ସମସ୍ତେ ଆସନ୍ତି ଯାଆନ୍ତି
ସେ(ମାଟି) କିନ୍ତୁ ମୁହଁ ପାତି ପଡି ରହିଛି
କୁଆଡେ ଯିବାର ନଥାଏ,
ନା ସ୍ବର୍ଗ କୁ ନା ନର୍କକୁ,
ନା ମଂନ୍ଦିରକୁ ନା ମସଜିଦ କୁ,
ସମସ୍ତେ ଟାଣି ହୋଇ ଆସନ୍ତି ଶେଷ ସମୟରେ।
ଭଲପାଏ ସେ ସୂର୍ଯ୍ୟକୁ ତାର ଉଷ୍ଣ କିରଣକୁ,
ଭଲପାଏ ଜହ୍ନକୁ ତାର ଶୀତଳତାକୁ,
କଳାମେଘ ଯେତେବେଳେ ଚିପୁଡି ଦିଏ ଲୁହ
ଆଉଯେଇ ନିଏ ବୁକୁରେ
ନବଜନ୍ମ ରୂପ ଦିଏ
ଆ ଆ କରି ହାତ ଠାରି ଡାକେ
ପୂରିଉଠେ ଛାତି
ଏ ମାଟିର ହୃଦୟ ବନ୍ଦ ହୁଏ ନାହିଁ କେବେ
ଆଜି ବି ସେ ଜୀବନ ପାଇଁ
ଆଲିଙ୍ଗନ କରେ ଯେତେ ଖାଦ ଯେତେ ମଇଳା ,କୋଚଟ ମନ,
ବେଳେ ବେଳେ ସବୁଜ ପତ୍ର ଲୁଚେଇଦିଏ ତାର ଅସରନ୍ତି ନୀରବ କୋହ।
ଅନ୍ଧାରି କପଟ ଯନ୍ତ୍ରଣା ର ସେ ଆଜି ମୁକସାକ୍ଷୀ
ସଂପର୍କର ଗୁଡ଼ି ଏଠିତ ସ୍ବାର୍ଥ ଡୋରିରେ ବନ୍ଧା
କ୍ଷୁବ୍ଧ ହୋଇ ଉଠେ ମନ,
ତଥାପି ସ୍ନେହ ମମତାରେ ହୃଦୟ ବାନ୍ଧିଛି
ମା'ର ଆଶୀର୍ବାଦ ଦେଇଛି
ମା ମନ ବୁଝୁଛି ବା କିଏ???
ଜାଣିଛି କର୍ତ୍ତବ୍ୟ ତାର ମୁକ୍ତିମାର୍ଗ
ବାଧ୍ୟ ହୋଇ ଦିଏ ଆତ୍ମାହୁତି
ମୃତ୍ୟୁ ହୁଏ ଅଭିଶପ୍ତ
କାପୁରୁଷତା ନୁହେଁ ତା'ର
ଅଖଣ୍ଡ ବିଶ୍ବାସ ସର୍ବ ନିୟନ୍ତା ପାଖେ
ଗଢିବ ନୁଆ ସ୍ବର୍ଗ, ରଚିତ ପ୍ରାରବ୍ଧ ଦୁନିଆ
ବିଶ୍ବାସ ରେ ବଞ୍ଚିଛି ସେ
ଅସହଣୀ ଭାର ନେଇ
ନିର୍ଲିପ୍ତ ଆକାଶକୁ ଚାହିଁ
ସିଏ ତ ବିସ୍ତାରିତ ସୌନ୍ଦର୍ଯ୍ୟ ର ମାଆ
ରକ୍ତରେ ତାର ବୋଳି ପକାଏ ସତ୍ୟ ର ଅନୁପସ୍ଥିତି କୁ
ତଥାପି ଭଲ ପାଇବା ଭୁଲେ ନାହିଁ କେବେ
ନିଜ ଭାଗ୍ୟ କୁ ମନୋନୟ କରି ହସି ଖେଳି, କଷ୍ଟ ସହି ବଞ୍ଚିରହେ ଚିରକାଳ
ଅବାସ୍ତବ ସାମ୍ରାଜ୍ୟ ର ସତ୍ୟ ର ଉତ୍ଥାନ ପାଇଁ
Comments
Post a Comment