*ଅଜଣା ରାଇଜ*
ଯାଇଥିଲି ଦିନେ ମୁଁ ଅଜଣା ରାଇଜେ
ମନେ ରଖି କେତେ ସ୍ପୃହା।
ଦେଖିବି ଈଶ୍ୱର ଏ ବେନି ନୟନେ
ମନ ଭରିଯିବ ଆହା।
କଲି ପ୍ରଦକ୍ଷଣ ସୌର ମଣ୍ଡଳ ରେ
ଦେଖିଲି ତାରକା, ଗ୍ରହାଣୁ ପୁଞ୍ଜ
ନିରିକ୍ଷା,ପରୀକ୍ଷା କଲି ଚତୁର୍ଦ୍ଦିଗେ
ବେଳ ହୋଇଗଲା ସଞ୍ଜ।
ଦେଖିଲି ସୁଦୂରେ ପିତା ମାତା ମୋର
ବସିଛନ୍ତି ମୁହଁ ମାରି
ଆକୁଳେ ବିକଳେ କହିଲି ମୁଁ ତାଙ୍କୁ
ଆସ ତୁମେ ଥରେ ଫେରି।
ଖୁସି ହୋଇ ଦୁହେଁ
ଆଉଁସଇ ଦେଲେ
ଭିଜା ଭିଜା ଆଖି କରି
ବୋଉର ପଣତେ ଶୋଇଗଲି ମୁଁ
ଚିନ୍ତା ସବୁ ଦୂର କରି।
ଦେଖିଲି ସପନେ ସୁନ୍ଦର କୁଟୀର
ଅଛୁ ଆମେ ତିନି ପ୍ରାଣୀ
ବଳେଇ ଗେଲେଇ ଖୋଇ ଦେଉଛନ୍ତି
ଶୁଣେଇ ପରୀ କାହାଣୀ।
ଅଝଟ ହଉଛି ଦୁହିଁଙ୍କର ପାଖେ
ଆସିବାକୁ ସାଥେ ମୋର,
ଭଲ ଲାଗୁନି ଆଉ ଆମରି ରାଇଜ
କରି ଦେଇଛନ୍ତି ପର।
କଇଁ କଇଁ କାନ୍ଦି ନେହୁରା ହଉଛି
ଯିବିନି ମୁଁ ନିଜେ ଫେରି,
ରହିବି ସାଥୀରେ ତୁମ ଦୁହିଁଙ୍କ ର
ଛୋଟ ସ୍ଥାନ ଦିଅ କରି।
ରାଗି ଯାଇ ଦୁହେଁ ଲୁପ୍ତ ହୋଇଗଲେ
ଖୋଜି ଆଉ ପାଇଲି ନାହିଁ
ଦୌଡୁ ଦୌଡୁ ମୋ ନିଦ ଭାଙ୍ଗିଗଲା
ଗଳି ପଡ଼ିଛି ଖଟରୁ ମୁହିଁ।
Comments
Post a Comment