ତୁ ମଧୁମାସ ମେଘ ମହ୍ଲାର
ଚଇତି ପବନ ଛୁଆଁ
ମୁଁ ମଧୁଶାଳା ବୈଶାଖୀ ଝଡର
ମରିଚିକା ଶୁଖା ନିଆଁ।
ତୁ ଶ୍ରାବଣ ର ଭିଜା ଭିଜା ବାସ୍ନା
ଇନ୍ଦ୍ରଧନୁ ସପ୍ତ ରଙ୍ଗ
ମୁଁ ଭସା ମେଘ ଖଣ୍ଡ ବାଦଲର
ରଙ୍ଗହୀନ କଟି ପତଙ୍ଗ।
ତୁ ଫଗୁଣ ର ଫଗୁ ବୋଳା ହସ
ଝର ଝର ହାସ୍ୟ ନଈ
ମୁଁ ଆଷାଢ଼ ର ଅସଜଡା ଶଦ୍ଦ
ନିମିଷକେ ଯାଏ ଧୋଇ।
ତୁ ସକାଳ ର କଅଁଳିଆ କଢି
ଭ୍ରମର ର ଚିତ୍ତଚୋର
ମୁଁ ନୁଆଁଣିଆ ଲକ୍ଷ୍ୟହୀନ ଛାଇ
ସ୍ବପ୍ନ ମିଶା ମନ ଭଙ୍ଗୁର।
ତୁ ଜ୍ୟୋସ୍ନା ରାତିର ଶୀତଳ ସମୀର
ଲାଜକୁଳୀ ପ୍ରେମ ଲତିକା
ମୁଁ ଅନ୍ଧାର ରାତିର ଉଆଁସୀ ଜହ୍ନ
ବିକ୍ଷୁବ୍ଧ ମନର ଅହମିକା।
ତୋର ମୋର ଯୋଡ଼ି ତଥାପି ସୁନ୍ଦର
ଅପାର ଯେ ଆମ ଆତ୍ମୀୟତା।
ଦୁଇଟି ଅତ୍ମାର ଅମୃତ ମିଳନ
ଭୁଲି ନ ଯିବେ ତାର ପବିତ୍ରତା।
Comments
Post a Comment