ଶଦ୍ଦ ଟିଏ ପାଉନାହିଁ ଖୋଜି ....
ଅଭିଧାନ ଖୋଲି ଖୋଜି ଚାଲିଛି ପୃଷ୍ଠା ପରେ ପୃଷ୍ଠା,
ଦେଖିଲି ଭିନ୍ନ ଭିନ୍ନ ଅର୍ଥର ଭିନ୍ନ ଭିନ୍ନ ଆହୁରି ଅନେକ ଶଦ୍ଦ।
*ଭାବନାର ଉତ୍ତାଳ ଢେଉରେ ଭୁଲି ଗଲି ମୋର ଇପ୍ସିତ ଶଦ୍ଦ ସବୁ...*
ଭାବୁଥିଲି...
ଶଦ୍ଦ ସବୁ ଧରି ଆଗକୁ ବଢିଥାନ୍ତି,
ମାଳା ଟିଏ ଗଢି ଥାନ୍ତି,
ଶଦ୍ଦ ର ଆଢ଼ୁଆଳରେ ଅସଂଖ୍ୟ ଚରିତ୍ର ର ଅସଂଖ୍ୟ ମନୋଭାବ କଳ୍ପନା କରିଥାନ୍ତି,
ସୃଷ୍ଟି କରିଥାନ୍ତି ନୂଆ ଏକ ଦିଗନ୍ତ ,
ନୂଆ ଏକ ପୃଥିବୀ,
ମୋ ଶଦ୍ଦ ର କାଉଁରୀ ସ୍ପର୍ଶରେ ଉଦ୍ଧମ ଅଂହକାରୀ ପୁରୁଷ ମେଣ୍ଢା ହୋଇଥାନ୍ତେ,
ମୁହୂର୍ତ୍ତକରେ
ଲେଖିଥାନ୍ତି ସମସ୍ତ ଙ୍କ ଭାଗ୍ୟଲିପି,
ଶଦ୍ଦ କୁ ଫେଣ୍ଟା ଫେଣ୍ଟି କରି ଦୁଃଖ ରୁ ସୁଖ, ମୃତ୍ୟୁ ରୁ ଜୀବନ,
ମୋକ୍ଷ, ନିର୍ବାଣ ର ସ୍ଥିତି ଦେଖେଇଥାନ୍ତି।
*କିନ୍ତୁ ଆଜି ମୁଁ ଭୁଲି ଯାଇଛି ମୋର ସେ ଇପ୍ସିତ ଶଦ୍ଦ ସବୁ।*
ଇଛାଥିଲା....
ମୋ ଶଦ୍ଦ ର କଟାକ୍ଷ ଇଙ୍ଗିତରେ ରୋମାନ୍ଥନ କରିଥାନ୍ତି ଅତୀତକୁ,
ବିସ୍ତାରିତ କରିଥାନ୍ତି କାୟା ଟିକୁ,
ପାପର ଅଣ୍ଡକୋଷରୁ ଦଗ୍ଧୀଭୂତ ଆତ୍ମା ଟିକୁ ଉଦ୍ଧାର କରିଥାନ୍ତି,
ମା'ର ଉଷୁମ କୋଳ ପରି ନିରାପଦର ଏକ ସୌଧ ଗଢିଥାନ୍ତି,
ସବୁକିଛି ହରେଇବାର ସତ୍ତା ଭିତରେ ସବୁକିଛି ପାଇବାର ସୁଖ ଅନୁଭବ କରିଥାନ୍ତି,
ଶୂନ୍ୟତାରେ ପୂର୍ଣ୍ଣତାର ଭାବ ଫୁଟାଇ ଥାନ୍ତି,
ଦେବୀର ପଦ୍ମପାଦ ରେ ମଥାରଖି ଶାନ୍ତି ର ନିଦ୍ରା ଟିଏ ଯାଇଥାନ୍ତି,
ବଦଳାଇ ଦେଇଥାନ୍ତି ସମୟ ର ଚକ୍ରବ୍ୟୁହ...
*ଆଜି କିନ୍ତୁ ସେଇ ଇପ୍ସିତ ଶଦ୍ଦ ସବୁ ହଜିଯାଇଛି।*
ଦେଖୁଛି....
ଶଦ୍ଦ ସବୁ ଅନ୍ୟାୟ ଅସମାନତା ଖାଇ ନାଚି ବୁଲୁଛି,
ବଳି ପଡି ଯାଇଛି କେତେକ ରାଜନୈତିକ ଭାବନାରେ,
ବ୍ୟସ୍ତତା ଛାଇରେ ଲମ୍ବା ଛାଇ ର ରାସ୍ତା ନାପୁଛି,
ନା .. ନା...
ତାକୁ ସଂଧାନ କରିବାକୁ ପଡ଼ିବ,
ଯେମିତି ହେଲେ ତାକୁ ପାଖକୁ ଆଣିବାକୁ ପଡିବ,
ଅସ୍ତିତ୍ବ ତା'ର ଖୋଜିବାକୁ ପଡ଼ିବ,
ମୋତେ ମୋ ଶଦ୍ଦ ଭିତରେ ହଜିଯିବାକୁ ପଡ଼ିବ
କିଏ ଜାଣେ କେତେବେଳେ ସେ ଛୁ ମନ୍ତର ଦେବ।
ହଁ ...ତାକୁ
ପ୍ରେମର ଭାଷା କହି ବନ୍ଦ କୋଠରୀ ରେ ରଖିବାକୁ ପଡିବ।
କେବଳ ସେ ଥିବ ଆଉ ମୁଁ ଆଉ ଥିବି ଆମ ମିଳନାନ୍ତ ସକାଳର ସୁକୁମାରୀ ଭାବସଂପର୍କ।
।।।।।
Comments
Post a Comment