Skip to main content

Posts

Showing posts from March, 2026

ବୟସର ଛାପ Krantidhara

ବୟସର ଛାପ ସମୟର ସ୍ରୋତେ ଭାସିଯାଏ ଆୟୁ ବଦଳେ ଦେହର ରୂପ, ଅକୁହା କଥାକୁ ସାଇତି ରଖିଛି ଏହି ବୟସର ଛାପ । କେତେ ଯେ ଖରା ଓ କେତେ ଯେ ବରଷା, ବିତିଗଲା କେତେ ଋତୁ, କୁଞ୍ଚିତ ଚର୍ମରେ ଲେଖା ହୋଇଅଛି ଜୀବନର ସବୁ ସେତୁ । ଆଖି କୋଣେ ଆଜି କଳା ଗାର କହେ, ଅନିଦ୍ରା ରାତିର ଗପ, ସପନର ଚିତା ଜଳି ଯାଇଅଛି ବାକି ଅଛି ଶେଷ ଧୂପ । ଧଳା କେଶ ସବୁ ପାଚିଲା ଧାନର ସୁନେଲି କେଣ୍ଡାଟି ପରି, ଅନୁଭୂତିର ସେ ଭାରାକ୍ରାନ୍ତ ବୋଝ ଚାଲିଛି ମୁଣ୍ଡରେ ଧରି । ହାତର ଶିରା ପ୍ରଶିରା ଗୁଡ଼ିକ ମାନଚିତ୍ର ସମ ଦିଶେ, ହସ ଓ ଲୁହର ସେଇ ପୁରୁଣା ଦିନ ମନ ଆକାଶରେ ଭାସେ । ଦର୍ପଣ ଦେଖାଏ ରେଖା କେଇ ଧାଡ଼ି କୁଞ୍ଚିତ କପାଳ ତଳେ, ଯେଉଁଠି ଲୁଚିଛି ସଂଘର୍ଷର କଥା ଅକୁହା ଲୁହର ଜଳେ। କାନ୍ଧରେ ଲଦା ସେ କର୍ତ୍ତବ୍ୟର ଭାର,  ଏବେ ବି ଅଛି ଯେ ଜାରି, ବୟସର ଛାପ ହସି କହୁଥାଏ ଜୀବନଟା କାରିଗରୀ । ଝଡ଼ ପରେ ଯେମିତି ଶାନ୍ତ ଆକାଶ ଦିଶେ ଅତି ମନୋହର, ସେମିତି ଏ ବୟସ ଶିଖାଇ ଦେଇଛି ଜୀବନର ସାରା ସାର। ନଥାଉ ସେ ଦେହେ ଯୌବନର ତେଜ ଥାଏ ଅନୁଭବି ଆଲୋକ, ସେଇ ଆଲୋକରେ ବାଟ କଢ଼ାଇବା ଦୂର କରି ସବୁ ଶୋକ। କିନ୍ତୁ ଏହି ଛାପ ହାରିବାର ନୁହେଁ ଅଟେ ଜିତିବାର ଚିହ୍ନ, ତ୍ୟାଗ ଓ ଶ୍ରମର ସ୍ବାକ୍ଷର ସେ ବହେ ସ୍ମୃତି ଯେ ଏକ ଅଭିନ୍ନ । ଜନ୍ମ ଓ ମୃତ୍ୟୁର ସେଇ ମଧୁଶାଳେ ବୟସତ ଏକ ସାକ୍ଷୀ, ପ୍ରତିଟି ରେଖାରେ ଲୁଚି ରହିଥାଏ ସନ୍ତୋଷର ମିଠା ଆଖି। ଭାଙ୍ଗିଯାଉ ପଛେ ମାଟିର ପିତୁଳା,...

ଧୂସର ଅବଗୁଣ୍ଠନ pragativadi

ସକାଳର ସୂର୍ଯ୍ୟ ଆଜି ପରାଜିତ, ଏକ ଅଦୃଶ୍ୟ ସୈନ୍ୟବାହିନୀ ପରି କୁହୁଡ଼ି ମାଡ଼ି ଆସିଛି ସାରା ସହରକୁ ନିଜ ମୁଠାରେ ନେବା ପାଇଁ। ପବନରେ ଶୀତର ଶିହରଣ ଅପେକ୍ଷା ରହସ୍ୟର ଗନ୍ଧ ଅଧିକ, ଝରକା କାଚ ବାହାରେ ଜଗତଟା ଏବେ ଏକ ଜଳଛବି ଯାହାକୁ କେହି ଜଣେ ଅସାବଧାନରେ ଓଦା ହାତରେ ପୋଛି ଦେଇଛି। ନିଶ୍ୱାସ ଛାଡ଼ିଲେ ଧୂଆଁ ବାହାରୁଛି ନିଜ ଭିତରୁ, ସତେ ଯେମିତି ଆମେ ନିଜେ ବି ଏହି କୁହୁଡ଼ିର ଏକ ଏକ ଅଂଶ ପାଲଟି ଯାଇଛୁ। ରାସ୍ତା କଡ଼ର ଚା’ ଦୋକାନରୁ ଉଠୁଥିବା ବାମ୍ଫ ଆଉ ବାହାରର ଏଇ ଧୂମ୍ର ଜାଲ ଦୁହେଁ କେଉଁଠି ମିଶିଯାଉଛନ୍ତି ଜାଣି ହେଉନି। ଗାଡ଼ିର ହେଡ୍‌ଲାଇଟ୍ ସବୁ ଏବେ ପଥ ପ୍ରଦର୍ଶକ ନୁହନ୍ତି, ସେମାନେ ଯେମିତି କୁହୁଡ଼ି ସମୁଦ୍ରରେ ଭାସୁଥିବା ଦୁଇଟି ହେମାଭ ଆଖି। ଚିନି ପରି ମିଶିଯାଉଛି ସମୟ ଏହି ଧଳା ନିସ୍ତବ୍ଧତା ଭିତରେ, ପୋଖରୀ କୂଳର ସେଇ ବରଗଛ ଯାହାର ଶିଖର ଏବେ ଶୂନ୍ୟରେ ହଜିଛି, ଲାଗୁଛି ସେ ଯେମିତି ଧରିତ୍ରୀର ଏକ ଅକୁହା ପ୍ରଶ୍ନ ପରି ଠିଆ ହୋଇଛି। ଧୀରେ ଧୀରେ... ଯେବେ ଖରା ତାର ସୁନା ରଙ୍ଗର ଆଙ୍ଗୁଠିରେ ଏହି ପରଦାକୁ ଆଡ଼େଇ ଦେବ, ସେତେବେଳେ ସଂସାର ପୁଣି ଥରେ ଝଲସି ଉଠିବ, କିନ୍ତୁ କୁହୁଡ଼ି ସାଥେ ଦେଖିଥିବା ସେହି ମାୟାପୁରୀ ମନର କୋଣରେ ଏକ ରହସ୍ୟ ହୋଇ ରହିଯିବ। ମିନାକ୍ଷୀ ଦ୍ବିବେଦୀ  ଗୁରୁ ଗ୍ରାମ 

ପଲ୍ଲବିତ ସ୍ବପ୍ନ ସମାଜ

ପଲ୍ଲବିତ ସ୍ବପ୍ନ  କୌଣସି ଆଗୁଆ ସୂଚନା ନାହିଁ ନା ଅଛି କୌଣସି ନିମନ୍ତ୍ରଣ ପତ୍ର, ଖାଲି ଶୁଖିଲା ପତ୍ରର ମର୍ମର ଶବ୍ଦରେ ଧୀରେ ଧୀରେ ଚାଲିଆସେ ସେ... ଜଣେ ପରିଚିତ ପ୍ରେମିକ ପରି। ଏବେ ଆଉ କାକରର ଭୟ ନାହିଁ  କି ନାହିଁ କୁହୁଡ଼ିର ସେଇ ଧୂସର ପରଦା ଆମ୍ର ବଉଳର ବାସ୍ନାରେ ଏବେ ପବନ ବି ନିଶାସକ୍ତ, ଆଉ କୋଇଲିର ସେଇ ଅଧାଗଢ଼ା ସୁର ଶୂନ୍ୟ ଆକାଶରେ ଖୋଜୁଛି ଏକ ପୂର୍ଣ୍ଣତା। ଗଛମାନେ ଏବେ ପୁରୁଣା ପୋଷାକ ଫୋପାଡ଼ି ସଜେଇ ହେଉଛନ୍ତି ଶାଗୁଆ ରଙ୍ଗର ଓଢ଼ଣୀରେ, ଏଇ ଉଷୁମ ଖରାରେ ଏବେ କେହି ଜଣେ ଅପେକ୍ଷା କରିଛି ପଳାଶର ନାଲି ରଙ୍ଗରେ ନିଜକୁ ଭିଜାଇବା ପାଇଁ, ପାଦତଳେ ଝଡ଼ି ପଡ଼ୁଥିବା ଶୁଖିଲା ପତ୍ରମାନେ ଶେଷ ବିଦାୟର ସଙ୍ଗୀତ ନୁହେଁ ନୂଆ ଜୀବନର ପଦଧ୍ୱନି ଶୁଣାଉଛନ୍ତି, ଆଉ ହୃଦୟର କୋଣରେ ସାଇତା ଥିବା ସେଇ ଅକୁହା ପ୍ରେମର ହେଉଛି ପୁନର୍ଜନ୍ମ । ଖାଲି ପବନରେ ଭାସି ଆସୁଛି ଫଗୁଣର ସେଇ ମିଠା ଗନ୍ଧ, ନୂଆ କରି ଗଜୁରିଥିବା କଅଁଳ ପତ୍ରର ଶିରାରେ ଲେଖା ହୋଇଛି ଗୋଟେ ନୂଆ ପ୍ରେମର ଇତିହାସ ଯେଉଁଠି ଶେଷ ବୋଲି କିଛି ନାହିଁ ଅଛି କେବଳ ଏକ ସୁନ୍ଦର ଆରମ୍ଭର ବିଶ୍ୱାସ। ମିନାକ୍ଷୀ ଦ୍ବିବେଦୀ  ଗୁରୁ ଗ୍ରାମ 

