Valentine ରେ ସ୍ତ୍ରୀ କୁ କହିଲି ତାଙ୍କୁ ଭଲ ପାଏ ବୋଲି,
ଛାତି ମୋଟ କରି ନିଶକୁ ଫୁଲେଇ ଦେଲି ମୁଁ ଗୋଲାପ କଳି।
ହଇହୋ ତୁମେ ଏ..କି କାମ କଲ ଫୁଲଟି କୁ ଦେଲ ତୋଳି,
କେତେ ଯତନରେ ବଢେଇ ଥିଲି ମୁଁ ଗଲ ବା କେମିତି ଭୁଲି।
ସାଙ୍ଗ ସାଥି ମେଳେ ଖୁସି ଥିଲା ସେତ ଖେଳୁଥିଲା କେତେ ଦୋଳି,
ବନ୍ଧୁ ପରିଜନଙ୍କ ଠୁ ଦୁରେଇ ତାକୁ ବିଚାରି କୁ ଦେଲ ମାରି।
ଫୁଲଟିଏ ଦେଇ ବଢେ ନାହିଁ ପ୍ରେମ ବିଶ୍ବାସରେ ବନ୍ଧା ସେ ଡୋରୀ,
ଦିଆ ନିଆ ରେ କି ପ୍ରେମ ମାପି ହୁଏ ଅମୂଲ ମୂଲ ତା ଶିରୀ।
ମନ, ହୃଦୟକୁ ସମର୍ପଣ ଭାବେ ଯିଏ ପ୍ରେମ ରଙ୍ଗ ଦିଏ ଭରି,
ଅମର, ଶାଶ୍ଵତ ତା ପ୍ରେମ ପରିଭାଷା ଜଗତରେ ପଡେ ହୁରି।
ଭାଷଣ ଶୁଣି ମୁଁ କାନ ଭାଁ ଭାଁ ମନ ହୋଇଗଲା ଭାରି,
ଛା..ର ଫୁଲ ପାଇଁ ବଚରା ପ୍ରେମ ମୋ ଶେଷରେ ପଡିଲା ବଳି।
Comments
Post a Comment