ସମୟର ଗତି କୁ କିଏ ବା ରୋକି ପାରିବ??? ସମୟର ଆବର୍ତ୍ତନ ରେ ଲାବନ୍ୟା ଅର୍ଦ୍ଧ ସୋପାନ ପଦାର୍ପଣ କରିସାରିଛି।ଜୀବନ କର୍ତ୍ତବ୍ୟ ର ଅକ୍ଷାଂଶ ଦ୍ରାଘିମା ରେ ପେଶି ହେଇ ଚୁନା ହେଇଯାଇଛି।
ଆଜି କିନ୍ତୁ ସମୟ ଟା ତାକୁ ଭାରି ଭାରି ଲାଗୁଛି।
କ'ଣ କରିବ??
ପିଲାମାନେ ସବୁ ବଡ଼ ହେଇଗଲେଣି।
ଯିଏ ଯାହାର କର୍ମକ୍ଷେତ୍ରରେ କାର୍ଯ୍ୟ ବ୍ୟସ୍ତ। ଏବେ ଘରଟା ବହୁତ ଖାଁ ଖାଁ ଲାଗୁଛି।ଏତେ ବଡ଼ ଘରେ ଦୁଇ ପ୍ରାଣୀ। କ'ଣ ଟିକେ ରାନ୍ଧି ଦେଲେ ଦୁଇ ଓଳି କୁ ହେଇ ଯାଉଛି।
ଶାଶୂ ଶ୍ବଶୁର ବାପା ମା ସ୍ବାମୀ ପୁଅ ଝିଅ ଙ୍କ ଦାୟିତ୍ଵ ବୋଝରେ ଭୁଲି ଯାଇଥିଲା ଲାବନ୍ୟା ନିଜ ପାଇଁ ଟିକେ ସମୟ କାଢ଼ିବାକୁ।
କେମିତି ସକାଳ ହୁଏ କେମିତି ରାତି ପାହି ଯାଏ ହୋସ ନ ଥାଏ। ଖୁବ ସୁନ୍ଦର ଭାବରେ ଦାୟିତ୍ଵ ନିଭେଇଛି ଲାବନ୍ୟା।
କାହାର ଭି କିଛି ଉଣା ହବାକୁ ଦେଇନି ସେ। ସମସ୍ତ ଙ୍କ ମନ ଜାଣି କାମ କରିଛି।ଦୁହିତା ଦୁଇ କୂଳ କୁ ହିତ ର ଯଥାର୍ଥତା ଆଣି ପାରିଛି।
ସ୍ବାମୀ ଙ୍କ ଚାକିରି ଓଡ଼ିଶା ବାହାରେ ହେଲେଭି ଦାୟିତ୍ବ ର କେବେ ଭି ଅବଜ୍ଞା କରିନି।
ପିଲାମାନେ ତାଙ୍କ ଗୋଡ଼ରେ ଏବେ ଠିଆ ହୋଇଛନ୍ତି।
ସ୍ବାମୀ ଙ୍କ ରିଟାର୍ଡ ପରେ ଓଡ଼ିଶାରେ ରହୁଛନ୍ତି ଲାବଣ୍ୟା ଆଉ ତାର ସ୍ବାମୀ।
ବଡ଼ ଘରଟେ ବନେଇଛନ୍ତି କଟକ ରେ ....।
ଏତେ ବଡ଼ ଘରେ ପୁଣି ଦୁଇ ପ୍ରାଣୀ।
ଏବେ ଲାବନ୍ୟା ଖୋଜୁଛି ସାଙ୍ଗସାଥୀ... ହସଖୁସି ଟାଇମ୍ ପାସ୍ ପାଇଁ। ଆଉ କ'ଣ ଅଛି??? ଖୁସି ଖୁସି ରେ ଯେମିତି ଶେଷ ଜୀବନ ଟା କଟିଯାଉ। ଆଜି
ପୁରୁଣା ସାଙ୍ଗ ଙ୍କ କଥା ବହୁତ ମନେ ପଡୁଛି ଲାବନ୍ୟା ର।
କର୍ମ ଜଂଜାଳ ଭିତରେ କାହାର ନମ୍ବର ଭି ରଖି ପାରିନି ସେ। କୋଉଠୁ ଖୋଜିବ?? କାହାକୁ ବା ପଚାରିବ??
ଝିଅ ମାନଙ୍କୁ ଫେଶବୁକ ଟ୍ବିଟର ରେ ଖୋଜିବା ବହୁତ ମୁସ୍କିଲ।
ସେମାନଙ୍କ ସଂଜ୍ଞା ବାହାଘର ପରେ ଯୋଉ ବଦଳି ଯାଏ ଜାଣି ହୁଏନି ।
ଆଉ ପିଲାଦିନ ମୁହଁ ଭି ଏତେ ବଦଳି ଯାଇଥାଏ ଚିହ୍ନି ବା ବହୁତ କଷ୍ଟ।
ୟାକୁ ତାକୁ ପଚାରି ଫୋନ ନମ୍ବର ଖୋଜି ଚାଲିଥାଏ ଲାବଣ୍ୟା।
କିନ୍ତୁ ବିଫଳ ହୁଏ।
ଆଜି ଲାବଣ୍ୟା ବହୁତ ଖୁସି।
ତିରିଶ ବର୍ଷ ପରେ ଗୋଟିଏ ସାଙ୍ଗ ଯିଏ କି ତାର ବହୁତ ଅନ୍ତରଙ୍ଗ ଥିଲା.... ମନ୍ଦିର ରେ ଭେଟିଛି।
ହଠାତ୍ ଦେଖାରେ ତାକୁ ଚିହ୍ନା ଚିହ୍ନା ଲାଗିଲା। ସାହସ କରି ପଚାରି ଦେଲା ତୁ ପ୍ରତିମା କି...???
ସେ ହଁ କହିଲା।
ଆଉ ଆପଣ???
ଆପଣ କ'ଣ
କହୁଛୁ।
ଆରେ...ଦେଖ ମୁଁ ଲାବଣ୍ୟା।
ଦୁହେଁ ଦୁହିଁଙ୍କୁ ଦେଖି ବହୁତ ଖୁସିରେ ଆତ୍ମହରା ହୋଇଗଲେ। କୁଣ୍ଢାକୁଣ୍ଢି ହେଇ ଖୁସିରେ ନାଚିବାକୁ ଲାଗିଲେ। ସତେ ଯେମିତି ସେଇ କଲେଜ ଜୀବନ କୁ ପୁଣି ଫେରି ଯାଇଛନ୍ତି।ଏମିତି ବିହ୍ୱଳ ହେଇ ଯାଇଛନ୍ତି
ଆଖ ପାଖରେ ଥିବା ଲୋକଙ୍କ ପ୍ରତି ଦୂଷ୍ଟି ନ ଥାଏ ।।
ତିରିଶ ବର୍ଷ ର ଗପ ତାଙ୍କର ସତେ ଯେମିତି ସରୁ ନ ଥାଏ।
ସେପଟେ ପ୍ରଣବ ବାବୁ ହର୍ଣ ଉପରେ ହର୍ଣ ବଜେଇ ଚାଲିଛନ୍ତି।
*ମିନାକ୍ଷୀ*
Comments
Post a Comment