ଆଞ୍ଜୁଳାଏ ଜୀବନ Dharitri

ଆଞ୍ଜୁଳାଏ ଜୀବନ  ଆଞ୍ଜୁଳାଏ ପାଣି ପରି ଏ ଜୀବନ, ଧରି ରଖିବାକୁ ଚେଷ୍ଟା କଲେ ବି ଆଙ୍ଗୁଠି ସନ୍ଧି ଦେଇ ଧୀରେ ଧୀରେ ଖସିଯାଏ ସମୟ। ନିଜସ୍ୱ କିଛି ନାହିଁ ଏଠି, ସବୁ ଋଣ କରା ସ୍ମୃତିର ସମ୍ପତ୍ତି କିଛି ହସ, କିଛି ଲୁହ, ଆଉ କିଛି ଅଧାଗଢ଼ା ସ୍ୱପ୍ନର ପାହାଚ କେବେ ଏହା ଶାନ୍ତ ପୋଖରୀର ଜଳ, ତ କେବେ ଅଶାନ୍ତ ସମୁଦ୍ରର ଢେଉ। ଖୋଜୁ ଖୋଜୁ ନିଜକୁ ଏଇ ଭିଡ଼ ଭିତରେ, ପାଇଯାଏ କେବେ ଏକାକୀତ୍ୱର ସ୍ୱର, ସାଉଣ୍ଟିବାକୁ ଗଲେ ଅତୀତର ଖଣ୍ଡବିଖଣ୍ଡିତ ଆଇନା ରକ୍ତାକ୍ତ ହୁଏ ବର୍ତ୍ତମାନର ପାପୁଲି। ଜୀବନ ତ ଏକ ସଞ୍ଜ ନଇଁବା ପୂର୍ବର ଖେଳ, ଯେଉଁଠି ଜିତିବାର ମୋହ ନାହିଁ କି ହାରିବାର ଭୟ, ଶେଷରେ ସବୁ ସେହି ମାଟିର ମାୟା କେବଳ ରହିଯାଏ କିଛି ଅକୁହା କଥା ଆଉ ପବନରେ ଭାସୁଥିବା ଆଞ୍ଜୁଳାଏ ଶୂନ୍ୟତା। ତଥାପି... ଏଇ ଆଞ୍ଜୁଳାଏ ଜୀବନକୁ ନେଇ ଗର୍ବ ଅନେକ, ଯେ ପର୍ଯ୍ୟନ୍ତ ଶେଷ ବୁନ୍ଦାଟି ଖସିନାହିଁ ସେ ପର୍ଯ୍ୟନ୍ତ ବଞ୍ଚିବାର ଜିଦ୍  ଆଉ ଅଳ୍ପ ଟିକେ ବାକି ଥାଏ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪

ଜୀବନ ଏକ ନିଶବ୍ଦ ଶିହରଣ*

*ଜୀବନ ଏକ ନିଶବ୍ଦ ଶିହରଣ* Krantidhara  ଜୀବନ କେବେ  ମରୀଚିକା ପଛରେ ଧାଉଁଥିବା ଏକ ଅପରିଚିତ ତୃଷ୍ଣାର୍ତ୍ତ ପଥିକ, କେବେ ନିଜ ଭିତରେ ନିଜକୁ ହଜାଇଥିବା ଏକ ନିର୍ଜନ, ଅନ୍ଧାରୀ ସହର, ସାଇତି ରଖୁ ଅନେକ କିଛି ସ୍ୱପ୍ନର ସେଇ ସ୍ଫଟିକ ମହଲ, କିଛି ଅସଜଡ଼ା ସ୍ମୃତିର ରେଶମୀ ସମ୍ପର୍କ, ଆଉ  ମୁଠା ମୁଠା ଅଭିମାନର ରୁଦ୍ଧ କୋହ। କିନ୍ତୁ କାଳର ଉଦ୍ଦାମ ସ୍ରୋତରେ ସବୁକିଛି ବାଲିଘର ପରି ନିଶ୍ଚିହ୍ନ ହୋଇଯାଏ, ରହିଯାଏ କେବଳ ଶୂନ୍ୟତାର ଆଲିଙ୍ଗନ  ଆଉ ଛାତି ତଳେ କିଛି ନିଶବ୍ଦ ଶିହରଣ। ପାଉଁଶ ତଳେ ଚାପି ହୋଇଥିବା ସେଇ ନିଆଁ ପରି ଜୀବନ ଖୋଜୁଥାଏ ନିଜର ଏକ ପରିଚୟ ଏଇ ଆଞ୍ଜୁଳାଏ ଜୀବନରେ ନୀଳ ଆକାଶକୁ ଆଲିଙ୍ଗନ କରିବାର ଦୁର୍ବାର ସ୍ପୃହା ଅଛି, ପୁଣି ମାଟିରେ ମିଶି ଯିବାର ଚରମ ନମ୍ରତା ବି ଅଛି ଦୁଇଟି ପାପୁଲିର ସଂକୀର୍ଣ୍ଣ ସନ୍ଧିରେ ଲୁଚି ରହିଛି ଜନ୍ମ ଜନ୍ମାନ୍ତରର ସଂଘର୍ଷ, ଆଉ ସେଇ କ୍ଳାନ୍ତ ସଂଘର୍ଷର ଶେଷ ସୀମାରେ ଅପେକ୍ଷା କରିଥାଏ ଟିକିଏ ପ୍ରଶାନ୍ତିର ଶୀତଳ ନିଶ୍ୱାସ। ଜୀବନ ତ କେବଳ ଆଞ୍ଜୁଳାଏ କ୍ଷଣଭଙ୍ଗୁର ଜଳ ନୁହେଁ, ସେଇ କ୍ଷୁଦ୍ର ଜଳବିନ୍ଦୁରେ ପ୍ରତିଫଳିତ ହେଉଥିବା ଏକ ବିଶାଳ, ଅନନ୍ତ ଆକାଶର ପରିଧି ଯିଏ ନିଜ ଭିତରେ ସମଗ୍ର ବ୍ରହ୍ମାଣ୍ଡକୁ ସାଉଁଟି ରଖେ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪

ଧରା କାହାଣୀ

ଧରା  କାହାଣୀ ଆକାଶର କୋଣେ ସିନ୍ଦୂରା ଫାଟିଲା, ନିଦ ଭାଙ୍ଗି ମା ହସିଲା, ସବୁଜ ଶାଢ଼ୀରେ ଶିଶିରର ମୋତି, ଧରା ସୁନ୍ଦର ଦିଶିଲା। ଝରଣାର ସ୍ୱର, ପକ୍ଷୀଙ୍କ କାକଳି, ପବନର ମିଠା ବାସ୍ନା, ଧୈର୍ଯ୍ୟର ସାଗର ଧରିତ୍ରୀ ମାଆ ମୋ, ପୂରା କରେ ସବୁ ତୃଷ୍ଣା। ତା' କୋଳରେ ଶୋଇ ହସେ ଜୀବଜନ୍ତୁ, ମଣିଷ ପାଇଛି ଘର, ଦୁଃଖ ସହି ସିଏ ସୁଖ ବାଣ୍ଟି ଦିଏ, ନଥାଏ କେହି ତା' ପର । ଲୁହକୁ ସେ ତା'ର ପାଣି କରି ଦିଏ, ରୁଧିରକୁ କରେ ଶସ୍ୟ, ଧରଣୀର ପ୍ରତି ଅଣୁ ପରମାଣୁ, ଈଶ୍ୱରଙ୍କ ଏକ ଶିଷ୍ୟ। ହେଲେ ଆଜି କାହିଁ ମଇଳା ପଡ଼ିଛି, ମାଆର ସେ ସୁନା ଦେହ, କୁରାଢ଼ିର ଚୋଟେ ବଣ ଉଜୁଡ଼ିଛି, ଝରୁଛି ଆଖିରୁ ଲୁହ । ତାତିଲାଣି ଦେହ, ଶୁଖିଲାଣି ନଈ, ଫାଟିଲାଣି ବୁକୁ ତାର, ସ୍ୱାର୍ଥପର ସାଜି ଆମେ ଯେ କରୁଛୁ ମା'ର ଉପରେ ପ୍ରହାର। ଚାଲ ଆଜି ଆମେ ଶପଥ କରିବା, ଫେରାଇବା ତାର ହସ, ଗଛଟେ ଲଗାଇ ଧରଣୀ ମାଆକୁ, କରିବା ପୁଣି ସରସ । ସବୁଜିମା ଭରିଦେବା ଚାରିଆଡ଼େ, ରଖିବା ତାହାକୁ ସଫା, ଧରିତ୍ରୀ ରହିଲେ ଆମେ ଯେ ରହିବା  ନହେବ ସେ କେବେ ଖଫା। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪

