“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”
ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ ବିନାଶ କରିବା” ଏହା ଥିଲା ବିଶ୍ନୋଇମାନଙ୍କର ଧର୍ମୀୟ ମନ୍ତ୍ର। ସେହି ସଂସ୍କାରରେ ଉପଚାରିତ ଥିଲେ ଅମୃତା ଦେବୀ।
ଅମୃତା ଦେବୀଙ୍କଠାରୁ ହିଁ ପ୍ରଥମ କରି ବୃକ୍ଷ ବଞ୍ଚାଇବା ଲାଗଇ ଚିପ୍କୋ ଆନ୍ଦୋଳନର ଆରମ୍ଭ ହେଲା । ଇତିହାସ ଅନୁସାରେ ୧୭୩୦ ମସିହାର ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମ ଦିନ (ମଙ୍ଗଳବାର) ଦିନ ଅମୃତା ଦେବୀ ନିଜ ଘରେ ଥିବା ବେଳେ କିଛି କୋଳାହଳ ଶୁଣିଲେ । ସେ ଜାଣିବାକୁ ପାଇଲେ ଯେ ପ୍ରକୃତରେ ମାରୱାଡ୍ (ଯୋଧପୁର)ର ଶାସକ ମହାରାଜ ଅଭୟ ସିଂହଙ୍କ ଲୋକ ଗ୍ରାମର ଖେଜ୍ରି ଗଛ କାଟିନେବା ଲାଗି ଆସିଛନ୍ତି । ରାଜାଙ୍କ ନୂଆ ପ୍ରାସାଦ ତିଆରି ଲାଗି ଚୂନ ପୋଡିବା ଲାଗି ଗଛଗୁଡ଼ିକ ଜାଳ ହୋଇଥାନ୍ତା । ଥର୍ ମରୁଭୂମି ପରି ଥୁଣ୍ଟା ଅଞ୍ଚଳରେ ଖେଜାର୍ଲି ଗ୍ରାମରେ ଏତେ ସଂଖ୍ୟକ ବୃକ୍ଷ ଥିବାରୁ ରାଜାଙ୍କ ଲୋକ ସେଠାକୁ ଆସିଥିଲେ ।
ଅମ୍ରିତା ଦେବୀ ସେଥିରେ ପ୍ରଥମେ ଆଗକୁ ଆସିଲେ। ସେ କହିଥିଲେ—
“ରୁଖ ସାଣେହ୍ରେ, ସାର ସାଣେହ୍ରେ; ରୁଖ କାଟେ, ସେ ସାଣେହ୍ରେ।”
(ଅର୍ଥ— “ଗଛ କାଟିବାକୁ ହେଲେ, ପ୍ରଥମେ ମୋର ମୁଣ୍ଡ କାଟ, କିନ୍ତୁ ଗଛକୁ ବଞ୍ଚାଇ ଦିଅ।”)
ଏପରି କହି ସେ ଗଛକୁ କାଟିବାରୁ ରୋକିବା ଲାଗି ଗୋଟିଏ ଗଛକୁ କୁଣ୍ଢାଇ ଧରିଲେ । ଏଇଠୁ ହିଁ ’ଚିପ୍କୋ’ ଶବ୍ଦର ଉତ୍ପତ୍ତି । ଗଛ କାଟିବା ପୂର୍ବରୁ ତାଙ୍କ ମୁଣ୍ଡ କାଟିବାକୁ ହେବ ବୋଲି ସେ ଦାବୀ କଲେ । ଆଶା କରିଥିଲେ ଏହାଦ୍ୱାରା ରାଜାଙ୍କ ସେବକମାନେ ନିବୃତ୍ତ ହେବେ, କିନ୍ତୁ ସେ ନିଷ୍ଠୁର ଲୋକଙ୍କ କୁରାଢୀ ଚୋଟରେ ଅମୃତା ଦେବୀଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା ହୋଇଗଲା । ନିଜ ମାଆଙ୍କ ପଦାନୁସରଣରେ ତାଙ୍କ ତିନି ଝିଅ ଆସୁ, ରତ୍ନୀ ଏବଂ ଭାଗୁ ମଧ୍ୟ ପ୍ରାଣ ହରାଇଥିଲେ।।
