*ବସନ୍ତ ତୁମେ ଫେରିଗଲା ପରେ*
ବସନ୍ତ ଗୋ ତୁମେ ଫେରିଗଲା ପରେ
ମୁହୂଃ ମୁହୂଃ ନାହିଁ ବାସ,
ଖୋଜୁଛି ମୁଁ ତୁମ ପ୍ରେମ ଆଲିଙ୍ଗନ
ରାତି ହେଉଅଛି ଶେଷ।
ତପ୍ତ ଜୀବନରେ ଭରିଦେଲ ପ୍ରେମ
ହୋଇ ମଧୁ ନିର୍ଝରଣୀ,
ରଙ୍ଗର ଫୁଆରେ ଭିଜାଇ ଗୋ ଦେଲ
ହସିଲା ପ୍ରକୃତି ରାଣୀ।
ଶୁଷ୍କ ମରୁଭୂମି ମରିଚୀକା ଆଙ୍କେ
ନିଦାଘ କରଇ ରାଜୁତି,
ଆକାଶର ଆଖି ଯାଇଅଛି ଶୁଖି
କମ୍ପୁଛି ତା ହୃଦୟ ଛାତି।
ନୀରବ ନିର୍ଜନେ ମାଟିରୁ ଆକାଶ
ଝାଞ୍ଜି ବହେ ସାଇଁ ସାଇଁ,
ବସନ୍ତ ଗୋ ତୁମେ ଗଲା ପରେ ପରେ
ଲୁଚି ଲୁଚି କାନ୍ଦେ ମହୀ।
ରୌଦ୍ର ଉତ୍ତାପ ବଢ଼ି ବଢ଼ି ଯାଏ
ମିଟେ ନାହିଁ ତା'ର ତୃଷ୍ଣା,
କୋଇଲିର କୁହୁ ମଧୁର ଗୁଞ୍ଜନ
ନାହିଁ ଆଉ ଫୁଲ ବାସ୍ନା।
ମଧୁବାସ ଆଜି ନିରବେ ଖୋଜୁଛି
ବସନ୍ତ କୁ ଝୁରି ଝୁରି,
ଶରୀରର ତାତି ଖୋଜେ ଶୀତଳତା
ମହୁଲ ନିଶାରେ ଭରି।
ବିରହଣୀ ଆଜି ତୁମ ସ୍ମୃତି ପଖାଳେ
ନିଦାଘ ଶେଯ ରେ ବସି,
ଆଷାଢ଼ ଅଶ୍ରୁ ରେ ପ୍ରେମ ମନ୍ଦାକିନୀ
ଖୋଜୁଅଛି ଦିବା ନିଶି ।
ଆସ ତୁମେ ଫେରି ହେ ବାସନ୍ତୀ ସୁନ୍ଦରୀ
ରଖ ନାହିଁ ମନେ ରୋଷ
ତୁମ ଆଲିଙ୍ଗନ ଚାହୁଁଛି ଏ ପ୍ରାଣ
ମିଟିଯାଉ ଅବସୋସ।
ମିନାକ୍ଷୀ ଦ୍ବିବେଦୀ
ନିଉ ଦିଲ୍ଲୀ
୭୯୭୮୦୮୨୮୩୪
Comments
Post a Comment