Seithu arambha ସହର ଓ ଶୂନ୍ୟତା

Seithu arambha ସହର ଓ ଶୂନ୍ୟତା ରାସ୍ତା କଡ଼ର ସେଇ ବୁଢ଼ା ବରଗଛଟା ଆଜି କଂକ୍ରିଟ୍ ଜଙ୍ଗଲ ଭିତରେ ହଜି ଯାଇଛି, ତା’ ଡାଳରେ ଏବେ ଚଢ଼େଇଙ୍କ କଳରବ ନାହିଁ ଶୋଭା ପାଉଛି କେବଳ କେଇଟା ବିଜ୍ଞାପନର ହୋର୍ଡିଂ। ମଣିଷମାନେ ଏଠି ଧାଉଁଛନ୍ତି... କେହି ସମୟ ପଛରେ, ତ କେହି ସ୍ୱପ୍ନ ପଛରେ, କାହାରି ପାଖରେ ଟିକେ ମୁହୂର୍ତ୍ତେ ନାହିଁ ସମସ୍ତେ ନିଜ ନିଜ ମୋବାଇଲ୍ ପରଦାରେ ବନ୍ଦୀ। ସଂଜ ନଇଁଲେ ଆକାଶଟା ବି ଏବେ ଧୂଆଁଳିଆ ଦିଶେ, ତାରାମାନେ ବୋଧେ ସହରର ଆଲୁଅକୁ ଡରି କେଉଁ ଦୂର ବାଦଲ ଆଢୁଆଳରେ ଲୁଚି ରହିଛନ୍ତି। ଭିଡ଼ ଭିତରେ ବି ଏଠି ପ୍ରବଳ ଏକାକୀପଣ, ହାତ ପାହାନ୍ତାରେ ସବୁ ଅଛି... କିନ୍ତୁ ସେଇ ପୁରୁଣା ପଲ୍ଲୀର ମାଟି ଗନ୍ଧ ନାହିଁ  ଏଠି ଏସି କୋଠରୀରେ ଶୀତଳତା ଅଛି ସତ ହେଲେ ମୁକ୍ତ ପବନର ସେଇ ଆତ୍ମୀୟତା ନାହିଁ, ସେଇ ନିଚ୍ଛକ ହସଟା ବୋଧେ କେଉଁଠି ଲୁଚି ଯାଇଛି ସହରଟା ଶୋଇନାହିଁ, ସହରଟା ରାତିସାରା ନିଅନ୍ ଆଲୁଅରେ ଜଳେ କିନ୍ତୁ ଭିତରର ମଣିଷଟା ଅନ୍ଧାରରେ ହଜେ, କଂକ୍ରିଟ୍‌ର ଛାତ ତଳେ ସବୁ ସୁବିଧା ଅଛି ବାସ୍, ମଣିଷ ଖୋଜିବାକୁ ଏଠି ମଣିଷ ଟିଏ ନାହିଁ। ଶେଷରେ ସେଇ ବୁଢ଼ା ବରଗଛ ପରି ଆମେ ବି ଦିନେ ହଜିଯିବା ଏଇ ଭିଡ଼ ଭିତରେ, କାନ୍ଧରେ ବୋହି କିଛି ଅଧୁରା ସ୍ୱପ୍ନ ଆଉ ମୁଠାଏ ଯାନ୍ତ୍ରିକ ସ୍ମୃତି। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ 

ଫଗୁଣର ଫଗୁ ଓ ରଙ୍ଗର ମେଳଣ srusti O srasta

ଫଗୁଣର ଫଗୁ ଓ ରଙ୍ଗର ମେଳଣ srusti O srasta ଫଗୁଣର ମନ ମତ୍ତାଣିଆ ପବନରେ ଆଜି କେଉଁଠୁ ଗୋଟେ ମହକ ଭାସି ଆସୁଛି ବୋଧହୁଏ ପୁରୁଣା ବନ୍ଧୁତା ଆଉ ନୂଆ ଆତ୍ମୀୟତାର, ଆକାଶଟା ଆଜି ଗୋଲାପି ଦିଶୁଛି କୌଣସି ଶିଳ୍ପୀର ତୂଳୀ ପାଇଁ ନୁହେଁ ବରଂ ପବନରେ ଉଡୁଥିବା ମୁଠାଏ ଅବିର ପାଇଁ। ଆଜି କେହି ପଚାରୁ ନାହାନ୍ତି ତୁ କିଏ? କି ତୋ ଘର କେଉଁଠି? ରଙ୍ଗର ସ୍ତର ତଳେ ହଜିଯାଇଛି  ରାଗ, ରୁଷା ଆଉ ଅଭିମାନ, କେବଳ ବାକି ଅଛି... ଗୋଟିଏ ହସ, କାରଣ ସମସ୍ତଙ୍କ ମୁହଁରେ ଆଜି ଗୋଟିଏ ରଙ୍ଗ, ପ୍ରେମର ରଙ୍ଗ, ସୌହାର୍ଦ୍ଦ୍ୟର ରଙ୍ଗ। ସେଇ ଗାଁ ମୁଣ୍ଡ ମେଳଣ ପଡ଼ିଆ ହଜାରେ ଲୋକଙ୍କ କୋଳାହଳ, କାନ୍ଧରେ ବିମାନ ବୋହି ଚାଲିଥିବା ସେଇ ଶ୍ରଦ୍ଧା ଆଉ ଠାକୁରଙ୍କ ଝୁଲଣା ପାଖେ ଜଳୁଥିବା ସେଇ ଧୂପର ଧୂଆଁ। ବିମାନ କାନ୍ଧେଇ ଚାଲିଥିବା ସେଇ  ପାଦଗୁଡ଼ିକ ଥକୁ ନାହାନ୍ତି ଜମାରୁ ଘଣ୍ଟର ସେଇ ତାଳେ ତାଳେ ପ୍ରଭୁ ଝୁଲୁଛନ୍ତି  ଆଉ ଆମେ ଝୁଲୁଛୁ ଏକ ଅଜଣା ଆନନ୍ଦରେ। ମନର କୋଣରେ ଆଜି ବି ଅଛି ସେଇ ହରିଲୁଟ୍ ପାଇଁ ଲମ୍ବା ଧାଡ଼ି, ଆଉ ଅବିର ମୁଠାଏ ପବନକୁ ଫିଙ୍ଗି ଆକାଶକୁ ରଙ୍ଗୀନ କରିବାର ସେଇ ଅଦମ୍ୟ ଜିଦି। ଦୋଳ ଆସିଛି... ଜୀବନର ଧୂସର ପୃଷ୍ଠାରେ କିଛି ରଙ୍ଗ ଛିଞ୍ଚି ଦେବାକୁ, ମଣିଷ ସହ ମଣିଷର ମିଳନ ଧୂଳି ଆଉ ଅବିରର ଏକ ମଧୁର ସମ୍ପର୍କ ଗଢିବାକୁ, ରାଧାଙ୍କ ସ୍ମୃତିର ସେହି ନୀଳ ରଙ୍ଗ ହେଉ ବା କୃଷ୍ଣଙ୍କ ପ୍ରେମର ସେହି କଳା ମେଘ, ଆଜି ସବୁ ଏକାକାର....

