ଜୀବନର ଝରକା ସାମନାରେ
ମୋ ବର୍ତ୍ତମାନ ଆଜି ହାତ ଧରି ଟାଣି ନିଏ ଅତୀତର ଅଳିଆ ଗଦାକୁ...
ଅପର୍ଯ୍ୟାପ୍ତ ସ୍ମୃତି ଭାସିଆସେ
ମୋ ନିଷ୍କପଟୁତା ରେ ନିଆଁ ଲଗେଇ
ସମୟ ସେମିତି ଧୀରେ ଧୀରେ ଚାଲିଥାଏ,
ନିଃସଙ୍ଗତାର ଶଦ୍ଦହୀନ ଅନ୍ଧାର ସୁଅ ବୁଡାଇଦିଏ ପୁଣି ସେଇ ଅତୀତକୁ,
ଆଲୋକ କୁ ତନ୍ନ ତନ୍ନ କରି ଖୋଜିବାର ପ୍ରୟାସ
କେବଳ ମୃତ୍ୟୁ ର ସ୍ବାଧୀନତା ହିଁ ବାଟ କଢାଏ
ସବୁ ଶଦ୍ଦ, ସବୁ ସ୍ବର ତା
ଅବଚେତନ ଦୁନିଆରେ
ଶ୍ରେଷ୍ଠତା ର ଦୂରତା ମାପୁଥାନ୍ତି
ବଞ୍ଚିବାର ଯନ୍ତ୍ରଣା ଭିତରେ
ଗଳଗ୍ରହ ହୋଇ ଗରଳ ପିଉଥାଏ,
ଉନ୍ମୁକ୍ତ ଶ୍ମଶାନ ଓ ଆକାଶ ଲାଗେ
କେଡେ ଉଦାର , ଅବୋଧ।
ମୁକ୍ତିର ଖୋଳପା ଧରି
ବିବର୍ଣ୍ଣ ଅଜସ୍ର ସ୍ମୃତିରେ
ଖ୍ୟାପନ କରେ ଯେତେ ଅର୍ଦ୍ଦନା
ଅଭିମାନ ଯେତେ ଉପଧି।
ଅନିଶ୍ଚିତ ସମୟର ମୁର୍ଦ୍ଧନିରେ,
ଅନନ୍ତ,ଅସୀମ ମୋହରେ,
ମାର୍ଜନା କରେ ଅନାଗତ କେତେ ଜନ୍ମକଥା।
କିନ୍ତୁ ଭାଗ୍ୟ ମୋର ଉଡ଼ି ବୁଲେ
ପ୍ରଜାପତି ପରି ଏ ଡାଳରୁ ,ସେ ଡାଳକୁ ,
ଅଭିମାନୀ ଭୟ ବିଜଡିତ
ହୋଇ ଆଲିଙ୍ଗନ କରେ
ଜିଇଁ ଉଠେ ପୁଣି ମୋ ଭାବନାର ପାନ୍ଥଶାଳା ରେ,
ବିନିର୍ମିତ କବିତାର ଅପଘନ ଅସ୍ତିତ୍ବ ରେ,
ଉଆଁସୀ ଜହ୍ନ ପରି
ଆଦିଗଂତ ଶୂନ୍ୟତା ର ପଞ୍ଜୁରୀ ରେ
ପୁଣି ବନ୍ଦୀ ହୋଇଯାଏ,
ଆଉଜେଇ ନିଏ ସେଇ
ଅଲୋଡା ଜୀବନ କାହାଣୀର
ଅସ୍ତିତ୍ବ ଓ ତାର ଅନ୍ତଃସ୍ୱର।
Comments
Post a Comment