ତୁମେ ଚିରନ୍ତନ
ଶାଶ୍ବତ ହେ ଗୁରୁ
ତୁମେ ଜ୍ୟୋତିର୍ମୟ ଉତ୍ସ।
ଦିପ୍ତିମୟ କର
ଅନ୍ଧାରି ଆତ୍ମା କୁ
ହୋଇଯାଏ ମନ ସ୍ବଚ୍ଛ।
ସ୍ନିଗ୍ଧ ଶୀତଳ
ତବ ଜ୍ଞାନ ଗଙ୍ଗା
ଧୋଇଦିଏ କେତେ କଳୁଷ....
ସୂର୍ଯ୍ୟ ଚନ୍ଦ୍ର ପରି
ବିଚ୍ଛୁରିତ ରଶ୍ମି
ମନେ ଭରିଦିଏ ବିଶ୍ବାସ।
ସଦ୍ୟ କଳିକା
ପ୍ରଷ୍ଫୁଟିତ କର
ତବ ଜ୍ଞାନ ବାକ୍ୟାଳୟେ
ତ୍ୟାଗ ,ଧୈର୍ଯ୍ୟ ଭାଷା
ଶିଖାଅ ଯେ ତୁମେ
ଦୟା ଧର୍ମ ଜାଗେ ହୃଦୟେ ।
ସଂକଳ୍ପ କରି
ବିକଳ୍ପ ରାହ କୁ କର କୁସୁମିତ ସଦା....
ତିଳ ତିଳ କରି
ଜଳି ଶିଷ୍ୟ ପାଇଁ
କର ସର୍ବ ଗୁଣ ସଂପଦା।
ତୁମେ ଅଟ ବ୍ରହ୍ମା,
ବିଷ୍ଣୁ, ମହେଶ୍ୱର
ଜ୍ଞାନାଲୋକ ଗନ୍ତାଘର
ଅପୂର୍ଣ୍ଣତା ରେ
ଆଣ ସଂପୂର୍ଣ୍ଣତା
ହେ ଗୁରୁ ପରମେଶ୍ବର।
ତୁମ ସମର୍ପଣ
ବୌଦ୍ଧିକ ବିକାଶ
ପ୍ରତିଷ୍ଠିତ ମାତୃଭୂମି
ତୁମ ସିଞ୍ଚିତ
କରୁଣାର ବାରି
ସମୃଦ୍ଧିର ପଥଗାମୀ।
ଦୁର୍ଗମର ପଥ
ହୁଏ ବୋଧଗମ୍ୟ
ତୁମ ଛତ୍ରଛାୟା ତଳେ
ନାଉରି ଟିଏ ହୋଇ
ପାର କର ନୟା
ଅନ୍ଧାରି ଜୀବନ କୋଳେ।
ଗୁରୁ ଶିଷ୍ୟ ଡୋର
ଜନ୍ମ ଜନ୍ମାନ୍ତର
ଅଟଇ ପବିତ୍ର ବନ୍ଧନ।
ତାଙ୍କ ଆଶୀର୍ବାଦେ
ନିଷ୍ପ୍ରଭ ଜୀବନେ
ଭରେ ଆନନ୍ଦର କିରଣ।
Comments
Post a Comment