ, ସାହସ ଓ ସ୍ୱାଭିମାନର ଗାଥା, ଏହି ରଙ୍ଗ କହେ ... “ଭାରତ କେବେ ହାରିନାହିଁ କି ହାରିବ ନାହିଁ”। ଶ୍ୱେତରେ ମୁଁ ଦେଖେ ମା’ର କୋଳ, ଯେଉଁଥିରେ ଅଛି ଶାନ୍ତିର ସ୍ପର୍ଶ, ସତ୍ୟର ପଣ,ମନର ପବିତ୍ରତା ଗାନ୍ଧୀଙ୍କର ଅହିଂସାର ସେଇ ଦୀପ ଓ ସତ୍ୟର ପ୍ରତିଶ୍ରୁତି, ଯାହା ଅନ୍ଧକାରରେ ଭରିଦିଏ ଦିବାଲୋକ । ଏହି ଧଳା ଆଲୋକରେ ମୁଁ ଶିଖେ – ଶକ୍ତି ଓ ଶାନ୍ତିର ସନ୍ଧି। ହରିତରେ ମୁଁ ଅନୁଭବ କରେ ମୋର ମାଟିର ଘ୍ରାଣ, ଧାନର ସୁବର୍ଣ୍ଣ ସ୍ୱପ୍ନ, ବର୍ଷା ପରେ ଧରିତ୍ରୀର ସବୁଜ ହସ, ସମୃଦ୍ଧି, କୃଷି ଓ ପ୍ରକୃତିର ଆଲିଙ୍ଗନ, ସବୁଜ କ୍ଷେତ, ପୁଷ୍ପଶୈଳ ସେଇ ଶୋଭାକୁ ତୁମେ ଦେଉଥାଅ ଅମର ସ୍ମରଣ। ଏହି ରଙ୍ଗ କହେ...