ଆଲୋକ ବର୍ତ୍ତିକା ହେ ଜଗତ କର୍ତ୍ତା
ଗୁହାରି ଶୁଣିମା ହେଉ,
ତବ ମଧୁହର୍ଷ ଲାଗୁଛି ବିମର୍ଷ
ଭକ୍ତ ପାଇଁ କି ଦୁଃଖ ପାଉ ???
ଉନ୍ମୁକ୍ତ ତୋ ଦ୍ବାର ଭକ୍ତ ସମାହାର
ଦ୍ରବିଭୂତ ତୋର ନାମେ,
ବିଗଳିତ ହୃଦେ ଦିବ୍ୟ ନିନାଦେ
ଦିବ୍ୟଜ୍ୟୋତି ଦେଖି ଧାମେ।
ମଧୁର ମଳୟ କରେ ଆଲ୍ହାଦିତ
ତନୁ ମନେ ହରି ଯପ,
ପୂଣ୍ୟ ଶ୍ଳୋକ ନାଦ ପାପ କରେ ରଦ୍ଦ
ଦେଖି ତୋର ଦିବ୍ୟ ରୂପ।
ଶାଶ୍ବତ ତୁମେ ତୁମେ ଶାନ୍ତି ପ୍ରୀୟ
ଚିରନ୍ତନ ତୁମେ ସତ୍ୟ,
ସୁକଳ୍ପନା ତୁମେ ସୁମଧୁର ଭାବନା
ତୁମେ ପରଂବ୍ରହ୍ମ ତୃପ୍ତ୍ୟ।
ଅନିନ୍ଦ୍ୟ ତୁମେ ଅନନ୍ତ ସାଗର
ତୁମେ ଦାରୁବ୍ରହ୍ମ ଅଦୀତ୍ଵ,
ଭାବମୟ ତୁମେ ତୁମେ ପ୍ରୀତି ମୟ
କ୍ଷମାମୟ ତୁମେ ନିତ୍ୟ।
ଦଗ୍ଧ ଜୀବନ ରେ ସନ୍ଦିଗ୍ଧ ମନ
ଭାବନା ରେ ହେଲା ଲୀନ,
ଭଗ୍ନ ମନ ରେ ମଗ୍ନ ହୋଇ ଆଜି
ପାଇଲି ମୁଁ ତୋର ସନ୍ଧାନ।
ତିନି ରଥେ ବିଜେ ଦେଖି ବଡ଼ଦାଣ୍ଡେ
ଉଲ୍ଲସିତେ ଅନୁରାଗ
ଦରଶନ ମାତ୍ରେ ହରିନେଲ ଦୁଃଖ
ମିଳିଲା ଶାନ୍ତି ର ମାର୍ଗ।
ମିନାକ୍ଷୀ ଦ୍ବିବେଦୀ
ନିଉ ଦିଲ୍ଲୀ
୭୯୭୮୦୮୨୮୩୪
Comments
Post a Comment