ନା ଅଛି ପରିଚୟ, ନା ବୟସ,ନା ଜାତି ନା ଗୋତ୍ର ନା ସମୟ ବେଳା,
ଆସନ୍ତି ସମସ୍ତେ ସେଇ ଗୋଟିଏ ଯାଗାକୁ
ଦିନେ ଦୁଇଦିନ ପାଇଁ ନୁହଁ
ସବୁଦିନ ପାଇଁ,
ଛାଇ ବି ପାଖ ମାଡେନି
ନିଜକୁ ନିଜ ମଉନରେ ଦେଖେ
କିଏ ମୁଁ...???
କ'ଣ ମୁଁ...???
ଏ ପଥରଠୁ ହୀନ, ଏ ଗଛ ଠୁ ହୀନ,
ଏ ଜିଆ ଠୁ ହୀନ।
ବନ୍ଧନ,ବିଦାୟ ଅସାଧ୍ୟ ରୋଗ ପରି
ମାଡ଼ି ପଡ଼ୁଥିବା ଭୟ , ନିର୍ଜନତାରେ ଚୁପ୍ ହୋଇଯାଏ,
ବାସ୍ତବ ଠାରୁ ଦୂରେଇ ଯାଏ ଚେତନା,
ନମ୍ର ହୋଇ ଯାବୁଡି ଧରେ ସେଇ ଗୋଟେ ଶାସ୍ତି କୁ
ତା'ର ଏକଲାପଣର ନାଲି ଆତ୍ମା ରୁ ଲୁହ ଝରୁଥାଏ....
ସେହି ଲୁହ ର କିଛି ମାନେ ଥାଏ...???
ଆତ୍ମା ଯେ ଅଚିହ୍ନା,ଅଦେଖା ଲାଗେ
ଅବଶୋଷ ରେ ସବୁ ନିର୍ଦ୍ଦେଶ ମାନି ନିଏ।
ଆପଣା ସ୍ମୃତି କୁ ଘାଣ୍ଟି ବୁଝିବାକୁ ଚେଷ୍ଟା କରେ
ଥାଏ କେବଳ ଭୟାନକ ନିରବତା
କେଉଁ ପଦ୍ଧତି ରେ ବଞ୍ଚିବାକୁ ପଡେ ଜାଣେନା
ରାତି ଶେଷରେ ନିଜକୁ ପଚାରେ
କାନଡ଼େରି ବସିଥାଏ
ବାଛି ନେଇ ପାରେନି ଜନ୍ମ ସ୍ଥାନ
ବାଛି ନେଇ ପାରେନି ବାପା, ମାଆ
ବାଛି ନେଇ ପାରେନି ସୂର୍ଯ୍ୟ, ଚନ୍ଦ୍ର
ବାଛି ନେଇ ପାରେନି ସମୟ ଚକ୍ର।
ଚିହ୍ନି ନିଏ ସଂପର୍କର କ୍ରୁର ହଳାହଳ
ମରଣର ଅପାସୋରା ଡାକ
ମୁଣ୍ଡ ପାତି ସହିନିଏ ଆବୋରି ନିଏ ସେଇ ନିର୍ଜନ ବେଳାକୁ
ଅଗ୍ନି ର ଉତ୍ସବ ଲଗ୍ନରେ ଆହୁତି ଦିଏ ସକଳ ସମୟ, ସ୍ମୃତି,ଘଟଣା
ତାର ଛାତି ତଳର କୋହ ଆଉ ତାର ସମଗ୍ର ଅମର କୋଷ।
Comments
Post a Comment