କବିତା
____ଭିନ୍ନ ଏକ ସାବିତ୍ରୀ ଠିକଣା____
ହେ ଦିବ୍ୟ ସାବିତ୍ରୀ...
ତୁମେ ଯେ ଅନନ୍ୟା,ତୁମେ ବନ୍ଦନୀୟା,
ଏଇ ମନ ଅରଣ୍ୟ ର କେଉଁ ଏକ ଶିଖରରେ ତୁମକୁ କରିଛି ପାଥେୟ,
ମୋ ମନ ଗହନ ଆଭ୍ୟନ୍ତରେ
ତୁମେ ସିନା କର ଅଧିବାସ...
ମୁଁ ତ କରେ ପ୍ରଣୟ ପୂଜା,
ବିଦଗ୍ଧ ହୁଏ ନିତି ପ୍ରେମ ତୃଷାନଳେ,
ପତିବ୍ରତା ପ୍ରେମିକା ଟି ପରି ଭାଳି ହୁଏ, ଭାବିହୁଏ...
ମୋ ଓଷ୍ଠଧାରେ ବହି ଆସେ ବେଗମତି ବନ କନ୍ୟା ଚପଳ ଝରଣା।
ହେ ଦିବ୍ୟ ସାବିତ୍ରୀ....
ତୁମେ ଯେ ପ୍ରେମର ପ୍ରତୀକ,
ମୁଁ ବି ପ୍ରେମିକ ଚିରନ୍ତନ,
ଅଯାଚିତ ବହିଛି ସୃଷ୍ଟି ବେଦନାର,
ତଥାପି ଉଦ୍ଭାସିତ ମୋ ହୃଦୟ ଅନ୍ତଃସ୍ଥଳ,
ନିତ୍ୟ ବିମଣ୍ଡିତ ଅମୃତ ଶାନ୍ତି ର ଧାର...
ତୁମେ ଆଉ ମୁଁ ସଖା ଏକ
ଆଉ କି ଅଛି ବ୍ୟବଧାନ ତାର...???
ହେ ଦିବ୍ୟ ସାବିତ୍ରୀ....
ତୁମେ ସିନା ଜନ୍ମେଜୟ ସେ ଅମାବାସ୍ୟା ରାତ୍ରି ର,
ତୁମେ ବିଦ୍ୟୁତିକା ଚେତନା ଇତିହାସର,
ମୋ ମାନସୀ କୁରଙ୍ଗୀ ନିତ୍ୟ ଅନୁଭବି ତୁମ ସୌରଭର ।
ମୋ ମନ ଦେବାଳୟେ କରେ ତୁମରି ଅର୍ଚ୍ଚିନା,
ହୃଦୟରେ ଯେତେ ପ୍ରୀତି, ଅନୁରାଗ, ଶୀତଳ କାମନା....
ପ୍ରଣୟ ଖୋଜେ ନିର୍ବାଣ,
ସେ ଆଲୋକ ପାଇଁ ମୋର ନୀରବ ପ୍ରାର୍ଥନା,
କରେ ନୀରବ ସାଧନା,
ଏଇ ଦେହ ମନ ଆତ୍ମା ର ପରିଧୀ ଭିତରେ ଦେଖିପାରେ
ମର୍ମେ ମର୍ମ ବୁଝିପାରେ
ଶେଷରେ ମୋ ଭିତରେ ମୁଁ ଖୋଜିପାଏ ମୋର ଅସ୍ତିତ୍ବ, ମୋର ସତିତ୍ବ, ଭିନ୍ନଏକ ସାବିତ୍ରୀ ଠିକଣା।
ମିନାକ୍ଷୀ ଦ୍ବିବେଦୀ
ନିଉ ଦିଲ୍ଲୀ
୭୯୭୮୦୮୨୮୩୪
Comments
Post a Comment