Skip to main content

ଉଦାରୀକରଣ ର ୩୧ ବର୍ଷ ସମ୍ପର୍କ ରେ.....*

*ଉଦାରୀକରଣ ର ୩୧ ବର୍ଷ ସମ୍ପର୍କ ରେ.....*

ଦେଶର ଅର୍ଥନୈତିକ ନୀତି ପ୍ରଣୟନ କ୍ଷେତ୍ରରେ ଉଦାରୀକରଣ ଏକ ଯୁଗୋପଯୋଗୀ ପଦକ୍ଷେପ। ଦେଶ ସ୍ବାଧୀନ ପରଠାରୁ ୧୯୯୧ ମସିହା ପର୍ଯ୍ୟନ୍ତ ଅର୍ଥ ବ୍ଯବସ୍ଥା ରେ ଏକ ରକ୍ଷଣଶୀଳ ଯୁଗ୍ମ ସରକାରୀ ଏବଂ ବେସରକାରୀ ପୁଞ୍ଜି ର ପ୍ରାଧାନ୍ୟ ଥିଲା । ବୈଦେଶିକ ପୁଞ୍ଜି ଲଗାଣ,ଆୟାତ ଓ ନିୟାତ ଉପରେ ଅନେକ କଟକଣା ଥିଲା। ସମାଜବାଦ ଚିନ୍ତାଧାରାକୁ ଅନୁସରଣ କରି ଜଗତୀକରଣ ଠାରୁ ଦେଶକୁ ଦୂରେଇ ରଖା ଯାଉଥିଲା । ଫଳତଃ ଦେଶର ବିକାଶ ହାର କିଛି ପରିମାଣରେ ଧିମେଇ ଯାଇଥିଲା।
ଉଦାରୀକରଣ ଅର୍ଥ ହେଲା  ଦେଶର ଅର୍ଥନୀତିକୁ ନିୟନ୍ତ୍ରଣ ରୁ ମୁକ୍ତ କରିବା ବା ଅପସାରଣ କରିବା ଯାହାଦ୍ବାରା ଏକ ମୁକ୍ତ ଅର୍ଥନୈତିକ ପରିବେଶ ସୃଷ୍ଟି ହୋଇପାରିବ। ଏହି ଉଦାରୀକରଣ ନୀତି ମାଧ୍ଯମରେ ଘରୋଇ ଏବଂ ବୈଦେଶିକ ପୁଞ୍ଜି  ଲଗାଣରେ ବାଧା ସୃଷ୍ଟି କରୁଥିବା ନୀତି,ପ୍ରଶାସନିକ ନିୟମ, ପ୍ରଣାଳୀ କୁ  ସରଳ କରାଯାଇ ବିଶ୍ବ ବଜାର ସହିତ ଯୋଡିବା ପାଇଁ  ବ୍ଯବସ୍ଥା କରାଯାଇଥିଲା। ଏହି ପ୍ରକ୍ରିୟାରେ ବିଶ୍ବ ବେପାର ବାଣିଜ୍ୟ ର ସର୍ତ୍ତ ଗୁଡ଼ିକ ଲାଗୁ କରାଯାଏ। 

୨୦୨୨ ଜୁଲାଇ ମାସ ଉଦାରୀକରଣ ର  ୩୧ତମ ବାର୍ଷକୀ ଅଟେ।
୧୯୯୧ ମସିହା ଜୁଲାଇ ୨୪ ତାରିଖ ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଶ୍ରୀ ମନମୋହନ ସିଂହ ଙ୍କ ଦ୍ଵାରା ବଜେଟ ଭାଷଣରେ ଉଦାରିକରଣ ପ୍ରସ୍ତାବ ର ଉଲ୍ଲେଖ କରାଯାଇଥିଲା ଏବଂ ପ୍ରାରିତ କରାଯାଇଥିଲା।

ଆମ ଦେଶ ଯେତେବେଳେ ସ୍ବାଧୀନତା ଲାଭ କଲା ଦେଶର ଅର୍ଥନୈତିକ, ରାଜନୈତିକ ସମସ୍ତ ବ୍ୟବସ୍ଥା ଏକ ଶୈଶବ ଆକାରରେ ଥିଲା । ତାହାରି ଉପରେ ଅନେକ ବିଦେଶୀ ଛଞ୍ଚାଣ ଙ୍କ ଲୋଲୁପ ଦୃଷ୍ଟି ନିବିଦ୍ଧ ଥିଲା। ଅନ୍ତଃରାଷ୍ଟ୍ରୀୟ ବେପାରୀ,ପୁଞ୍ଜିପତି,ବଡ଼ ବଡ଼ ଅନେକ ସଂସ୍ଥା ,ବିକାଶଶୀଳ ଦେଶ ଆମ ଦେଶରେ ଅର୍ଥ ବିନିଯୋଗ କରିବାକୁ ଚାହୁଁଥିଲେ। କିନ୍ତୁ ସେତେବେଳେ ଡର ଥିଲା ସେମାନେ ଆମର ଅର୍ଥନୈତିକ, ରାଜନୈତିକ, ସାମାଜିକ ସ୍ବାଧୀନତା ରେ ପୁଣି ଆଞ୍ଚ ଆଣି ପାରନ୍ତି। ସେମାନଙ୍କ ଇଶାରା ରେ ବା ସେମାନଙ୍କ ଆଜ୍ଞାରେ ବସଉଠ ହବାକୁ ପଡ଼ିପାରେ।ଏମିତି ଅନେକ ଦେଶ ର ଉଦାହରଣ ଅଛି। କିନ୍ତୁ ଯେତେବେଳେ ଆମେ ସ୍ବାବଲମ୍ବୀ ହୋଇପାରିଲୁ ,ନିଜ ଦକ୍ଷତା ଉପରେ ଆମର ଦୃଢ଼ ବିଶ୍ୱାସ ବଢିଲା, ଆମର ଶାସନ ଉପରେ ନିଜର ନିୟନ୍ତ୍ରଣ ରହିଲା ତାହା ପରେ ଅର୍ଥନୈତିଜ୍ଞ, ରାଜନୈତିଜ୍ଞ ,ବଡ଼ ବଡ଼ ବୁଦ୍ଧିଜୀବୀ ଦେଶର ଆହୁରି ବିକାଶ ଓ ପ୍ରସାର ପାଇଁ ଚିନ୍ତା କଲେ।