ଅଲେଖା ଚିଠିର ସ୍ଵର। (ସୃଜନ)

ଅଲେଖା ଚିଠିର ସ୍ଵର। (ସୃଜନ) ସମୟର ବାଲିଘର ଭାଙ୍ଗିଯାଏ ସତ, କିନ୍ତୁ ସ୍ମୃତିର ପାଦଚିହ୍ନ ରହିଯାଏ ଛାତିର କାନ୍ଥରେ ମୁଁ ଖୋଜୁ ନାହିଁ କୌଣସି ପୂର୍ଣ୍ଣଛେଦ, ନା ଖୋଜୁଛି କିଛି ହଜିଯାଇଥିବା ସମ୍ପର୍କର ଠିକଣା। ଆକାଶଟା ଆଜି ଟିକେ ବେଶୀ ନୀଳ ଦିଶୁଛି ଠିକ୍ ତୁମ ଆଖିର ସେଇ ଗଭୀରତା ପରି ଯେଉଁଠି ମୁଁ ବୁଡ଼ି ଯାଇଥିଲି ଦିନେ କୌଣସି ନୌକା ବା ମଙ୍ଗୁଆଳର ସାହାରା ନ ନେଇ। ଜୀବନ ତ ଏକ ଖୋଲା ବହି, କିଛି ପୃଷ୍ଠା ପବନରେ ଉଡ଼ିଯାଏ, ଆଉ କିଛି ପୃଷ୍ଠା ଓଦା ହୋଇଯାଏ ଲୁହର ସ୍ପର୍ଶରେ ସମୟର ବାଲିଘଡ଼ିରୁ ଖସି ପଡ଼ୁଥିବା ପ୍ରତିଟି ମୁହୂର୍ତ୍ତ ମୋତେ ତୁମଠାରୁ ଦୂରେଇ ନିଏ ନାହିଁ ବରଂ ମୋ ଭିତରେ ଥିବା "ତୁମକୁ"  ଆହୁରି ସ୍ପଷ୍ଟ କରିଦିଏ। ଯେମିତି ମାଟିର ମହକରେ  ଲୁଚିଥାଏ ପ୍ରଥମ ବର୍ଷାର ସ୍ମୃତି, ସେମିତି ମୋର ପ୍ରତିଟି ଶବ୍ଦରେ ଥାଏ ତୁମରି ଅସ୍ତିତ୍ୱ। ଚାହେଁ ନାହିଁ କୌଣସି ପ୍ରତିଶ୍ରୁତିର ବନ୍ଧନ, ଚାହେଁ ନାହିଁ ଫେରିଯିବାକୁ  ସେଇ ଅତୀତର ପୁରୁଣା ଗଳିକୁ, ସେଇ ଅନୁଭୂତି ମୋ ନିଜଠାରୁ ବି ବେଶୀ ମୋର। ହୁଏତ ଏଇ ଅସମାପ୍ତ ଯାତ୍ରା ହିଁ ଶ୍ରେଷ୍ଠ, ଲକ୍ଷ୍ୟସ୍ଥଳରେ ପହଞ୍ଚିଗଲେ ବୋଧହୁଏ  ପଥ ର ସୌନ୍ଦର୍ଯ୍ୟ ହଜିଯାଏ। ମୁଁ କବିତା ଲେଖେନି, ଖାଲି ଶବ୍ଦମାନଙ୍କୁ ସଜାଇ ଦିଏ ନିଜ ଇଚ୍ଛାରେ ଏଇ ମୁକ୍ତ ପବନ, ଏଇ ଅଧାଗଢ଼ା ସପନ, ସବୁଠି ଅଛି ତୁମର ଅଦୃଶ୍ୟ ଉପସ୍ଥିତି ଅଲେଖା ଚିଠିଟି ସେମିତି ଥାଉ କୁହୁଡ଼ି ଘେରା ସକାଳର ସେଇ...

ସମୟର ସ୍ବର. satyavadi

ସମୟର ସ୍ବର ସମୟ ଏକ ଫେରିବାଲା ସମୟ ଏକ ଅଜବ ଫେରିବାଲା, ସେ ପାଟି କରି କିଛି ବିକେ ନାହିଁ କିନ୍ତୁ ଗୋପନରେ ସାଇତି ରଖେ ଆମ ପାପୁଲିରୁ ଖସି ପଡ଼ିଥିବା କିଛି ମୂଲ୍ୟବାନ ମୂହୁର୍ତ୍ତ। ତା’ର ସେଇ ସାଇତା ସ୍ୱରରେ କେବେ ଶୁଭେ ଶେଷ ହୋଇ ଯାଇଥିବା ବର୍ଷାର ଗନ୍ଧ, ଶୁଭେ ପଢ଼ା ବହି ଭିତରେ ଶୁଖି ଯାଇଥିବା ସେଇ ଗୋଲାପ ଫୁଲର ନିଶ୍ୱାସ। ସମୟ ଏକ ଅଦୃଶ୍ୟ କାରିଗର ସମୟ କେବେ କାହା ପାଇଁ ଅଟକି ନାହିଁ, ସେ ତ ଏକ ଅଦୃଶ୍ୟ କାରିଗର ଯିଏ ଜୀବନର କାନଭାସରେ ପ୍ରତିଦିନ ଆଙ୍କି ଚାଲେ ନୂଆ ନୂଆ ରଙ୍ଗ। ତା’ର ସାଇତା ସ୍ୱରରେ ଥାଏ ଗୋଟେ ପୁରୁଣା ଚିଠିର ଭାଙ୍ଗ, ଆଉ କାନ୍ଥରେ ଟଙ୍ଗା ହୋଇଥିବା ସେଇ ଧୂଳିଧୂସରିତ ଘଣ୍ଟାର ନିସ୍ତବ୍ଧତା। ସମୟର ପେଡ଼ି ସେ ସ୍ୱର ଆମକୁ ପଛକୁ ଡାକେ ନାହିଁ, ବରଂ ଚୁପ୍‌କିନା କହିଦିଏ ଯାହା ହଜିଛି, ତାହା ହିଁ ପ୍ରକୃତରେ ତୁମର ଆମେ ଦୌଡୁଥାଉ ଆଗକୁ, ନୂଆ ସ୍ୱରର ସନ୍ଧାନରେ, କିନ୍ତୁ ସମୟ ତା’ର ପେଡ଼ି ଭିତରେ ସାଇତି ରଖିଥାଏ ଆମ ପ୍ରଥମ ସଫଳତାର ସେଇ ଚିତ୍କାର ଆଉ ଅନ୍ଧାରରେ ବୋହି ଯାଇଥିବା କିଛି ନୀରବ ଲୁହ। ସମୟ ଏକ ଅନନ୍ୟ ଅନୁଭବ ସମୟର ସ୍ୱର କୌଣସି ଶବ୍ଦ ନୁହେଁ, ସେ ତ ଏକ ଅନୁଭବ, ଯିଏ ବାର୍ଦ୍ଧକ୍ୟର କୁଞ୍ଚିତ ଚର୍ମରେ ବି ଯୌବନର ସେଇ ଉଦ୍ଦାମତାକୁ  ଜୀବନ୍ତ କରି ରଖିଥାଏ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪

ସମୟର ତିନୋଟି ସ୍କେଚ Rebati

ସମୟର ତିନୋଟି ସ୍କେଚ  ପ୍ରଥମ ସ୍କେଚ :ସ୍ମୃତିର ପାଣ୍ଡୁଲିପି (ଅତୀତ) ସମୟ ଏକ ଧୂସର ରଙ୍ଗର କାନଭାସ, ଯେଉଁଠି କଲମରୁ କାଳି ସରି ଯାଇଛି ସତ କିନ୍ତୁ ଗାରଗୁଡ଼ିକ ଏବେ ବି ଗଭୀର ସେଠି ସାଇତା ଅଛି ପିଲାଦିନର ସେଇ ଭଙ୍ଗା ଖେଳନା, ପ୍ରଥମ ବର୍ଷାରେ ଭିଜିଥିବା କାଗଜ ଡଙ୍ଗା, ଆଉ ହଜି ଯାଇଥିବା କିଛି ପ୍ରିୟ ମଣିଷଙ୍କ ଅସ୍ପଷ୍ଟ ଛବି ଯାହା ଦୀର୍ଘଶ୍ୱାସର ଶୀତଳ ପବନରେ ପାଉଁଶ ତଳର ନିଆଁ ପରି ଅତୀତକୁ ଜୀବନ୍ତ କରେ। ଦ୍ଵିତୀୟ ସ୍କେଚ୍: ଚଳନ୍ତି ପଥର ଧୂଳି (ବର୍ତ୍ତମାନ) ଏ଼ହା ଏକ ଅଧାଗଢ଼ା ରଙ୍ଗୀନ ଚିତ୍ର, ଯେଉଁଠି ରଙ୍ଗ ଏବେ ବି କଞ୍ଚା ଅଛି,ଆଉ ସ୍ପର୍ଶ ଏବେ ବି ତାଜା ସମୟ ଏଠି ଏକ ଦୁର୍ଦ୍ଦାନ୍ତ ଅଶ୍ୱ ପରି ଧାଉଁଛି ଆଉ ଆମେ ସେଇ ଉଡ଼ନ୍ତା ଧୂଳି ଭିତରେ ଖୋଜୁଛୁ ପରିଚୟର ଗୋଟେ ସ୍ଥିର ବିନ୍ଦୁ। ଏଠି ସ୍ୱର ଅଛି, କୋଳାହଳ ଅଛି, ଆଉ ଅଛି ପ୍ରତି ମୂହୁର୍ତ୍ତକୁ ଜିତିବାର ଏକ ଜିଦ ଏହି ସ୍କେଚ୍‌ଟି କେବଳ ଏତିକି କହେ ଯାହା ଅଛି, ଏଇଠି ଅଛି, ଏଇ ମୂହୁର୍ତ୍ତରେ ଅଛି। ତୃତୀୟ ସ୍କେଚ୍: କୁହୁଡ଼ିଆ ପାହାନ୍ତି (ଭବିଷ୍ୟତ) ଏହି ଚିତ୍ରଟି ଏବେ ବି ଅଙ୍କା ହୋଇନାହିଁ, କେବଳ କିଛି କାଳ୍ପନିକ ଗାରର ଅସମାପ୍ତ ସମାହାର ସେଠି ଆଶାର ଆଲୁଅ ଅଛି ଆଉ ଆଶଙ୍କାର ଅନ୍ଧାର ବି, ଏହା ଏକ ଅଜଣା ବାଟର ମାନଚିତ୍ର ପରି ଯାହାକୁ ଦେଖିଲେ ଛାତି ଧଡ଼ଧଡ଼ ହୁଏ, ଆଉ ଆଖିରେ ନୂଆ ସ୍ୱପ୍ନର ଚମକ ବି ଖେଳେ ଏହି ସ୍କେଚ୍‌ଟି ଏକ ଅସମାପ୍ତ କବିତା, ଏକ ଅଭିସାର, ଏକ ମୁକ୍ତ...

