ନୀଳ ଆକାଶ ର ନୀଳ ଅଗଣାରେ....
ଆବିର୍ଭୁତା ମହାମାୟୀ,
ସ୍ବାଗତ ସଂଭାର
କରୁଅଛି ଧରା....
ଅଶ୍ରୁ ଭିଜା ମନ ନେଇ।
ପୂଜା ବେଦୀ ଆଜି
ମଉଳା ଦିଶୁଛି....
ଶରଦେ ଆକାଶେ ଲୁହ,
ମହାମାରୀ ଗ୍ରାସ
କଲା ସର୍ବନାଶ....
ଭକତ ହୃଦୟେ କୋହ।
କାଶତଣ୍ଡୀ ଆଜି
ହାଉଲେ ହାଉଲେ... ଗାଉଛି ଦୁଃଖର ଗୀତ,
ମନ୍ତ୍ର ପାଠ ସବୁ
ଅସ୍ପଷ୍ଟ ଶୁଭୁଛି....
ମଉଳା ଶଂଖ ର ନାଦ।
ଝରା ଶେଫାଳୀ
ମଉନେ କାନ୍ଦୁଛି....
ଦେଖି ଭକ୍ତ ବିଭିଷୀକା,
ଅନ୍ତର ଲୁହ ରେ
ସ୍ନାନ କରାଉଛି...
ପୂଜୁଛି ତୋ ପଦ ପାଦୁକା।
ଫିକା ଫିକା ସବୁ
ରୁପେଲି ରଜନୀ....
ଫିକା ଲାଗେ ଜହ୍ନ ରାତି,
ବାତାୟନ ପଥେ
ନିଷ୍ପ୍ରଭ ପ୍ରଦୀପେ....
ବିଷାଦ ଯାଇଛି ଭେଦି।
ସଂଗୀତ,ରୋଷଣୀ
ବାଜା, ହୁଳହୁଳି...
ନାହିଁ ଭକ୍ତ ଜୟ ଜୟକାର,
ଜଗତ ଜନନୀ
ଆଗମନେ ତୁମ....
ଦୂର କର କଷ୍ଟ ପାରାବାର।
ଗଛ ଲତା ବଣ
ନଈ ନାଳ ପଠା...
ଶ୍ରୀହୀନ ଦିଶୁଛି ମାତ,
ଭକତ ବିନା ତୁ
ହସି କି ପାରିବୁ...
ଅଟୁ ତୁ ତ ସର୍ବଜ୍ଞାତ।
ତୋ ଦିବ୍ୟ ଆଶୀଷ
ଛାଇ ହୋଇ ରହୁ....
ଜଗତରେ ନିରନ୍ତର,
ଅସତ୍ୟ ଉପରେ
ସତ୍ୟର ବିଜୟ....
ହଉ ମା କରୁଣା ତୋର।।
Comments
Post a Comment