ଅମୃତା ଦେବୀଙ୍କ ବଳିଦାନ କଥା ବିଜୁଳି ବେଗରେ ଆଖପାଖ ଗାଁକୁ ଖେଳି ଗଲା । ସେ ଗାଁ ଛଡା ଆଉ ୮୩ଟି ବିଶ୍ନୋଈ ଗାଁର ଲୋକେ ଏକାଠି ହେଲେ । ଚାରିଟି ଜୀବନର ବଳିଦାନ ପରେ ବି ଗଛକଟା ଚାଲୁ ରହିଥିବାରୁ ନିଷ୍ପତ୍ତି ନିଆଗଲା ଯେ ସେମାନେ ମଧ୍ୟ ଅମୃତା ଦେବୀଙ୍କ ଭଳି ଗଛକୁ କୁଣ୍ଢାଇ ଧରିବେ । ଗୋଟିଏ ଗଛ ପିଛା ଜଣେ ବିଶ୍ନୋଈ ପ୍ରାଣ ଦେବ ।
ପ୍ରଥମେ ପ୍ରଥମେ ବୁଢ଼ା ଲୋକମାନେ ସ୍ୱେଚ୍ଛାରେ ନିଜର ଜୀବନ ଦେଲେ, କିନ୍ତୁ ଫଳାଫଳ କିଛି ହେଲାନାହିଁ । ବରଂ ରାଜାଙ୍କ ଗୋଷ୍ଠୀର ମୁଖିଆ ’ହାକିମ’ ଓଲଟି କହିଲେ ଯେ ବୁଢ଼ାମାନଙ୍କୁ ବଳି ଦେଇ ବିଶ୍ନୋଇ ମାନେ ନିଜ ନିଜ ବୃଦ୍ଧଙ୍କ ଭାର କମେଇ ଦଉଛନ୍ତି । ପରେପରେ ଯୁବକ, ଯୁବତୀ ଏପରିକି ବାଳୁତ ପିଲାମାନେ ମଧ୍ୟ ନିଜର ଜୀବନ ଦେଲେ । ଏପରି ମାତ୍ରାରେ ଗଣହତ୍ୟା ହେଲା ଯେ ଶେଷକୁ ରାଜାଙ୍କ ଲୋକଙ୍କୁ ନିଜ କାମ ରୋକି ଯୋଧପୁର ଫେରିଯିବାକୁ ହେଲା । ସେଯାଏ ସର୍ବମୋଟ ୩୬୩ ଜଣ ବିଶ୍ନୋଇ ବୃକ୍ଷର ସୁରକ୍ଷା ଲାଗି ଶହୀଦ୍ ହୋଇଥିଲେ । ଏହା ଶୁଣିବା ପରେ ମହାରାଜ ଆଉ ଗଛକଟା ବନ୍ଦ କରିବା ଲାଗି ଆଦେଶ ଦେଲେ ।୧୯୮୩ ମସିହାରେ, ରାଜସ୍ଥାନ ସରକାର ଖେଜାଡି ଗଛକୁ ଏକ ରାଜକୀୟ ଗଛ ଘୋଷଣା କରିଥିଲେ।
ଅମ୍ରିତା ଦେବୀ ବିଶ୍ନୋଇଙ୍କ କାହାଣୀ ଆଜିର ପିଢ଼ୀକୁ ଏକ ଗଭୀର ସନ୍ଦେଶ ଦେଇଥାଏ— “ପ୍ରକୃତି ବିନା ମାନବ ଜୀବନ ଅସ୍ତିତ୍ୱ ହୀନ।” ସେମାନଙ୍କ ବଳିଦାନ କେବଳ ଏକ ଐତିହାସିକ ଘଟଣା ନୁହେଁ, ବରଂ ଆମ ସମାଜକୁ ପ୍ରକୃତି ପ୍ରେମୀ ହେବାର ପ୍ରେରଣା ଦେଉଛି। ଏହା ହେଉଛି ଏକ ଜୀବନ୍ତ କବିତା,
ଯେଉଁଠି ଗଛ ହେଲା ପ୍ରେମିକ, ପ୍ରକୃତି ହେଲା ପତି,
ଓ ନାରୀର ପ୍ରେମ-ବଳିଦାନ ହେଲା ଅମର ଗାଥା।
ତାଙ୍କ ଶରୀର ମାଟିରେ ବିଲୀନ ହେଲା, କିନ୍ତୁ ତାଙ୍କର ସ୍ବର “ଗଛକୁ ବଞ୍ଚାଅ” ଆଜି ପର୍ଯ୍ୟନ୍ତ ପ୍ରକୃତିର ପବନରେ ଝଙ୍କାରିତ।
