*ଝଡ଼......*
ଲିଭି ନାହିଁ ଲିଭି ନାହିଁ ଆଜି ଯଉବନ ଦୀପ,
ପ୍ରଣୟର ଉଦ୍ଧାମତା ଜଳେ ଦପ ଦପ,
ସରିଆସେ ଦିବସର ଦୀର୍ଘ ଅମ୍ଳଜାନ,
ଶୁଖିଲା ସ୍ନାୟୁ ଆଜି ଅଟେ ଛିନ୍ନ ଭିନ୍ନ।
ନିଶିହୁଏ ସବୁଦିନ ଅମାବାସ୍ୟା ରାତି,
ତଥାପି ମନ ଗାଏ ମୁଗ୍ଧ ପ୍ରଣୟ ଗୀତି।
ଛାତି ତଳ ସ୍ପନ୍ଦନ କରେ ଫୁସୁଫାସ,
ସକାଳର ଅର୍ଦ୍ଧ ଫୁଟା ମଉଳିଆ ହସ।
ବତାସ କରେ ମନ୍ତ୍ରଣା ଭସା ମେଘ ତଳେ,
ତିକ୍ତ, ଅନୁରାଗେ ହୃଦ କାନ୍ଦଇ ଆକୁଳେ।
ଆସିବ ଫଗୁଣ ପିନ୍ଧି ବିଜୟର ଟୀକା,
ଚକ୍ଷୁ ତୀରେ ଜଳି ଉଠିବ ପ୍ରଣୟ ଦୀପିକା।
ବସନ୍ତ ର କଉମୁଦୀ ଅଙ୍କିତ ପ୍ରାଙ୍ଗଣେ,
ମଧୁ ରସେ ବେଷ୍ଟିତ ବାହୁର ବନ୍ଧନେ।
ନିର୍ମୀଳିତ ଚକ୍ଷୁ ଧାରେ ଫୁଟିବ ଖୁସିର ସମ୍ଭାର,
ଅଙ୍ଗେ ଅଙ୍ଗେ ଅନୁଭବେ ପ୍ରେମର ଲହର।
ନିତ୍ୟ ନବ ଉପାଦାନେ ଲତାୟିତ ମନ,
ଜୀବନ ଆଲୋକେ ଗାଇବ ପ୍ରଶାନ୍ତିର ଗାନ।
Comments
Post a Comment