ଭସା ମେଘ ଯେତେ....
ରଖିଛି ତା ହୃଦେ
ସବୁ ମୋ ଆଖି ର ଲୁହ
ଅମାନିଆ ସିଏ
ମାନୁନାହିଁ ଆଜି
ସାଜିଛି ଶ୍ରାବଣୀ ସୁଅ।
ତୁମ ସ୍ମିତ ହାସ୍ୟେ
ତୁମରି ପରଶ
ଆଜି ଭି ଲାଗୁଛି ନୁଆ
ପ୍ରଥମ ରାତିର
ପ୍ରଥମ ସ୍ପନ୍ଦନ
ଶିହରିତ ମନ କାୟା।
ସ୍ବପ୍ନ ରାଇଜର
ରାଜକୁମାର
ମୁଁ ଥିଲି ଅଳସୀ ନଈ....
ପ୍ରେମ ଫୁଲ ଶର
ମାରିଲ ହୃଦ କୁ
ମନକୁ ଗଲ ମୋ ଛୁଇଁ।
ଛଳ ଛଳ ମନ ଉଛୁଳି ଉଠିଲା
ଲଜ୍ଜା ର ଓଢ଼ଣୀ ଟାଣି.....
ସିମଟି ଗଲି ମୁଁ ତୁମରି ବାହୁରେ
ସ୍ବପ୍ନ ର ଜାଲ ବୁଣି।
ମନ ଆକାଶ ର ଉଡନ୍ତା ବିହଙ୍ଗ
ଦେଖୁଥିଲି ସପ୍ତରଙ୍ଗ....
ପ୍ରେମ ତୁଳି ରେ
ରଙ୍ଗି ଦେଲ ମନ
ହେଇଗଲି ଅନ୍ତରଙ୍ଗ।
ତୁମ ଅଗଣାର
ତୁଳସୀ ସାଜିଲି
ତୁମେ ତ ଦେବତା ମୋର....
ପଲ୍ଲବିନୀ ହୋଇ
ମହକୁ ଥିବି ମୁଁ
ଢାଳୁଥିବ ପ୍ରେମ ନୀର।
Comments
Post a Comment