*ବସନ୍ତ ତୁମେ ଫେରିଗଲା ପରେ*
ବସନ୍ତ ଗୋ ତୁମେ ଫେରିଗଲା ପରେ
ମୁର୍ହୂ ମୁର୍ହୂ ନାହିଁ ବାସ
ଖୋଜୁଛି ମୁଁ ତୁମ ପ୍ରେମ ଆଲିଙ୍ଗନ
ରାତି ହୋଉଅଛି ଶେଷ।
ତପ୍ତ ଜୀବନରେ
ଭରିଦେଲ ପ୍ରେମ
ହୋଇ ମଧୁଝରା ନିର୍ଝରଣୀ,
ରଙ୍ଗର ଫୁଆରେ ଭିଜାଇ ଗୋ ଦେଲ
ହସିଲା ପ୍ରକୃତି ରାଣୀ।
ଶୁଷ୍କ ମରୁଭୂମି ମରିଚୀକା ଆଙ୍କେ
ନିଦାଘ କରଇ ରାଜୁତି,
ଆକାଶର ଆଖି ଯାଇଅଛି ସୁଖି
କମ୍ପୁଛି ତା ହୃଦୟ ଛାତି।
ନୀରବ ନିର୍ଜନେ ମାଟିରୁ ଆକାଶ
ଝାଞ୍ଜି ବହେ ସାଇଁ ସାଇଁ,
ବସନ୍ତ ଗୋ ତୁମେ ଗଲା ପରେ ପରେ
ଲୁଚି ଲୁଚି କାନ୍ଦେ ମହୀ।
ରୌଦ୍ର ଉତ୍ତାପ ବଢ଼ି ବଢ଼ି ଯାଏ
ମିଟେ ନାହିଁ ତା'ର ତୃଷ୍ଣା
କୋଇଲିର କୁହୁ ମଧୁର ଗୁଞ୍ଜନ
ନାହିଁ ଆଉ ଫୁଲର ବାସ୍ନା।
ମଧୁବାସ ଆଜି ନିରବେ ଖୋଜୁଛି
ବସନ୍ତ କୁ ଝୁରି ଝୁରି
ଶରୀରର ତାତି ଖୋଜେ ଶୀତଳତା
ମହୁଲ ନିଶାରେ ଭରି।
ବିରହଣୀ ଆଜି
ତୁମ ସ୍ମୃତି ପଖାଳେ
ନିଦାଘ ଶେଯ ରେ ବସି
ଆଷାଢ଼ ଅଶ୍ରୁ ରେ
ପ୍ରେମ ମନ୍ଦାକିନୀ
ଖୋଜୁଅଛି ଦିବା ନିଶି ।
Comments
Post a Comment