*ଫେରନ୍ତା ଫଗୁଣ*
ଫି ବର୍ଷ ପରି ଫଗୁଣ ଆସିଛି
ଅସ୍ତିତ୍ବ ତାର ଫିକା ଫିକା ଦିଶୁଛି
କଳାଜହ୍ନ ଅକସ୍ମାତେ ଉଇଁ ଆସିଛି ତା ଅଗଣାରେ
ସ୍ଥିର,ଅଚଞ୍ଚଳ ହୋଇ ଯାଇଛି ତା ଦୁନିଆ,
ପୃଥିବୀର ବନ୍ଦ ପୃଷ୍ଠା ର ରଙ୍ଗୀନ ଆକାଶରୁ ଝରି ପଡୁଛି ଅଶ୍ରୁ,
କେତେବେଳେ ଚୁପଚାପ୍ ନିଦରୁ ଉଠି
କରୋନା କିଣି ନେଇଛି ତା ବସନ୍ତ।
ଆଜି ସେ ପରିତ୍ୟକ୍ତା
ଆଞ୍ଜୁଳା ହାଲୁକାଏ ପବନ ରେ
ଖେଳି ଯାଇଛି ନିରବତା,
ଶୁଖି ଯାଇଛି ଫୁଲର ପାଖୁଡ଼ା
ଅବିଶ୍ବସ୍ତ ମହାକାଶରେ ରକ୍ତ କୁ ଧରି
କରୁଛି ବଞ୍ଚିବାର ଅଭିପ୍ରାୟ
ଭାଗ୍ୟ ମହୁମାଛି ପରି ଉଡ଼ି ଯାଇଛି ବହୁ ଦୂରକୁ
ହୃଦୟ ରେ ସ୍ବର ନାହିଁ, ପ୍ରଶ୍ନ ନାହିଁ,
ଇଂଧନ ନାହିଁ,ବନ୍ଧନ ନାହିଁ,
ତା ଆମ୍ବ ଗଛରେ ବଉଳର ବାସନା ନାହିଁ
କୃଷ୍ଣ ଚୁଡ଼ା ରଙ୍ଗରେ ସଜେଇ ହଉନି ତା ପୃଥିବୀ
ଆପଣାର ଆକାଶ ଆଜି ଅଶ୍ରୁସିକ୍ତ।
ଫଗୁଣ ଆଉ ଗୀତ ଗାଉନି
ଅନ୍ଧାର ରେ ଇଛା ନାହିଁ ଲେଖିବାକୁ ଇତିହାସ
ନିରବ ଲୁହ ଟୋପା ଶୁଖି ଯାଇଛି
ମଣିଷ ଦେଇଥିବା ବଳଦ ଭାରରେ
ଆଙ୍କାକ୍ଷାର ନୀଳ ଆକାଶରେ
ଦେଖା ଦେଇଛି ଧୂମକେତୁ
କ୍ଳାନ୍ତି ର ବେଳାଭୂମି ରେ
ଅସଂପୂର୍ଣ୍ଣ ସ୍ବପ୍ନ ର ପରାସ୍ତ ସୂର୍ଯ୍ୟାସ୍ତ ରେ
ଦୀର୍ଘ ନିଃଶ୍ବାସ ର କ୍ଳାନ୍ତ ଅପରାହ୍ନରେ
ଫେରେଇ ଦେଇଛି ଫଗୁଣକୁ ସବୁଦିନ ପାଇଁ।
Comments
Post a Comment