୧୯୯୦-୧୯୯୧ ମସିହାରେ ଆର୍ଥିକ ସଙ୍କଟ ଦେଖାଗଲା।
ବିଦେଶୀ ମୁଦ୍ରା ର ଘୋର ଅଭାବ ଦେଖାଗଲା।ଦେଶର ସେହି ସମୟରେ ଶ୍ରୀ ମନମୋହନ ସିଂହ ୧୯୯୧ ଜୁଲାଇ୨୪ ରେ ଉପସ୍ଥାପନ କରିଥିଲେ ଐତିହାସିକ ବଜେଟ୍ ଯାହା ଦେଶର ରୁପରେଖ ବଦଳାଇବାରେ ସହାୟକ ହୋଇଥିଲା। ସେହି ଦିନଠାରୁ ଉଦାରୀକରଣ ଯୁଗ ଆରମ୍ଭ ହେଲା ।

ସାଧାରଣତଃ ଉଦାରୀକରଣ___ ଘରୋଇକରଣ ଓ ଜଗତୀକରଣ ଭାବରେ ଜଣା ଯାଇଥାଏ।
ଏହି ମଡେଲ ର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ଵର ବୃହତ୍ତମ ଅର୍ଥନୀତି ସହିତ ତାଳ ଦେଇ ଭାରତର ଅର୍ଥନୀତି କୁ ଏକ ଦ୍ରୁତ ବିକାଶଶୀଳ ଅର୍ଥନୀତି କରିବା। 

ଉଦାରୀକରଣ ନୀତି ପ୍ରଣୟନ ପରେ
ବ୍ୟବସାୟ, ଉତ୍ପାଦନ ଏବଂ ଆର୍ଥିକ ସେବା ସମ୍ବନ୍ଧରେ ଅନେକ ସଂସ୍କାର ଘଟିଛି ଯାହା ଦେଶର ଅର୍ଥନୀତିର ଦକ୍ଷତା ବୃଦ୍ଧିରେ ସହାୟକ ହୋଇଛି।
ଏହି ଉଦାରୀକରଣ ବ୍ଯବସ୍ଥା ଲାଗୁ ହେବା ପରଠାରୁ ଦେଶର ଜିଡିପିରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ବିଭିନ୍ନ ପ୍ରକଳ୍ପର ସ୍ଥାପନାରେ ବ୍ୟାପକ ଅର୍ଥ ବିନିଯୋଗ ସହିତ ଆଧୁନିକରଣ, ବିଶେଷ କରି ଯୋଗାଯୋଗ ବୟନଶିଳ୍ପ, ଅଟୋମୋବାଇଲ,କୋଇଲାଖଣି, ରାସାୟନିକ ଏବଂ ପେଟ୍ରୋ-ରାସାୟନିକ ପଦାର୍ଥ, ଧାତୁ,ଖାଦ୍ୟ, ପ୍ରକ୍ରିୟାକରଣ, ସଫ୍ଟୱେର ଇଣ୍ଡଷ୍ଟ୍ରି, ଇତ୍ୟାଦି ରେ ଅଭୂତପୁର୍ବ ବିକାଶ ହୋଇପାରିଛି।

*ଘରୋଇକରଣ* ନୀତି  ଉଦାରୀକରଣ ଅର୍ଥନୀତିର ଏକ ଅନ୍ୟତମ ଉଲ୍ଲେଖନୀୟ ବୈଶିଷ୍ଟ୍ୟ। ଘରୋଇକରଣ ବାଣିଜ୍ୟ ଏବଂ ସାଧାରଣ ସେବାରେ ବେସରକାରୀ ସଂସ୍ଥା ଗୁଡ଼ିକର ଅଂଶଗ୍ରହଣ ଏବଂ 'ସାର୍ବଜନୀନ କ୍ଷେତ୍ର'ରୁ ଘରୋଇ କ୍ଷେତ୍ର କୁ ମାଲିକାନା ସ୍ଥାନାନ୍ତରିତ କୁ ବୁଝାଏ।
 
ଦେଶର ଅର୍ଥନୀତି ରେ ମୂଖ୍ୟତଃ ସରକାରୀ ପୁଞ୍ଜିର ବିନିଯୋଗ ