ତନ୍ଦ୍ରାରେ ଆଉ ତଳ୍ପରେ ଅଳ୍ପ ଅଳ୍ପ ଗଳ୍ପରେ ରଙ୍ଗୀନ ତୂଳୀରେ ସଜେଇ ଦେଲି ମୋ ପ୍ରେୟସୀ ବର୍ଷା କୁ କାହିଁକି କେଜାଣି ତାର ଅବାଧ ପଣରେ ଶତଧୌତ ମୋର ଅକିଞ୍ଚନ ପଞ୍ଚମନ କୋଉ ଉନ୍ମାଦ ଫଗୁଣ ତାର ଆଖିରୁ ରଙ୍ଗ ଚୋରେଇ ମୋ ତୁଳୀରେ ସମାହିତ କରିଛି ତାର ମିଠା ସ୍ପର୍ଶର ପ୍ରେମିଳ ଛିଟାରେ ସତେ ଯେମିତି ମୁଁ ଭିଜି ଯାଉଛି ହେଇ ... ଦେଖୁନ... ତାର ଆସିବାରେ ଆକାଶ ଟା କେମିତି ଶାନ୍ତ ହୋଇଗଲା। ଅବଗୁଂଠିତା ମଧୁମତ୍ତା,ପ୍ରେମ ପ୍ରମତ୍ତା ଢଳ ଢଳ ଛବି ତାର କବି ର କଳ୍ପନାରେ ବନ୍ଧା ପଡିଛି। ଚାଲନା ବର୍ଷା ... ଏଇ ଶୈବାଳ ସାଗରରେ ଭସେଇ ଦେବା ଆମ ପ୍ରୀତିର ନୌକା... ମୋର ତୃଷାତୁର ବରଞ୍ଚ ପିପାସା ଲଘୁତା ଆଣିଦେବ ତୁମ ନିରତ ଚୁମ୍ବନ, ବୈଶାଖୀ ହାଓ୍ବା ରୁ ମୁକ୍ତି ପାଇବ ତୃଷାର୍ତ୍ତ , ନଗ୍ନ ଅସହିଷ୍ଣୁ ମୁହୂର୍ତ୍ତ ସବୁ ମେଘ ତଳେ ସାଇତି ରଖି ଜହ୍ନକୁ ଅନ୍ଧାର ତଳେ ତାରାର ଦୀପ ଜାଳି ଓଦା ପବନରେ ଲେଖିବା ଆମ ଭବିଷ୍ୟ ପ୍ରେମ କଥା ତୁମ ନିଃଶବ୍ଦ ଡାକରେ ମୁଁ ଭିଜୁଥିବି ଚିରକାଳ ତୁମେ ଖାଲି ହସୁଥିବ ....