ହେ ବର୍ଷା.....
ଆଜି କାହିଁ ତୁମେ ଆନମନା...
ଆସ ଆସ ଅବତରି ଏ ଶ୍ୟାମଳ ସୁନ୍ଦର ମର୍ତ୍ତ୍ୟେ
ତୁମ ବିନା ଦୁର୍ବିସହ ଏ ଜୀବନ ସତେ
ଛଅ ଋତୁ ବନ୍ଧନେ ବନ୍ଧା ଏ ଜୀବନ
ଶୂନ୍ୟତା କରେ ରାଜୁତି
ଦୀନରିକ୍ତ ଅକର୍ମଣ୍ୟ।
ନିଦାଘ କଲା ମର୍ମାହତ
ବସୁଧା କରୁଛି ରୋଦନ
କପାଳେ ଦେଇ ତା ହାତ
ବିଦଗ୍ଧ ଜ୍ବାଳା ରେ ଜୀବ
କରେ ହା ହା କାର...
ସବୁ ଆଜି ନିର୍ବାହିତ
ଚତୁର୍ଦ୍ଦିଗେ ଶୁଭୁଛି କରୁଣ ଚିତ୍କାର।
ଆସ ଆସ ବର୍ଷା
ସମୟ ଯାଉଛି ଯେ ଚାଲି
ଝର ଝର ସ୍ବେଦ ତୁମ
ଆକଣ୍ଠେ ଦେବୁ ବୋଳି
ନାଚିଲାଣି ତୃଷାର୍ତ୍ତ ଚାତକ
ରୌଦ୍ର ଆଙ୍କୁଶେ ଥିଲା ସେ ମଉଳି।
ତୁମ ବିନୁ ମାଟି ଦିଶେ ଶୁଖା ଶୁଖା
ନିରବେ ଅନ୍ଧକାରେ ମୁହଁ ଗୁଞ୍ଜେ
ଫାଟି ପଡ଼ିଛି ତା କପାଳ ରେଖା।
ତବ ମହାସ୍ପର୍ଶ ଦିଅ ଗୋ ଥରେ ବର୍ଷା
ପୁଲକିତ ବସୁନ୍ଧରା ମେଣ୍ଟାଇବ ତୃଷା।
ସଞ୍ଚରିବେ ଦ୍ରୁବାଦଳ
ତୁଠେ ଶୁଭିବ ଗହଳ ଚହଳ
ତୁମ ସଙ୍ଗୀତ ମୂର୍ଚ୍ଚନା ଗାଇବ କାବ୍ୟ କଲ୍ଲୋଳ।
ଆଗମନେ ତୁମ ବାଜିବ ଶଂଖ ମହୁରୀ
ଗଗନେ ପଡିବ ଗହନାଦ ହୁଳହୁଳି।
ପୁଷ୍ପ ବଧୁ ହସି ହସି କରିବେ ବନ୍ଦନ,
ତୋଳିବ ମୂର୍ଚ୍ଛନା ଶ୍ୟାମଳୀ ସୁନ୍ଦରୀ ମନ,
ମେଘମାଳା ସବୁ ଝୁଲିବେ ଝୁଲଣ,
ଇନ୍ଦ୍ରଧନୁ ନଭେ ଆଙ୍କିବ ଚୁମ୍ବନ।
ହୃଦେ ଭରି ଆଶାର ସଂଗୀତ,
ମାଟି ମା ଦେଖିବ ପର୍ବତର ନୃତ୍ୟ।
ଆଷାଢ଼ ଗଲାଣି ଚାଲି
ଆସ ଆସ ତୁମେ ଫେରି
ମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରି
ଶ୍ରାବଣ ସହ ବାନ୍ଧିବ ଡୋରି।
ହେ ବର୍ଷା ରାଣୀ
କର ତୁମେ ଅନନ୍ତ ବିଜୟ,
ବିସ୍ଥାରିତ କାୟା ତୁମ ଦେଉ ହେ ଆଶ୍ରୟ।
Comments
Post a Comment