*ଶିଶୁ ଶ୍ରମିକ*
ନିଃଷ୍ପାପ କଅଁଳିଆ ଶିଶୁ
ସମୟ ପାଖୁଡ଼ା ଖୋଲୁ ଖୋଲୁ ମଉଳି ଯାଇଛି ତା ହସ।
କ'ଣ ବା ଦୋଷ ତାର.....???
ନିରୀହ ପତର ପରି ଝରିପଡୁଛି ଆଜି ସେ....
ଇଛା ତ ଅନେକ ଦୁନିଆକୁ ଦେଖି ରହିବାକୁ.....
ଅସୁମାରୀ ଆଲିଙ୍ଗନ ଭିତରେ...
ଶିହିରିବାର ଅସରନ୍ତି ଇଛା।
କିନ୍ତୁ କଷି ପାରେନା ତା ଜୀବନ ଗଣିତ,
ଅଙ୍କ କଷୁ କଷୁ କଷିବାକୁ ପଡେ
ଶ୍ରମର ବିଷମ ସୁତ୍ର।
ଶିଶୁ ଶ୍ରମିକ ର ଉତ୍ତର ନେଇ
ଜୀବନ ସଂଘର୍ଷ ରେ ହଜିଯାଏ....
ଉଥଳ ପୁଥଳ ମନରେ ଉଙ୍କିମାରେ
ଅନେକ ପ୍ରଶ୍ନ
ବଞ୍ଚିବାର ଅଧିକାର ସାବ୍ୟସ୍ତ କରେ...
ଶିକ୍ଷା ଛାଡ଼ି ବନିଯାଏ ଦାଦନ ଶ୍ରମିକ।
ଭାଗ୍ୟର ପ୍ରାରବ୍ଧ ରେ
ଅବାଞ୍ଛିତ ପ୍ରଶ୍ନ ର ଢେ଼ଉରେ ଖୋଜେ ତା କୋମଳ, ବାଳୁତ ଚପଳାମି।
ସ୍ବର୍ଗ ର ତାରାକୁ ପାପୁଲିରେ ଭରି ଗଣୁଥାଏ
ଆଉ.... କେତେଦିନ...!!!!
ଦୁଃଖ ପରେ ସୁଖ ତ ନିଶ୍ଚୟ....
ଏତ ଜୀବନ ରୀତି ର ନିୟମ...!!!!
ନିର୍ଜୀବ ମୂର୍ତ୍ତି ରେ ମଣିଷର ଅଗାଧ ବିଶ୍ବାସ,
ବାଢିଦିଏ ପ୍ରସାଦର ଥାକବନ୍ଦୀ...
ମାଜଣା କରେ
କିନ୍ତୁ....
ଶୈଶବ ଆତ୍ମାର ଛଟପଟ ଶରୀର ଉହ୍ୟ ରହିଯାଏ...
ରହିଯାଏ ଦୃଷ୍ଟି ର ଅନ୍ତରାଳେ....
ମୁହୂର୍ତ୍ତ ରୁ ମୁହୂର୍ତ୍ତ ମାଟି ଶିହରି ଆଉଜିପଡେ
ଅନ୍ତରାଳୁ ଝରିପଡେ ତାର ନିଃସର୍ତ୍ତ ଅଶ୍ରୁ .…..
ଥରୁଟିଏ ତ ଚାହଁ
ପଥର ପୂଜିବା ପୂର୍ବରୁ...!!!!
ସ୍ବାଧୀନତା କ'ଣ ନାହିଁ ଶିଶୁ ଶ୍ରମିକର...???
ଜାତୀୟ , ରାଜନୈତିକ ଖେଳରେ ମନେ ପଡେ ନାହିଁଁ କ'ଣ ଶିଶୁର ନୀରବ ଯନ୍ତ୍ରଣା...???
ପଶାଗୋଟି ଥରେ ଗଡ଼େଇ ତ ଦେଖ
ଅଭିମାନ ଶୂନ୍ୟ ନିସ୍ତେଜ ଆକାଶରେ
ଚହମହ ସୂରୁଜ କେତେ ଝଲସି ଉଠିବ....
ତୁମ ନ୍ୟାୟ, ପୌରୁଷ, ସତ୍ୟତା ରେ ଏକ ସବୁଜ ବନାନୀ ଖେଳି ଉଠିବ...
ସିନ୍ଦୂରା ଫାଟିଲା ପୂର୍ବରୁ ଧୀରେ ଧୀରେ ନାଲି , ନେଳି ରଙ୍ଗୀନ ପ୍ରଜାପତି ରେ ରଙ୍ଗୀନ ହୋଇଯିବ....
ବନ୍ଧ୍ୟା ଭୂମିରେ ଦି ପତ୍ର କଅଁଳିବ ନିରବରେ, ଖରାରେ, ବର୍ଷା ରେ....
ଫୁଲ ଫୁଟି ଉକୁଟିବ ଡାଳେ ଡାଳେ .... ପତରେ ପତରେ...
ଶିଶୁ ଶ୍ରମିକର ଅସ୍ତଗାମୀ ଜୀବନରେ ଏକ ନୂତନ ସୂର୍ଯ୍ୟ ର ପୁନରାବୃତ୍ତି ହବ....
ବଉଳର ବାସ୍ନା, କୋଇଲିର କାକଳି ମଧୁରରୁ ମଧୁରତମ ହବ
ଅନନ୍ତ ଅନ୍ଧକାର ର ପରିସମାପ୍ତି ଘଟିବ।
Comments
Post a Comment