ବର୍ଷା:-- ଏକ ଅସରନ୍ତି କୋହ
ଯେତେବେଳେ ମୋର ସମସ୍ତ ସ୍ମୃତିକୁ ଯୁଇରେ
ଥାକ ଥାକ କରି ସଜେଇ ଦେଲି
ହଠାତ୍ ଆକାଶ ଆଖିରୁ ଝରିଗଲା ଅସରାଏ ଲୁହ
ସମସ୍ତେ କହିଲେ ବର୍ଷା ବୋଲି
ସେମାନେ କ'ଣ ଜାଣିଥିବେ
ଏହା ମୋ ଛାତିର
ଅସରନ୍ତି ପୁଞ୍ଜିଭୂତ କୋହ ର
ବହଳ ଧୂଆଁ ପାଲଟିଛି ଜଳାର୍ଣ୍ଣବ।
ମୋର ମନସ୍କାମନା ଥାକରୁ
ଭୂଇଁ ରେ କଚାଡି ହୋଇ
ଯେତେବେଳେ ଭିଜିଯାଏ ଲୁହର ସମୁଦ୍ରରେ
ଆକାଶ ଖୋଜେ ମୌନତା
ସତରେ...
ବର୍ଷା ର ଶୀତଳତା ପରଖୁ ପରଖୁ
ମୁଁ ପରଖି ନେଲି ତା'ର ଉଷ୍ଣତା
ଆଦିମ କାଳରୁ ଧୀରେ ଧୀରେ
ବଦଳୁ ଥିଲା ତାର ରଙ୍ଗ ଢ଼ଙ୍ଗ ଆକାର ପ୍ରକାର
ପୁରାତନ ଶୁଖିଲା ନଦୀ କୁ କଲା ଗର୍ଭବତୀ
ଭିଜି ବାର ଚେଷ୍ଟା ରେ ଉଖୁରି ଉଠିଲା ସ୍ମୃତି ସବୁ
ସେଇ ବର୍ଷା ରେ ନା ଅଛି ମାଦକତା ,
ନା ଅଛି ମହ୍ଲାର
ଅଛି ଖାଲି ଚାପି ହୋଇ ସଢୁଥିବା
ଆତ୍ମାର ହା ହାକାର
ନିର୍ଜୀବ ଆଗ୍ନେୟ ଶିଳାରେ
ପରାହତ ଆତ୍ମ ଚରିତ୍ରର,
ଏତ ଶ୍ରାବଣୀ ର ଧାରା ନୁହଁ ,
ନିର୍ଜନତାର ସାଥୀ ଟିଏ,
ଅସମୟରେ ବହିଯାଏ
ତା'ର ପରଶରେ ହାଲ୍କା ହୁଏ ମନ
ବିଷାଦ ବେଳା ରେ ସାଜେ ମହୌଷଧି
ହେ ବର୍ଷା ....
ତୁମେ ସତ୍ୟ ହୁଅ କି ଅସତ୍ୟ
ମଝିରେ ମଝିରେ ବର୍ଷିଯାଅ ମୋ ଅଗଣାରେ
ସେଇ ସ୍ପର୍ଶ ରେ ଥାଉ
ଖୁସିର ଲହର , ପ୍ରେମ ର ମାଦକତା
ଇନ୍ଦ୍ରଧନୁର ପ୍ରତ୍ୟେକ ରଙ୍ଗର ଚଢ଼େଇରେ
ଭରିଯାଉ ଆମ ସଙ୍ଗୀତର ନଦୀ
ସେଇ ମନର ବାୟା ନଦୀ
ଦେଖୁଥାଉ ନିଷ୍କଳଙ୍କ ବର୍ତ୍ତମାନ।
Comments
Post a Comment