ଅମୃତା ଦେବୀଙ୍କ ବଳିଦାନକୁ ପରେ ଚିପକୋ ଆନ୍ଦୋଳନ (୧୯୭୦ ଦଶକ)ରେ ପ୍ରେରଣା ଭାବେ ମାନାଗଲା।
ପ୍ରତିବର୍ଷ ୧୧ ସେପ୍ଟେମ୍ବରରେ ଭାରତରେ "ଅମୃତା ଦେବୀ ବିଶ୍ନୋଇ" ଦିବସ ପାଳନ କରାଯାଏ।
ପରିବେଶ ସୁରକ୍ଷା ଓ ବନ୍ୟପ୍ରାଣୀଙ୍କ ସଂରକ୍ଷଣର ବିଶେଷ ଅବଦାନ ପାଇଁ ଭାରତ ସରକାର "ଅମୃତା ଦେବୀ ବିଶ୍ନୋଇ" ପୁରସ୍କାର ଆରମ୍ଭ କରିଛନ୍ତି ।
ଅମୃତା ଦେବୀ ବିଶ୍ନୋଇଙ୍କ ବଳିଦାନ ମାନବ ଇତିହାସରେ ଏକ ଅମର ଅଧ୍ୟାୟ।ସେ କେବଳ ଗଛ ରକ୍ଷା କରିଥିଲେ ନୁହେଁ, ମାନବ ଓ ପ୍ରକୃତିର ଅଭିନ୍ନ ସମ୍ବନ୍ଧକୁ ନିଜ ଜୀବନ ଦେଇ ସ୍ଥାପନ କଲେ। ଆଜି ଯେତେବେଳେ ଆମ ଆଖପାଖର ଜଙ୍ଗଲ କଟାଯାଉଛି, ନଦୀ ଶୁଷ୍କ ହେଉଛି ଓ ପ୍ରକୃତି କ୍ରନ୍ଦନ କରୁଛି।
ଚାରିଆଡେ ଦୂଷିତ ବାୟୁର ପ୍ରବାହ ବଢ଼ି ଚାଲିଛି। ପରିବେଶର ଅସନ୍ତୁଳନ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ବରେ ତାପମାନର ବୃଦ୍ଧି ହେଉଛି।ଭୂସ୍ଖଳନ (Landslides) ହେବାର ସମ୍ଭାବନା ବଢ଼ିଯାଉଛି। ଗଛ କାଟିବା ଦ୍ୱାରା ଜୀବବିବିଧତା ମଧ୍ୟ ହ୍ରାସ ପାଇବାରେ ଲାଗିଛନ୍ତି। ଜଳ ଚକ୍ରରେ ବ୍ୟାଘାତ ଘଟି ପ୍ରାକୃତିକ ଦୁର୍ବିପାକ ଆହୁରି ବଢ଼ି ଚାଲିଛି। ତେଣୁ ଗଛ କାଟିବା ଦ୍ବାରା ଏକ ଅପୂରଣୀୟ କ୍ଷତି ହେଉଛି, ଯାହାର ପ୍ରଭାବ ଆମେ ଦୀର୍ଘ ସମୟ ଧରି ଅନୁଭବ କରି ଆସୁଛନ୍ତି। ସେତେବେଳେ ଅମୃତା ଦେବୀଙ୍କ ଗାଥା ଆମକୁ ଦାୟିତ୍ୱର ଆଇନା ଦେଖାଉଛି। ପ୍ରକୃତି ସୁରକ୍ଷା ଆଜି କେବଳ ପରିବେଶ ବିଭାଗର ନୁହେଁ, ଏହା ଆମ ସଭ୍ୟତାର, ଆମ ଆସ୍ତିତ୍ୱର ଓ ଆମ ଭବିଷ୍ୟତର ଆଧାର। ସମାଜ ଯଦି ପ୍ରକୃତିକୁ ମାତୃରୂପେ ସମ୍ମାନ କରିପାରିବ, ତେବେ ଅମୃତା ଦେବୀଙ୍କ ବଳିଦାନ ସଫଳ ହେବ।
ଏହି ଜନନୀ ପୃଥିବୀକୁ ବଞ୍ଚାଇବା ଆମର ନିଜ ଧର୍ମ ଓ ଦେଶ ଭକ୍ତିର ସର୍ବୋଚ୍ଚ ପ୍ରମାଣ ହୋଇପାରିବ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
ଗୁରୁ ଗ୍ରାମ
Comments
Post a Comment