ଫଗୁଣର ଫଗୁ ଓ ରଙ୍ଗର ମେଳଣ. srishti O shrasta

ଫଗୁଣର ଫଗୁ ଓ ରଙ୍ଗର ମେଳଣ ଫଗୁଣର  ମନ ମତ୍ତାଣିଆ ପବନରେ ଆଜି କେଉଁଠୁ ଗୋଟେ ମହକ ଭାସି ଆସୁଛି ବୋଧହୁଏ ପୁରୁଣା ବନ୍ଧୁତା ଆଉ ନୂଆ ଆତ୍ମୀୟତାର, ଆକାଶଟା ଆଜି ଗୋଲାପି ଦିଶୁଛି କୌଣସି ଶିଳ୍ପୀର ତୂଳୀ ପାଇଁ ନୁହେଁ ବରଂ ପବନରେ ଉଡୁଥିବା ମୁଠାଏ ଅବିର ପାଇଁ। ଆଜି କେହି ପଚାରୁ ନାହାନ୍ତି ତୁ କିଏ? କି ତୋ ଘର କେଉଁଠି? ରଙ୍ଗର ସ୍ତର ତଳେ ହଜିଯାଇଛି  ରାଗ, ରୁଷା ଆଉ ଅଭିମାନ, କେବଳ ବାକି ଅଛି... ଗୋଟିଏ ହସ, କାରଣ ସମସ୍ତଙ୍କ ମୁହଁରେ ଆଜି ଗୋଟିଏ ରଙ୍ଗ, ପ୍ରେମର ରଙ୍ଗ, ସୌହାର୍ଦ୍ଦ୍ୟର ରଙ୍ଗ। ସେଇ ଗାଁ ମୁଣ୍ଡ ମେଳଣ ପଡ଼ିଆ ହଜାରେ ଲୋକଙ୍କ କୋଳାହଳ, କାନ୍ଧରେ ବିମାନ ବୋହି ଚାଲିଥିବା ସେଇ ଶ୍ରଦ୍ଧା ଆଉ ଠାକୁରଙ୍କ ଝୁଲଣା ପାଖେ ଜଳୁଥିବା ସେଇ ଧୂପର ଧୂଆଁ। ବିମାନ କାନ୍ଧେଇ ଚାଲିଥିବା ସେଇ  ପାଦଗୁଡ଼ିକ ଥକୁ ନାହାନ୍ତି ଜମାରୁ ଘଣ୍ଟର ସେଇ ତାଳେ ତାଳେ ପ୍ରଭୁ ଝୁଲୁଛନ୍ତି  ଆଉ ଆମେ ଝୁଲୁଛୁ ଏକ ଅଜଣା ଆନନ୍ଦରେ। ମନର କୋଣରେ ଆଜି ବି ଅଛି ସେଇ ହରିଲୁଟ୍ ପାଇଁ ଲମ୍ବା ଧାଡ଼ି, ଆଉ ଅବିର ମୁଠାଏ ପବନକୁ ଫିଙ୍ଗି ଆକାଶକୁ ରଙ୍ଗୀନ କରିବାର ସେଇ ଅଦମ୍ୟ ଜିଦି। ଦୋଳ ଆସିଛି... ଜୀବନର ଧୂସର ପୃଷ୍ଠାରେ କିଛି ରଙ୍ଗ ଛିଞ୍ଚି ଦେବାକୁ, ମଣିଷ ସହ ମଣିଷର ମିଳନ ଧୂଳି ଆଉ ଅବିରର ଏକ ମଧୁର ସମ୍ପର୍କ ଗଢିବାକୁ, ରାଧାଙ୍କ ସ୍ମୃତିର ସେହି ନୀଳ ରଙ୍ଗ ହେଉ ବା କୃଷ୍ଣଙ୍କ ପ୍ରେମର ସେହି କଳା ମେଘ, ଆଜି ସବୁ ଏକାକାର... ଫଗୁଣର ଏଇ...

ଫଗୁଣର ଚିଠି ଛୁଟିଦିନ

ଫଗୁଣର ଚିଠି ଛୁଟିଦିନ  ମୃଦୁ ମଳୟର ଶୀତଳ ପରଶେ ପୁଲକିତ ଆଜି ଧରା, ଆମ୍ର ଉପବନେ ବଉଳ ମହକେ ମନ ହୁଏ ଆତ୍ମହରା । କୁହୁ କୁହୁ ରବେ କୋଇଲି ଗାଉଛି ମଧୁର ବସନ୍ତ ଗୀତ, ଝରା ପଲ୍ଲବର ସୁୁମଧୁର ରାଗେ ବିଦାୟ ନେଉଛି ଶୀତ । କୋଇଲିର ସେହି ପଞ୍ଚମ ସ୍ୱରରେ ମନ ଖୋଜେ କାହା ସ୍ମୃତି, ବସନ୍ତ ପବନେ ଭାସି ଆସେ ଧୀରେ ପ୍ରେମର ଅଭୁଲା ପ୍ରୀତି । ରସାଳ ମୁକୁଳ ସୁମଧୁର ଗନ୍ଧେ ମତ୍ତ ହୁଏ ଚଉଦିଗ, ଅଳି ଅଭିସାରେ କୁସୁମ କାନନେ ଖୋଜଇ ମଧୁର ଯୋଗ । ନବ କିଶଳୟ ହସେ ଡାଳେ ଡାଳେ ସବୁଜିମା ଭରେ କାୟା, ନିଦାଘ ପୂର୍ବରୁ ପ୍ରକୃତି ରଚଇ ଶୀତଳ ସ୍ନେହର ଛାୟା । ଫଗୁର ଚମକେ ରଙ୍ଗିନ୍‌ ଧରଣୀ ଅବିରର ଖେଳ ଚାଲେ, ନାଲି ପଳାଶର ଉଦ୍ଦାମ ନାଚରେ ଅଗ୍ନିର ଝଲକ ଖେଳେ । ଜାତି, ଅଭିମାନ ସବୁ ପାଶୋରିକି ଏକାକାର ହୁଏ ମନ, ଫଗୁଣର ଏହି ରଙ୍ଗ ସିଞ୍ଚନରେ ଉଲ୍ଲସିତ ତନୁମନ । ମହୁଲର ବାସ୍ନା, ଶିମୁଳିର ଶୋଭା ମନେ ଭରେ ଶିହରଣ, ଫଗୁଣ ଚିଠିରେ ଫୁଲର ଅକ୍ଷରେ ହୁଏ ତାର ଆଗମନ । ବଉଳ ଶେଯରେ ଶୋଇଛି ବସନ୍ତ ଫଗୁ-ରଙ୍ଗେ ଭିଜା କାୟା, ସାରା ଦୁନିଆକୁ ବାଣ୍ଟଇ ନିରତ ଅଫେରନ୍ତି ସ୍ନେହ ମାୟା । ପଳାଶ କିଂଶୁକ ରଙ୍ଗରେ ରଙ୍ଗିନ ସାଜିଛି ବନାନୀ ରାଣୀ, ପ୍ରକୃତି କୋଳରେ ଫଗୁଣ ଲେଖୁଛି ପ୍ରେମର ଏକ କାହାଣୀ । ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ 

