ଭାବରେ ଭାବରେ
ମୋହିଲୁ କାଳିଆ
ଭାବ ରେ ବାନ୍ଧିଲୁ ମତେ....
ଅଭାବ ରେ ଭାବ
ବଦଳିଗଲା ମୋ
ଭାବନା ରେ ଗଲି ସତେ।
ଭବ ସାଗେରରେ
ବୁଡି ମୁଁ ଯାଉଛି
ଭବିଷ୍ୟ ମୋ ଟଳମଳ....
ଭଜି ଭଜି ତୋ ନାମ
ଭିଜିଲା ମୋ ଆଖି
ହେଲି ମୁଁ ଭାବ ବିହ୍ୱଳ।
ଭସା ମେଘ ପରି
ଭାସିଯାଉ ଦୁଃଖ
ଭିନ୍ନ ଭିନ୍ନ ରୂପ ନେଇ..…
ଭାବି ଭାବି ତତେ
ଭାରାକ୍ରାନ୍ତ ମନ
ଭୁଲି ଯିବ କ୍ଲେଶ ସେଇ।
ଭାବ ବିନୋଦିଆ
ଭରିଦେ ଆଶୀଷ
ଭୁରୁ ଭୁରୁ ମହକାଇ...
ଭ୍ରମର ଗୁଞ୍ଜନ
ଭ୍ରମିବ ମୋ ମନ
ଭକ୍ତ ମନ ରଖ ତୁହି।
ଭାଇ ବୋଲି ଭାବି
ବାନ୍ଧିଛି ମୁଁ ରାକ୍ଷୀ
ଭଉଣୀ ମମତା ଦେଇ....
ଭୁରି ଭୁରି ଯଶ
କରୁଛି ତୋହର
ଭିତରେ ଭିତରେ ରହି।
ଭୁଲ ବୁଝିବୁନି
ଭାଇ ଯେ ମୋହରି
ଭସ୍ମ କର ପାପ ତୁହି।
ଭଲରେ ଭଲରେ
ବିତି ଯାଉ ଦିନ
ଭାସେ ତୋ ପ୍ରେମରେ ମୁହିଁ।
ଭାଷାରେ ଭାଷାରେ
ବୁଝିଗଲୁ ସବୁ
ଭରି ଦେଲୁ କ୍ଷତ ମୋର...
ବିଭୀଷିକା ମୟ
ଭଙ୍ଗୁର ଜୀବନେ
ଭିଣିଲୁ ସୌନ୍ଦର୍ଯ୍ୟ ଭାର।
🙏🏻🙏🏻🙏🏻🙏🏻🙏🏻
✍🏻 ମିନାକ୍ଷୀ
Comments
Post a Comment