ହେ ପ୍ରୀୟ ଯୌବନ....
ତୁମେ ଯେବେ ଆସିଥିଲ ନିଶିଥ ରେ ପାଦ ଥାପି ଥାପି,
ମୋର ଦେହ ମନ ଭରି,
ଏକ ଅଭିସାରିକା ପରି,
କଣେ କଣେ ଭରିଦେଲ ଅତୁଳ ଉଚ୍ଛ୍ୱାସ,
ନୀରବେ ସଂଚରିଲ ମନ୍ଦାକିନୀ ହସ,
ଗହନ ବନେ ଜାଗିଦେଲ କଳ୍ପନା ବିଳାସ।
ଅଭ୍ୟୁଦିତ ପ୍ରେମେ ହେଲି ମୁଁ ଉଲ୍ଲସିତ,
ଉଦବେଳିତ ମନୋଭାବ
ହେଲା ସ୍ପନ୍ଦିତ,ସ୍ଫୁରିତ,
ପ୍ରତେ ହେଲା ଶ୍ୟାମଳା ଧରା ମୁଖେଧାରେ ମଧୁ ନିର୍ଝରିତ।
ନୀଳ କୁନ୍ତଳେ ଆନମନା ବରଷାରେ...
ପାଇଲି ଯେବେ ମଧୁରସ
ଇଛା ହେଲା ମେଣ୍ଟିଦେବି ସାତ ସମୁଦ୍ର ର ଶୋଷ,
ରଜନୀ ଗନ୍ଧାର ଖିଲି ଖିଲି ହସେ
ଲଂଘିଯିବି ମହାଶୂନ୍ୟ
ଥିଲା ମୋ ବିଶ୍ବାସ।
ଜୋଛନା ସୁନ୍ଦରୀ ତା ମୁକ୍ତାଭରା ଯୌବନ
ମନେହେଲା ଅଗ୍ନି ମୋତେ କରିବନି ଦହନ,
ମନେ ହେଲା ମୃତ୍ୟୁ ମତେ କରିବନି ଆସନ୍ନ,
ଚୀର ଅମର ମୁଁ
ଅଟେ ମୁଁ ଅମ୍ଳାନ,
ଭସାବାଦଲ ରେ ଭସା ଭସା ବର୍ତ୍ତମାନ
ଭବିଷ୍ୟ ପାହାନ୍ତି ଥିଲା ସେ ଉଜ୍ଜ୍ୱଳମାନ ।
ଅଟେ ମୁଁ ଚୀର ଶାଶ୍ଵତ
ପ୍ରେମ ର ପ୍ରତୀକ ମୁଁ
ହେଲି ଆପ୍ୟାୟିତ, ଆହ୍ଲାଦିତ ହୃଦ ହେଲା
ପାଇ ତବ ପ୍ରୀତି ସ୍ବାଦ।
ହେ ଯୌବନ....
ସୂର୍ଯ୍ୟ ର ସୁନ୍ଦରତା ପରି ଥିଲ ତୁମେ ତେଜିୟାନ,
ଚନ୍ଦ୍ର ର ଶୀତଳତା ପରି ଥିଲ ତୁମେ ମହୀୟାନ।
ଉଷାର ଆକାଶ ପରି କଲ ମନ ରଙ୍ଗାୟିତ,
ସ୍ବପ୍ନର ଜାଲ ବୁଣି ହେଲି ବିହ୍ବଳ, ଚକିତ
ମୋ ମନ କଦମ୍ବ ରେ ବଜାଇଲ ବଂଶୀ ସୂନ
ଦେଖିଲି ମୁଁ ବସନ୍ତ ର ଆଗମନ,
ଘାସ ପାଦରେ ଘୁଙ୍ଗୁର ଲଗେଇ ଶୋଭିତ କଲ ପୁଷ୍ପ ବନ।
ଉତ୍ଥାନ ଢେ଼ଉରେ ମନ ହେଲା ଛନ ଛନ,
ତାରୁଣ୍ୟ ରେ ଭରା
କଲି ପ୍ରେମ ଉତ୍ତୋଳନ,
ମିଳନର ମଧୁ ସ୍ବପ୍ନେ
ହେଲି ମୁଁ ଉନ୍ନମନ,
ସେପଥେ ଯେତେ ବାଧକ
କଲି ଉଲ୍ଲଂଘନ।
ଭରା ପୁନେଇଁ ରାତିରେ ଦେଲି ଆତ୍ମା ର ଆହୁତି
ପାଇଲି ମୁଁ ସେ ସୁମଧୁର ମିଳନ ଲଗ୍ନର ତୃପ୍ତି।
ଆଜି କାହିଁ ବିମର୍ଶ ତୁମେ ହେ ଯୌବନ....
ସମୁଦ୍ର ଜୁଆରରେ ଆଜି ଆସିଛି ଯେ ଭଟ୍ଟା
କାହିଁ ଗଲା ତୁମ ସେ ପ୍ରେମ ରଙ୍ଗ ରୁପଛଟା।
ଆକାଶର ଶୂନ୍ୟତା ଚାହିଁ ରହେ ମିଛେ ମିଛେ,
ଶ୍ଳଥ ଗତିପଥ ଅସହଣୀ ଭାରା ଶେଯେ।
ଆଜି କାହିଁ ରୁଧିବନ୍ତ, ଅନାସକ୍ତ,ବିଷାଦ
ନିଧାଘର କଠୋରତା ଅସ୍ତରାଗ ,ବିବାଦ।
ଆସିଗଲା ମଳିନତା
ଲୋଳିତ ଚର୍ମର ସ୍ବେଦ
ହଜିଗଲା କାୟା କଳ୍ପ
ପ୍ରେମ ରାଗିଣୀ ହେଲା ସ୍ତବ୍ଧ,
କୋଇଲି ର କୁହୁତାନ ,
ଯମୁନା ବଂଶୀ ସ୍ବନ ଆଜି କାହିଁକି ମ୍ଳାନ ଓ ନିଶବ୍ଦ।
ହେ ପ୍ରୀୟ ଯୌବନ...
କାହିଁ ହେଲ ପଥ ରୁଦ୍ଧ
ଫେରିଆସ ଫେରିଆସ
ଉନ୍ମତ୍ତ ଚିତ୍ତ ହେଲାଣି ଉଚ୍ଛନ୍ନ
ପାଇବାକୁ ତବ ସାନ୍ନିଧ୍ୟ ଝୁରେ କ୍ଷଣ କ୍ଷଣ।
Comments
Post a Comment