ଅଗ୍ନିଶିଖା. prameya, samaja

ଅଗ୍ନିଶିଖା ମତେ ଅବଳା କହିବାର ସେଇ ପୁରୁଣା ଅଭ୍ୟାସଟା ଏବେ ବଦଳାଇ ଦିଅ, କାରଣ ମୋ ଆଖିରେ ଏବେ ଲୁହ ନୁହେଁ ଅଙ୍ଗାରର ନିଆଁ ଜଳୁଛି। ମୁଁ ସେଇ ଚଉକା-ଚୁଲିର ଧୂଆଁ ଭିତରେ  ହଜି ଯାଇଥିବା ନାଁ ନୁହେଁ, ମୁଁ ସେଇ ଲକ୍ଷ୍ମଣ ରେଖା, ଯାହାକୁ ତୁମେ ନୁହେଁ ମୁଁ ନିଜେ ନିଜ ପାଇଁ ଟାଣିଛି  ସମ୍ମାନ ରକ୍ଷା ପାଇଁ। ତୁମେ ମତେ ଶାଢ଼ିର କାନିରେ  ବାନ୍ଧିବାକୁ ଚେଷ୍ଟା କରୁଥିଲ କିନ୍ତୁ ଦେଖ... ସେଇ କାନି ଆଜି ପତାକା ସାଜି ଆକାଶ ଚୁମୁଛି। ତୁମର ଶାସନ, ତୁମର ଅନ୍ଧବିଶ୍ୱାସ, ତୁମର ସେଇ ସୀମାର ପାଚେରୀ ସବୁକୁ ମୁଁ ଆଜି ମୋ ପାଦର ନୂପୁର  ତାଳେ ତାଳେ ଚୂରମାର୍ କରିଛି। ମୁଁ କାହାର ଦୟାରେ ବଞ୍ଚିଥିବା ଛାଇ ନୁହେଁ, ମୁଁ ଜଣେ ମାଆ, ଜଣେ ଭଉଣୀ, ଜଣେ ପ୍ରେମିକା କିନ୍ତୁ ସବୁଠୁ ବଡ଼ କଥା, ମୁଁ ଜଣେ ମଣିଷ। ମୋର ବିପ୍ଳବ କାହା ବିରୁଦ୍ଧରେ ନୁହେଁ, ସେଇ ମାନସିକତା ବିରୁଦ୍ଧରେ ଯାହା ମନରେ ମିଛ କଳ୍ପନା ଥାଏ ନାରୀ କେବଳ ଏକ ସାଜସଜ୍ଜାର ବସ୍ତୁ। ମୁଁ ସେଇ ଆକାଶ.. ଯାହାର ପରିଧି ତୁମେ ମାପି ପାରିବନି, ମୁଁ ସେଇ ନିଆଁ...  ଯାହାକୁ ତୁମ ଶୃଙ୍ଖଳ ଅଟକାଇ ପାରିବନି।  ମୋ ମୌନତାକୁ ମୋର ଦୁର୍ବଳତା ଭାବନି ପ୍ରଳୟ ପୂର୍ବରୁ ସମୁଦ୍ର ଶାନ୍ତ ଥିବା ପରି ଏ ନିରବତା    ମୁଁ ଆଜି ଜାଗିଛି, ଆଉ ମୋର ଏଇ ଜାଗରଣ ହିଁ ତୁମର ଅହଂକାର ପାଇଁ ଶେଷ ଚେତାବନୀ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଅସମାହିତ ପ୍ରଶ୍ନ. Samadrusti

ଅସମାହିତ ପ୍ରଶ୍ନ ରକ୍ତର ପ୍ରତିଟି ବିନ୍ଦୁରେ ଯେତେବେଳେ  ପ୍ରତିଶୋଧର ନିଆଁ ଲାଗେ, ସେତେବେଳେ ଶବ୍ଦମାନେ ଆଉ  ଶାନ୍ତ ସୁଶୀଳ ହୋଇ ରହନ୍ତି ନାହିଁ କଲମ ମୁନରୁ ଝରିପଡ଼େ ଅଗ୍ନିସ୍ଫୁଲିଙ୍ଗ, ଆଉ କାଗଜର ଛାତି ଚିରି ଜନ୍ମ ନିଏ ବର୍ଷ ବର୍ଷର ଅସନ୍ତୋଷର ଏକ ନିଷ୍ଠୁର, ଶାଣିତ ସ୍ୱର। ତୁମେ ଚାହିଁଲେ ଶିକୁଳି ପିନ୍ଧାଇ ପାର  ମୋର ରକ୍ତ-ମାଂସର କାନ୍ଧରେ, କାରାଗାରର ଅନ୍ଧକାରରେ  ବନ୍ଦୀ କରିପାର ମୋର ଏ ଶରୀରକୁ କିନ୍ତୁ କହିଲ... ଶୂନ୍ୟରେ ଉଡ଼ୁଥିବା  ଚିନ୍ତାଧାରାକୁ କେବେ ବାନ୍ଧି ପାରିବ କି? ଇତିହାସର ଧୂଳିଧୂସରିତ ପୃଷ୍ଠା ଓଲଟାଇ ଦେଖ ଯେତେବେଳେ ବି ଶାସନର ପାଦ ଅହଂକାରରେ ଖସିଛି, ଅତ୍ୟାଚାରର ସୀମା ଯେତେବେଳେ ଆକାଶ ଛୁଇଁଛି, ସେତେବେଳେ ଜନ୍ମ ନେଇଛି  ଗୋଟେ ଅଜ୍ଞାତ, ଅଜେୟ ବିପ୍ଳବ। ମୋ ହାତରେ ହୁଏତ ଆଜି କୌଣସି ରଙ୍ଗର ପତାକା ନାହିଁ କିନ୍ତୁ ମୋ ଆଖିର କଳା ଡୋଳାରେ ଏକ ସ୍ପଷ୍ଟ ସପନ ଅଛି ଶୋଷଣର ସେଇ ସୁଉଚ୍ଚ କାନ୍ଥକୁ ଧୂଳିସାତ୍ କରିବାର, ଅନ୍ଧାରର ସାମ୍ରାଜ୍ୟକୁ ସତ୍ୟର ମଶାଲରେ  ଜଳାଇ ଛାରଖାର କରିବାର। ମୁଁ ଜାଣେ, ସଂଗ୍ରାମର ଏ ପଥ  ବଡ଼ ପଥୁରିଆ, ବଡ଼ ରକ୍ତାକ୍ତ, ହୁଏତ ଏଇ ପଥରେ ଚାଲୁ ଚାଲୁ  ମୋର ଅସ୍ତିତ୍ୱ ବି ମିଟି ଯାଇପାରେ କିନ୍ତୁ ମୁଁ ମରିଗଲେ ବି  ଏଇ ମାଟିର କିଛି ଯାଏ ଆସେ ନାହିଁ କାରଣ ବିପ୍ଳବ କେବେ ଜଣକର ସମ୍ପତ୍ତି ନୁହେଁ ଏହା ତ ଏକ ଅଣାୟତ୍ତ ଅଗ୍ନିଶ...

ଫଗୁଣର ମାୟାବିନୀ ରୂପ ସମାଜ

ଫଗୁଣର ମାୟାବିନୀ ରୂପ ସମାଜ ଋତୁଚକ୍ରର ସେ ରଙ୍ଗୀନ ପୃଷ୍ଠାରୁ ଧୀରେ ଓହ୍ଲାଇଲା କିଏ? ନିଷ୍ପ୍ରଭ ଶାଖାରେ ନୂତନ ସ୍ପନ୍ଦନ ଚୁପି ଚୁପି ଭରି ଦିଏ। ସିଏ ତ ଫଗୁଣ,ଅନୁରାଗ ଶିଳ୍ପୀ ରଙ୍ଗର ଜୁଆର ଭରା, ଧରଣୀର କାନେ ବସନ୍ତର ବାର୍ତ୍ତା,ମଳୟ ଦେଇଛି ଧରା। ଶୀତର ଶେଷ ସେ କୁହୁଡ଼ି ଚାଦର ତେଜିଲାଣି ଆଜି ଦେଶ, ପୁରୁଣା ପତ୍ରର ବିଦାୟ ବେଳାରେ ନୂଆ ପଲ୍ଲବର ବେଶ। ଶିମିଳି ରକ୍ତିମ,ପଳାଶର ନିଆଁ ବଣରେ ଲାଗିଛି ଆଜି, ବଉଳ ବାସ୍ନାରେ ମତୁଆଲା ମନ ଯାଉଛି ପ୍ରେମରେ ଭିଜି। ତମାଳ ବନରେ କୋଇଲିର ତାନ ଅତୀତର ସ୍ମୃତି ବୁଣେ, ଅକୁହା କଥାର ଅନ୍ତର ସଙ୍ଗୀତ କବିର ହୃଦୟ ଶୁଣେ। ଏ ଋତୁ କେବଳ ପ୍ରକୃତିର ନୁହେଁ ପ୍ରୀତିଝରା ଭାବାବେଗ, ପ୍ରୀତି ପଥେ ଚାଲେ ଅନୁରାଗୀ ମନ ତେଜି ସବୁ ହିଂସା,ରାଗ। ପଲ୍ଲବିତ ହୁଏ ଆଶା କଳିକା ଝରେ ପ୍ରେମ ମଧୁମଳୟ, ହୃଦୟ ଖୋଜେ ହୃଦୟଟିଏ ଆଉ ସ୍ପନ୍ଦନର ସମନ୍ୱୟ। କେଉଁଠି ଅବିର, କେଉଁଠି କୁଙ୍କୁମ ଆକାଶଟା ରଙ୍ଗମୟ, ଦୋଳର ବିମାନେ ଗୋବିନ୍ଦଙ୍କ ହସ କରେ ସବୁ ଦୁଃଖ କ୍ଷୟ। ରାଧା-କୃଷ୍ଣଙ୍କ ସେ ପ୍ରେମର ଯମୁନା ଉଛୁଳେ ଆଜି ବି ମନେ, ଫଗୁଣର ଧୂଳି ପବିତ୍ର ଲାଗଇ ଏଇ ସେହି ସଙ୍କୀର୍ତ୍ତନେ। ଫଗୁଣ ତ ଖାଲି ସମୟର ପାଳି ,ନୁହେଁ ଏକ କାଳଖଣ୍ଡ, ଜୀବନ ଜଳରେ ପ୍ରେମର କଇଁ ସେ ପ୍ରକୃତିର ମାନଦଣ୍ଡ। ଝରିଯାଉ ଧୂଳି, ରହିଯାଉ ରଙ୍ଗ ହୃଦୟର ସବୁ କୋଣେ, ଫଗୁଣ ଫେରିବ, ପ୍ରୀତି ଢାଳିଦେବ,ପ୍ରତିଟି ବ୍ୟଥିତ ପ୍ରାଣେ। ଏମିତି ଆସୁ ସେ ବାରମ୍ବ...

