*ଠିକଣା*
ମଳୟର ପ୍ରଳୟ ନିଃଶ୍ୱାସ ରେ
ଆଜି ସେ ଅନ୍ତଃସତ୍ତ୍ବା
ବର୍ଷା ର କଳା ମନ୍ତ୍ର ରେ ରୋମାଞ୍ଚିତା
ଛାତିର ସ୍ପନ୍ଦନ ମାଇଲ ଗତିର ବେଗ,
ମୁହୂର୍ତ୍ତକରେ ମନ ସାଜୁଥିଲା ବେପଥୁ
କ୍ଳାନ୍ତ ପାଦ ଦିଓଟି ହେଲା ଦିଗହରା
ଶିକାରୁ ନିଗିଡି ଗଲା ସବୁ ରକ୍ତଦୁଃଖ
ଅନ୍ଧାରି ଜୀବନରେ ଜାଳି ଦେଇଥିଲା ସମଗ୍ର ଆୟୁଷ,
ସ୍ନେହାଶୀଳ ନିର୍ମମ ବଂଶୀସ୍ବରେ ଥିଲା ବଙ୍କିମ ଉପହାସ
ଛାତିରୁ ଶୁଭୁଥିଲା ତାର ଶୋଣିତ ଅରୁଣ ବ୍ୟଥା
ତା ମୁଦ୍ରିତ ଚକ୍ଷୁରେ ଗୁମୁରୁ ଥିଲା ନିର୍ଜନତା
ଦେବୀ ଟିଏ ହବାର ଚେଷ୍ଟା ନ ଥିଲା
ନଥିଲା ବିଳାସ ବାସର ରାତ୍ରୀ
ପୁଙ୍ଗୁଳା ଆଲୁଅରେ ଚାହୁଁଥିଲା ଶାଶ୍ବତ ପ୍ରଣୟର ସୁହାସ ଚୁମ୍ବନ,
ଘନ କଳା ବଉଦରୁ ଖୋଜୁଥିଲା ଆଞ୍ଜୁଳାଏ ଫୁଲର ସୁରଭି
ବିହ୍ବଳ ମନରେ ଥିଲା ବୁଢିଆଣୀ ଜାଲ ପରି ଅଗଣିତ ଅଛିଣ୍ଡା ପ୍ରଶ୍ନ
ନା ହେଲା ଦେବୀ ନା ହେଲା ମାନବୀ,
ଆଜି ସେ ପରିତ୍ୟକ୍ତା ଅନ୍ତହୀନ ଯାତ୍ରା ର,
ତା ଆଶା ଓ ବିଶ୍ବାସ ର,
ଗ୍ଲେୟ ମନରେ ଲେଖିଦେଲା ଜୀବନ ଜନନୀ ପତ୍ରିକା,
ଅକ୍ଷୌହଣୀ ବିନିଦ୍ର ନିଶିରେ
ପ୍ରାପ୍ତି ଆଉ ଅପ୍ରାପ୍ତିର ତରାଜୁରେ ବାଛିନେଲା ସମାଧିସ୍ଥ ଆତ୍ମା ର ଉଚିତ୍ ଠିକଣା
ଭରିଦେଇ ଲୁହର ପାଉଣା।
Comments
Post a Comment