*ସୃଷ୍ଟି ର ସୌରଭ....ହେ ଉତ୍କଳ ଗୌରବ*
ସୁଆଣ୍ଡୋ ଗ୍ରାମର ମୃଣ୍ମୟ ପ୍ରାଙ୍ଗଣେ
ଆସିଲ ତୁମେ ନୁଆ ଅତିଥି,
ମା 'ସ୍ଵର୍ଣ୍ଣମୟୀ' ପୂଣ୍ୟ ମୟୀ କୋଳେ
ବିଞ୍ଚିଲ ଜୀବନ ଜ୍ୟୋତି।
ପିତା "ଦୈତାରି" ଛାୟା ବୃକ୍ଷ ତଳେ
ସଂଚରିଲା ତୁମ ପ୍ରାଣ,
ଝରାଇଲ ମଧୁ ଆନନ୍ଦ ଆଲୋକ
କରିଲ ଲକ୍ଷ ସାଧନ।
ତ୍ୟାଗ,ସେବାର ମୂର୍ତ୍ତି ମନ୍ତ ତୁମେ
ପ୍ରେରଣା ଅଟ ଯୁବ ପିଢୀର,
ଗୁରୁ *ରାମ ଦାସ" ଶିକ୍ଷା ଆଚରି
ବାନ୍ଧିଲ ସେନେହ ଡୋର।
"ସତ୍ୟବାଦୀ ବନବିଦ୍ୟାଳୟ" ସ୍ଥାପିଲ
ତମାଳ ବକୁଳ କୁଞ୍ଜେ,
ପଞ୍ଚସଖା ମିଶି ଝରାଇଲ ଅମୃତ
ନିତି ସକାଳ ସଞ୍ଜେ।
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନେ
ସଦା ଥିଲ ଅଗ୍ରଗାମୀ,
ତବ ଆଗମନେ ମ୍ଳାନ ହେଲା ଦୁଃଖ
ହସିଲା ଉତ୍କଳ ଭୂମି।
ଆତଙ୍କ ଦୁର୍ଭିକ୍ଷ ବନ୍ୟା ବାତ୍ୟା ଦେଖି
ବିଳପି ଉଠିଲା ମନ,
ଦୁଃଖି,ଅରକ୍ଷିତ ଦୁଃଖେ ମର୍ମାହତ
ବାଣ୍ଟିଲ ଅନ୍ନ,ଧନ।
"ସତ୍ୟବାଦୀ", ମହାଦ୍ରୁମ "ସମାଜ"
ଅଟେ ତୁମ ଅବଦାନ,
ସାହିତ୍ୟ ଭାଷାର ଉନ୍ନତି ନିମନ୍ତେ
ବ୍ରତୀ ଥିଲ ରାତିଦିନ।
"ଉତ୍କଳ ମଣି" ନାମେ ଗୌରବ ଲଭିଲ
ସତ୍ୟ,ଧର୍ମ ପଥେ ରହି,
ରସାଣିତ କଲ କାବ୍ୟ,କବିତା
ସଂଗ୍ରାମ ର ବାର୍ତ୍ତା ବହି।
ଯୁବ ସମାଜର ଅଟ ମେରୁଦଣ୍ଡ
ଆଜି ଭି ହେ ବୀର ପୁଙ୍ଗବ
ତୁମ ସ୍ମୃତି ଧରି ତୁମ ପାଦ ଚିହ୍ନେ
ବାଣ୍ଟନ୍ତି ସର୍ବେ ପ୍ରୀତି ସୌରଭ।
ଜୀବନର ଲକ୍ଷ କଳ୍ପନା,ସାଧନା
ମନେ ଭରିଦେଲା ବିଶ୍ବାସ,
ସବୁରି ପ୍ରାଣରେ ଅମୃତର ବିନ୍ଦୁ
ମନେ ଆଣିଦେଲା ଉଚ୍ଛ୍ୱାସ।
ଏ ମାଟି, ପବନ ନିତ୍ୟ ଋଣି ତୁମ
ଭରି ଦେଇଛ ମୁଖେ ହସ
ଆଜିର ଉତ୍କଳ କରେ ନମସ୍କାର
ଆହେ "ଗୋପବନ୍ଧୁ ଦାସ"।
Comments
Post a Comment