*ମାଟି ର ନିରବତା*
ବୁଝି କି ପାରିଛ ମାଟିର ନିରବତା...???
ମାଟିର ସ୍ବପ୍ନ ଅଛି,ତାର ମନ ଅଛି,
ଅଭିମାନୀ ମାଟି ଭିଜି ଯାଇଛି ଲୋକଙ୍କ ରକ୍ତରେ,
ଅହଙ୍କାରୀ ସମ୍ରାଟଙ୍କ ଆକ୍ରମଣରେ,
ସ୍ବାଧୀନତା ର ମଞ୍ଜି ପୋତି ସଂଗ୍ରାମ କରିଥିଲା,
ସ୍ନେହ ର ବନ୍ୟା ରେ ନିଜେ ଗାଧୋଉଥିଲା,
ଆକାଶକୁ ଲମ୍ବିଥିବା ମେଘଙ୍କ ପାହାଚରେ
ତା ଦେହରୁ ଗଜୁରୁଥିବା ଗଛ,ପତ୍ର ଙ୍କ ରହସ୍ୟ ଖୋଜୁଥିଲା,
ତା ହୃଦୟର ସାବଜା ପୃଷ୍ଠା ରେ ଇତିହାସ ଲେଖୁଥିଲା,
ଭୁଲି ଯାଇଥିଲା ଯେତିକି ଅନିଦ୍ରା,କ୍ଷୋଭ,ରୋଗ,ରାଗ।
ସମୟର ସ୍ମୃତି ର ଅରଣ୍ୟ ରେ ଶୁଭୁଥିଲା
ତା'ର ଭଲ ପାଇବାର ସ୍ବର,
ତା'ର କ୍ରାନ୍ତିର ସ୍ବର,
ତା'ର ନିରୀହ ଆତ୍ମା ର ସ୍ବର।
ଆଜି ସବୁ ଦୁର୍ବନିତ ଅନ୍ଧାର ରେ ଅନ୍ଧ ପରି ଧସି ଧସି ଯାଉଛନ୍ତି,
ଆତ୍ମଘାତୀ ହୋଇ ହୁତୁ ହୁତୁ ଜଳୁଛନ୍ତି,
ଅହେତୁକ ମାୟାରେ,କ୍ରୋଧରେ,
ଦେଶର ସୀମାରେଖା ପାଇଁ ଧୂ ଧୂ ବିଧ୍ବସ୍ତ, ଶୂନ୍ୟତା ସହ ଅନ୍ତହୀନ ଲଢେଇରେ,
ଘର ଫେରା ଚଢ଼େଇର କ୍ଳାନ୍ତ ଡେଣାରେ,
ଏଇଠି ତ ତାର ଜନ୍ମ
ଯେବେ ପଚାରିବ ନିଜକୁ କୁଆଡେ ସେ ଯିବ.....
ମାଟି ହିଁ ବୁଝେଇଦବ ଦୁନିଆର ଅର୍ଥ,
ଯେଉଁ ମାଟିରେ ସେ ନାଚୁଥିଲା
ସେଇ ସ୍ବପ୍ନ,ସେଇ ସ୍ବର,ସେଇ କମ୍ପନ ମିଶିଯିବ
ସେଇ ନାଲି ମାଟିର ଆତ୍ମା ଭିତରେ।
ଅବଚେତନ ମନ ହରାଇବ ତାର ଶ୍ରେଷ୍ଠତା, ତାର ଗର୍ବ, ପ୍ରଲୋଭନ,
ଜୀବନ କୁ ଅଭିନୟ କରୁଥିବା
ଥେଇ ଥେଇ ହୋଇ ନାଚୁଥିବା ନିତ୍ୟ ପ୍ରତାରଣା,
ଯାବତୀୟ ମିଥ୍ୟା ତାର ଆକୃତି ତାର ପ୍ରବୃତ୍ତି।
ଆତ୍ମା ର ବିକାକିଣା ଅସଂଖ୍ୟ ଦଲିଲରେ ସନ୍ଧି କରିବାକୁ ହବ ଶେଷରେ ମାଟି ସହ ବିଶ୍ବାସ, ନିଃଶ୍ବାସ ର ଅଲେଖା ନୈତିକ ନିୟମରେ।
Comments
Post a Comment