ଅଳକା ଆଖି ରେ ନିଦ ନ ଥାଏ।ଖାଲି ଏପଟ ସେପଟ କଡ଼ ଲେଉଟାଇ କ'ଣ ସବୁ ଭାବୁଥାଏ।ଆଲୋକ କେତେବେଳୁ ଶୋଇ ପଡିଲେଣି।ମନରେ ବେକାର ଭାବନା ଉବୁ ଟୁବୁ ସହ ଆଲୋକ ଙ୍କ ଘୁଙ୍ଗୁଡ଼ି।ଅସହ୍ୟ ବୋଧ ହୋଉଥାଏ ଅଳକା କୁ। ଏଇଟା ତାର ନିତିଦିନିଆ କଥା।ଡାକ୍ତର ମାଇଲ୍ଡ ନିଦ ଔଷଧ ଦେଇଛନ୍ତି। କିନ୍ତୁ ସେ ଖାଏନି କାଳେ ଅଭ୍ୟାସ ହେଇଯିବ ବୋଲି।
ଆଜି କାହିଁକି ପୁରୁଣା କଲେଜ କଥା ବହୁତ ମନେ ପଡୁଛି ତାର। କଲେଜ ସମୟ ରେ ସେ ଗୋଟେ ଉଛୁଳା ନଈ ଟିଏ ଥିଲା। ଆଉ ରାଗିଣୀ ସତେ ଯେମିତି ସେ ନଈର ଧାର....
ରାଗିଣୀ ଅଳକା ର ଗାଲ ଚିପି ସବୁବେଳେ କହେ ମୁଁ ଯଦି ପୁଅ ହେଇ ଥାନ୍ତି ନା...ତତେ ହିଁ ବାହା ହେଇଥାନ୍ତି। ଖିଲି ଖିଲି ହୋଇ ହସି ଉଠେ ଅଳକା। ଦୁହେଁ ବହୁତ ଅନ୍ତରଙ୍ଗ ଥିଲେ। ଦଣ୍ଡେ ନ ଦେଖିଲେ କିଏ କାହାକୁ ରହି ପାରୁ ନଥିଲେ। ଦାରିଦ୍ର୍ୟତା ହେତୁ ରାଗିଣୀ ବେଶି ପଢି ପାରିଲାନି । ଭଲ ପାତ୍ର ଟିଏ ଦେଖି ତାକୁ ବାହା କରି ଦେଲେ ତା ବାପ ମା। କଲେଜ ସରୁ ସରୁ ଅଳକା ଭି ବାହା ହେଇଗଲା। କର୍ତ୍ତବ୍ୟ ର ରଥରେ ଯିଏ ଯାହା ଜୀବନ ରେ ବ୍ୟସ୍ତ ରହିଗଲେ। ଧୀରେ ଧୀରେ ଆଳାପ ମେଳାପ ଭି ବନ୍ଦ ହେଇଗଲା।
ଆଜି କାହିଁକି କେଜାଣି ରାଗିଣୀ କଥା ତାର ବହୁତ ମନେ ପଡୁଛି। କୋଉଠି ଅଛି...?? କେମିତି ଅଛି ...??
କେମିତି ଖୋଜିବ ତାକୁ ? ତା ବାପା ମା ଭି ତ ନାହାନ୍ତି!!! ଏମିତି ଭାବୁ ଭାବୁ ନିଦ ହେଇ ଯାଇଛି।
ହଠାତ୍ କଲିଂ ବେଲ ଶଦ୍ଦ ରେ ନିଦ ଭାଙ୍ଗିଗଲା । କିଏ ସେ...??? ଏତେ ସକାଳୁ ସକାଳୁ.....???ବିରକ୍ତ ହୋଇ ଗଲା ଅଳକା। ଦେହ ଟା ଭି ଅବଶ ଅବଶ ଲାଗୁଥାଏ। ଆଲୋକ ବାଥରୁମ ରେ...।
ଦୁଧ ବାଲା ହେଇଥିବ ଭାବି ଚିଡୁଥାଏ। ମନେ ମନେ ଭାବୁଥାଏ ଦୁଧ ବାଲା କୁ ସଂଧ୍ୟା ବେଳେ କହିବ ଆସିବା ପାଇଁ। ପିଲା ମାନେ ବାହାରେ ରହିବା ଦିନଠୁ ସେ ଶୋଇ ପାରୁନି ଠିକ ରେ ... ଏମିତି ଚିନ୍ତା କରି କରି କବାଟ ଖୋଲିଦେଲା ।
ସାମ୍ନା ରେ ରାଗିଣୀ ଚାବି ଧରି ଠିଆ ହେଇଛି। ଆଖି କୁ ବିଶ୍ବାସ କରି ପାରିଲାନି ଅଳକା। ଦୁହେଁ ଦୁହିଁଙ୍କୁ ବିସ୍ମୟ ରେ ଚାହିଁ ରହିଥାନ୍ତି। ଦୁହିଁଙ୍କ ଆଖିରେ ଖୁସିର ଝଲକ.....।
ତୁ....???
ରାଗିଣୀ ପାଟି ରୁ ଭି ବାହାରି ଆସିଲା ତୁ....???
କିଛି ସମୟ ପାଇଁ ଦୁହେଁ ସତେ ଯେମିତି ମୁକ ପାଲଟି ଯାଇଥିଲେ..!!!
ନୀରବତା ଭାଙ୍ଗି ରାଗିଣୀ ହସି ହସି କୁଣ୍ଢେଇ ପକେଇ କହିଲା ଆମେ ଏବେ ତୋର ପଡ଼ୋଶୀ।
କାଲି ରାତି ରେ ଯାହା କଥା ଭାବୁଥିଲା ହଠାତ ସାମ୍ନା ରେ.... ଆଶ୍ଚର୍ଯ୍ୟ ଚକିତ ହେଇ ଚାହିଁ ରହିଥିଲା ଅଳକା। ତିରିଶ ବର୍ଷ ପରେ ଏମିତି ଅକସ୍ମାତ ଦେଖା ହେଇଯିବ କଳ୍ପନା ସୁଦ୍ଧା କରି ନ ଥିଲା ସେ....
ଖୁସିରେ ମନେ ମନେ ଭଗବାନ ଙ୍କୁ ଧନ୍ୟବାଦ ଜଣଉଥିଲା ଅଳକା....।
*ମିନାକ୍ଷୀ*
*ନିୟୁ ଦିଲ୍ଲୀ*
Comments
Post a Comment