ଫଗୁଣର ଅଭିସାର

ଫଗୁଣର ଅଭିସାର ଆସିଛି ଫଗୁଣ ନେଇ ନିମନ୍ତ୍ରଣ        ମୃଦୁ ମଳୟର ସ୍ପର୍ଶେ, ଧରଣୀ ସାଜିଛି ରଙ୍ଗ ଅଭିସାର      ଅପୂର୍ବ ପୁଲକ ହର୍ଷେ। (୧) ଶାଳ୍ମଳୀ କେଶରେ ରକ୍ତ ବର୍ଣ୍ଣବିଭା           ପଳାଶର ରଙ୍ଗ ହସ, ମର୍ତ୍ତ୍ୟର ପ୍ରତିଟି ପ୍ରାଣେ ଭରିଦିଏ          ପ୍ରେମର ଅମୃତ ରସ। (୨) ନିଳିମା ଆକାଶେ ଅବିର କୁହେଳି         ପ୍ରୀତିର ସୁଅରେ ଭାସେ, ସଂକୀର୍ଣ୍ଣତା ସବୁ ପ୍ରାଚୀର ଲଙ୍ଘଇ        ସମ୍ପ୍ରୀତିର ନବ ଲାସ୍ୟେ। (୩) ରାଧା ମାଧବଙ୍କ ଦିବ୍ୟ ମିଳନରେ          ମୁରଲୀ ମୂର୍ଚ୍ଛନା ଝୁମେ, ଘୃଣା ଅନ୍ଧକାର ନିମିଷେ ବିଲୀନ      ପ୍ରେମ ଯେବେ ଧରା ଚୁମେ। (୪) ମନ ମଧୁପୁରେ ମୁର୍ଚ୍ଛିତ ମଳୟ     ଅମୃତର ଆଙ୍କେ ଚିତା, ସୁରଭିତ ହୁଏ ଅନ୍ତର କାନନ     ନିଶବ୍ଦେ ସୁମରେ ବାର୍ତ୍ତା।(୫)     ସଭିଏଁ ବୋଳନ୍ତି ସ୍ନେହର ଅବିର        ଉଲ୍ଲାସେ ଗାଆନ୍ତି ଗୀତ,  ଫଗୁଣ ରଙ୍ଗରେ ରଙ୍ଗିନ ହୁଅଇ       ନିଖିଳ ଧରାର ଚିତ୍ତ।(୬)        ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ 

ମୁଁ ନାରୀ ଜଗତଜିତା

ମୁଁ ନାରୀ ଜଗତଜିତା ସୃଷ୍ଟିର ଆଧାର ଶକ୍ତି ମୁଁ ଅଟଇ, ପ୍ରଣାମ କରେ ଏ ଧରା ମୁଁ ନାରୀ ଅଜେୟ ଜଗତଜିତା ଯେ, ଭରେ ମୁଁ ସ୍ୱପ୍ନର ଘରା। ପ୍ରଥମ ପାବଚ୍ଛେ ଜନନୀ ରୂପରେ, ସହି ମୁଁ ଅସହ୍ୟ ପୀଡ଼ା ସନ୍ତାନ ମୁଖରେ ହସ ଫୁଟାଇବା, ଅଟେ ମୋ ଜୀବନ କ୍ରୀଡ଼ା।(୧) ସ୍ନେହର ସରଣୀ ଭଗିନୀ ସାଜି ମୁଁ, ଭାଇର କପାଳେ ଟୀକା ସଂସ୍କାର ରକ୍ଷାରେ ପ୍ରଦୀପ ଶିଖା ମୁଁ, ହେବାକୁ ଦିଏନି ଏକା। ଧୈର୍ଯ୍ୟର ସାଗର ମୁହିଁ ତ ଅଟଇ, ହୃଦୟେ ଭରିଛି ପ୍ରୀତି ସମାଜ ଗଠନେ ନାରୀର ତ୍ୟାଗ ଯେ, ଅଲିଭା ସୁନାର ସ୍ମୃତି।(୨)  ଜାୟା ରୂପେ ମୁହିଁ ସଂସାର ବୋଝକୁ, କାନ୍ଧରେ ନିଏ ମୁଁ ବୋହି ଅର୍ଦ୍ଧାଙ୍ଗିନୀ ସାଜି ସୁଖ ଦୁଃଖ ସବୁ, ନିଏ ମୁଁ ଆପଣେଇ। ସେବା ଓ ଶ୍ରଦ୍ଧାର ମୂର୍ତ୍ତିମନ୍ତ ରୂପ, ଗୃହେ ମୁଁ ଲକ୍ଷ୍ମୀଙ୍କ କଳା ନିଷ୍ଠାର ସହିତ ସମର୍ପି ଦିଏ ମୁଁ, ଜୀବନର ସବୁ ବେଳା।(୩) ମମତା ବାରିଧି ବହିଯାଏ ସଦା, ମୋର ଏ କୋମଳ ଛାତି ପଥଭ୍ରଷ୍ଟ ଜନେ ପଥ ଦେଖାଇବା, ମୋର ତ ଜୀବନ ରୀତି । ଅନ୍ଧାର ଘରେ ମୁଁ ଆଲୋକର ଧାରା, ଦୁଃଖରେ ଶାନ୍ତିର ବାରି ଏହି ହାତେ ଗଢ଼ା ସୁନ୍ଦର ସମାଜ, କେହି ନୁହେଁ ମୋର ସରି।(୪) ସମୟ ପଡ଼ିଲେ ଶକ୍ତି ସ୍ୱରୂପିଣୀ, ଦୁର୍ଗା ମୁଁ ଚଣ୍ଡୀର ରୂପ ଅନ୍ୟାୟ ବିରୁଦ୍ଧେ ହୁଙ୍କାର ମୋହର, ଜାଳଇ ମୁଁ ଜ୍ଞାନ ଦୀପ। ନୁହେଁ ମୁଁ ଅବଳା ନୁହେଁ ମୁଁ ଦୁର୍ବଳା, ସାହସ ମୋ ଅଳଙ୍କାର ମୋହରି ପାଦର ପାହୁଲ ଚିହ୍ନରେ, ବଦଳେ ଯେ ଏ ସଂସାର।(୫) ଶିକ୍ଷା ଓ ସମ୍ମାନ ନାରୀ ଅଧ...

ଅର୍ଘ୍ୟ ନୁହେଁ,ଅଧିକାର* janabadi

*ଅର୍ଘ୍ୟ ନୁହେଁ,ଅଧିକାର* ମୁଁ ଦେବୀ ନୁହେଁ, ମୁଁ ବି ତୁମ ପରି ମଣିଷ ମୋତେ ରଖ ନାହିଁ ଉଚ୍ଚ ସିଂହାସନରେ ସେଠି ଶ୍ୱାସ ନେବା ମୋ ପାଇଁ କଷ୍ଟ ଦେବୀତ୍ୱର ଭାର ତଳେ ଲୁଚି ଯାଏ ମୋର ମଣିଷପଣ, ମୋର ସବୁ ଧୈର୍ଯ୍ୟ  ଯେତେବେଳେ ମୁଁ ହସେ, ସେ ଖୁସି ସତ ଯେତେବେଳେ କାନ୍ଦେ, ଲୁହ ବି ସେତିକି ସତ ମୋ ଭିତରେ ଅଛି ଭୋକ, ଅଛି ଜଞ୍ଜାଳ ଅଛି ରାଗ ଓ ଅଭିମାନ। ମୋତେ ଖାଲି ସହିଯିବାର ଶିକ୍ଷା ଦିଅ ନାହିଁ ମୋର ବି କଥା ଅଛି, ଯାହା ମୁଁ କହିବାକୁ ଚାହେଁ  ମୋର ବି ଅଛି କ୍ଳାନ୍ତି,ମୋର ବି ଅଛି ମନ ବଂଚିବାର ଅଭିଳାଷା  ମୋତେ ବୁଝ ନାହିଁ କେବଳ ଏକ କାଳ୍ପନିକ ଶକ୍ତି ବା ଉପଭୋଗର ଖେଳଣା ମୁଁ ତ ତୁମ ସହିତ ଚାଲୁଥିବା ଏକ ପଥ। ବେତାଳ ପରି ମୋ କାନ୍ଧରେ  ଝୁଲେଇଦିଅ ନାହିଁ ସଂସାରର ସବୁ ବୋଝ ହଜାରେ ଭଙ୍ଗା ସ୍ୱପ୍ନ ଯୋଡ଼ି ଜୀବନ ବଞ୍ଚିଛି ସହାନୁଭୂତି ନୁହେଁ, ମୁଁ ଖୋଜୁଛି ସମାନତା ମୁଁ ମା' ହୋଇ ସୃଷ୍ଟି କରେ ମୁଁ ଶିକ୍ଷକ ହୋଇ ବାଟ ଦେଖାଏ ମୁଁ ସାଥୀ ହୋଇ ପ୍ରେରଣା ଦିଏ ମୁଁ ଜନନୀ, ମୁଁ ଜନିତା, ମୁଁ ସୃଷ୍ଟିର ଆଧାର ମୋ ଛାତିରେ ଭରି ରହିଛି ଶକ୍ତିର ଭଣ୍ଡାର ଦୁର୍ବଳ କହୁଥିବା ଏ ଦୁନିଆ ଆଗରେ ମୁଁ ନାରୀ, ମୋ ହୃଦ ଫାଟି ଉଠୁଛି ଉଚ୍ଚ ସ୍ୱରରେ। ଜାଳିବାକୁ ଆସ ନାହିଁ ମୋ ଦେହର ସୌନ୍ଦର୍ଯ୍ୟକୁ କବର ଦେବାକୁ ଚେଷ୍ଟା କରନା ମୋ ବୁଦ୍ଧିମତ୍ତାକୁ ଘରେ ,ବାହାରେ,କର୍ମକ୍ଷେତ୍ରର ସିଂହାସନରେ ସମ୍ମାନ ସହ ମୁଣ୍ଡ ଟେକି ବଞ୍ଚିବା ମୋ ଅଧି...

