(ଆଶ୍ବସ୍ତି)
ସତ କହିଲ ତୁମେ ମୋ ବିନା କ'ଣ ବଞ୍ଚି ପାରିବ?
କାଇଁ କିଛି ସେମିତି ତ ଉଷ୍ଣ ମାଦକତା ଅନୁଭବ କରି ପାରୁନି,
ଆମର ଏ ଅଧା ପ୍ରେମର ମିଛ କାହାଣୀ
ଅଲିଭା ସ୍ମୃତି ହୋଇ ରହିଯିବ କେବଳ ତୁମରି ପାଇଁ,
ମୁଁ ମାୟାର ରଙ୍ଗୀନ ଚଷମା ପିନ୍ଧି ଥିଲି,
ସବୁ ସିନେମା ପରି ରଙ୍ଗମୟ ଲାଗୁଥିଲା,
ତୁମେ କିନ୍ତୁ ଖେଳୁଥିଲ କପଟର ଖେଳ
ଦିନରେ ଜହ୍ନ,ତାରା ଦେଖାଇ।
ମୋ ଅନ୍ତହୀନ ବିଶ୍ବାସରେ ବିଷ ଭରୁଥିଲ,
ମୁଁ କିନ୍ତୁ ତୁମ ମିଛ ପ୍ରେମ ବର୍ଷାରେ ଭିଜି ଯାଉଥିଲି,
ମୋ ପ୍ରେମର ଅମରାବତୀ ରେ ଦୀପ ଜାଳୁଥିଲି,
ତୁମେ ଯୁଇ ସଜାଡୁଥିଲ ମୋରି ପାଇଁ।
ମୁଁ ଗଲାପରେ ମୋ କବିତାକୁ ରାତିସାରା ପଢୁଥିବ,
ଦେଖିବ ବାଡିଆଡ ମନ୍ଦାର ଗଛ ଟା ମୁହଁ ଶୁଖେଇ ଥିବ,
ତୁଳସୀ ଚଉରା ର ବିଷର୍ଣ୍ଣ ମୁଖରୁ ଦେଖି ପାରିବ ମୋ ପ୍ରତିବିମ୍ବ,
ଶୀତ ରାତି ପାହାନ୍ତି ପ୍ରହର ରେ ଅନୁଭବ କରି ପାରିବ ମୋର ଅସ୍ତିତ୍ବ,
ବର୍ଷା ଭିଜା ରାତିରେ ତୁମେ ବିରହରେ ଜଳୁଥିବ
ମୁଁ ଆଶ୍ବସ୍ତିରେ ହସୁଥିବି।
ମୋ ନିଷ୍କପଟ ନିରିମାଖୀ ହୃଦୟର ଅକୁହା ଭାଷା ବେଶ୍ ହୃଦୟଙ୍ଗମ କରି ପାରିବ
ତୁମ କୁଢ଼ କୁଢ଼ ପ୍ରତାରଣାରେ ମୁଁ ଯେମିତି ଜଳୁଥିଲି
ତୁମ ନିଃସଙ୍ଗ ଜୀବନରେ ଠିକ୍ ବୁଝିପାରିବ ବିରହ ବେଦନା
ମୋ ସ୍ମୃତି ର ଧୂଆଁ ରେ ତୁମେ ଧୂସର ହୋଇ ଯାଇଥିବ
ମୁଁ ଚାହିଁ ଥିବି ଦୂର ଅନ୍ତରୀକ୍ଷ ରୁ ଏକ ଜ୍ୱଳନ୍ତ ତାରା ଟିଏ ହୋଇ।
ମିନାକ୍ଷୀ ଦ୍ବିବେଦୀ
ନିଉ ଦିଲ୍ଲୀ
7978082834
Comments
Post a Comment