*ନିଶବ୍ଦ ଅଭିସାର* Krantidhara

*ନିଶବ୍ଦ ଅଭିସାର* ମୁଁ ଯଦି ହଜିଯାଏ ସକାଳର କୁହୁଡ଼ିରେ ତୁମେ ଖୋଜିବନି ଜମା ମୁଁ ମିଳେଇ ଯାଇଥିବି ସେଇ ଶୂନ୍ୟ ଆଭ୍ୟନ୍ତରରେ ମୁଁ ସେତେବେଳେ ହୁଏତ ଗୋଟେ ଧଳା କାଗଜ ପାଲଟି ଯାଇଥିବି ଯେଉଁଥିରେ ସୂର୍ଯ୍ୟର କଅଁଳ କିରଣ ଅଳ୍ପ ଅଳ୍ପ କରି ନିଜର ଚିଠି ଲେଖୁଥିବ ସେଠି ସମୟର ସ୍ରୋତ ଥିବ ସ୍ଥିର ଆଉ ଅନୁଭୂତି ସବୁ ଶବ୍ଦହୀନ। ତୁମେ ଖୋଜିବନି ମୋତେ ସେଇ ପରିଚିତ କାନ୍ଥ ଭିତରେ କିମ୍ବା ସେଇ ଭିଡ଼ ଜମିଥିବା ସହରର କୋଳାହଳରେ ମୁଁ ସେତେବେଳେ ହୁଏତ ସାଉଁଟୁଥିବି ନିଜ ଭିତରେ ରହି ଯାଇଥିବା କିଛି ଅଧାଗଢ଼ା ସ୍ୱପ୍ନ ଯାହା ଏଇ କୁହୁଡ଼ି ପରି ଝାପ୍ସା ଆଉ ମୃଗତୃଷ୍ଣା ପରି ଛଳନାମୟୀ । ମୁଁ ଶୁଣୁଥିବି ପକ୍ଷୀଙ୍କ ଡେଣାର ଶବ୍ଦ ଆଉ ଦେଖୁଥିବି ଗଛମାନେ କେମିତି କୁହୁଡ଼ିର ଚାଦର ଘୋଡ଼େଇ ହୋଇ ଶୋଇଛନ୍ତି ଏଇ ଶୀତୁଆ ପବନରେ ଯେତେବେଳେ ମୋ ଅସ୍ତିତ୍ୱ ଧୀରେ ଧୀରେ ତରଳି ଯିବ ତୁମେ ଭାବିନେବ ମୁଁ ଏକ ମୁକ୍ତ ପକ୍ଷୀ ଯିଏ ଦିଗବଳୟର ଶେଷ ସୀମା ଖୋଜୁଛି, କୁହୁଡ଼ିର ସେଇ ଧଳା ପରଦା ପଛରେ ହସ-ଲୁହର ସବୁ ହିସାବ ସରିଥିବ, ଏକ ଗଭୀର ଆତ୍ମୀୟତାରେ ନିଜ ସହିତ ନିଜକୁ ସଜାଉଥିବି ଭଗ୍ନ ଭାର ନେଇ। ଅରୁଣଙ୍କର ରକ୍ତିମ ଆଭା ଯେବେ ଧରାରେ ପଡ଼ିବ ତୁମେ ଖୋଜିବନି ମୋତେ କୌଣସି ପ୍ରଶ୍ନର ଉତ୍ତରରେ, ମୁଁ ସେତେବେଳେ ନିଜେ ଏକ ନୀରବ କବିତା ପାଲଟିଥିବି ମୁଁ ଶିଶିର ହୋଇ ଘାସ ଉପରେ ଲୁଚିଥିବି, ବାଷ୍ପ ହୋଇ ଆକାଶର ନୀଳିମାରେ ହଜିଥିବି, ସେଇ ରୂପେଲି କୁହୁଡ଼ି ଯେବେ ମୋତେ ଆଲ...

ପ୍ରକୃତି...ପାଞ୍ଚୋଟି ସ୍କେଚ୍ pratisruti

ପ୍ରକୃତି...ପାଞ୍ଚୋଟି ସ୍କେଚ୍ ୧... ମୋ ପିଲାବେଳେ ଦେଖିଥିଲି ସବୁଜ କ୍ଷେତ,ବନ,ପାହାଡ଼ ପ୍ରକୃତିର ମନୋରମ ଛାଇ ତା'ର ପ୍ରୀତି ରେଣୁରଙ୍ଗ, ତା ରୂପ ମାଧୁରୀରୁ ମୁଠାଏ ଇନ୍ଦ୍ରଧନୁ ଛିଟା ଆଙ୍କି ହୋଇ ଯାଇଥିଲା  ମୋ ସାଧା କାନଭାସ୍ ରେ, ପ୍ରତୀଚୀ ଗଗନେ ସନ୍ଧ୍ୟା ରାଣୀର ଗୋଲାପି ବାସରେ ପ୍ରକୃତିର ଅପୂର୍ବ ମିଳନ କୁଞ୍ଜ କୁଞ୍ଜ ନା ନା ବିଧ ପୁଷ୍ପର ସଂଭାର,କୈରବିଣୀ ରୂପ ବର୍ଣ୍ଣାଳୀ, ସୁଲଭ ମନ କୁ କରୁଥିଲା ରସବନ୍ତ। ୨.... ଆଉଥରେ ପ୍ରକୃତି ସହ ଭେଟ ହେଇଥିଲା ମୋ କଲେଜର ହତା ଭିତରେ ଯେତେବେଳେ ତୀବ୍ର ହେଲା ମନୁଷ୍ୟର ଗତି, ପ୍ରକୃତିର ସବୁଜିମା ସମୃଦ୍ଧି ର ମୃଗତୃଷ୍ଣାରେ,ସମ୍ଭ୍ରାନ୍ତ ଙ୍କ ଦୂଷିତ ରକ୍ତରେ ପାଲଟିଗଲା ମରୁଭୂମି, ଗେରୁଆ ମାଟିରେ ଲମ୍ବିଗଲା କଙ୍କ୍ରିଟ ରାସ୍ତା  ରସାୟନ ରେ ବନ୍ଧା, ପ୍ଲାଷ୍ଟିକ ରେ ଛନ୍ଦା ଅନ୍ଧା ନିୟମ କଲା ବାୟୁ ପ୍ରଦୂଷଣ, ପଞ୍ଚଭୂତ ରେ ମିଶ୍ରଣ ହେଲା ବିଷାକ୍ତ ଦୁର୍ଗନ୍ଧ, ଜାନ୍ତ୍ରିକ ଦସ୍ୟୁ ମଦ ମାତ୍ସର୍ଯ୍ୟ ରେ ମସଗୁଲ ହୋଇ ଫାର୍ସା,ଟାଙ୍ଗିଆ ଧରି ତୁହାକୁ ତୁହା ଧର୍ଷୁଥିଲେ ପ୍ରକୃତି ମାଁ କୁ ତା'ର ସାବଜାପତ୍ର ଶେଯରେ କଣ୍ଟକିତ ଚେତନାର ମହାସଂଗ୍ରାମ ସମୟର ଅଙ୍ଗାର ସୁଅରେ ଦେଉଥିଲା ଅଗ୍ନି ପରୀକ୍ଷା ଗଢ଼ିବାକୁ ନୂଆ ଏକ ପଲ୍ଲବିତ ପ୍ରକୃତି। ୩... ଆଉଥରେ ଅଚାନକ୍ ଦେଖାହେଲା ପ୍ରକୃତି ସହ ୧୯୯୯ ମହାବାତ୍ୟା ପରେ.. ଯୌବନଗତା ପ୍ରକୃତି ଥିଲା ଶ୍ରୀହୀନା ମାଳ ମାଳ ଶବ ଢେ଼ଉରେ ଲଙ୍ଗଳା ଶିଶୁ ଦ...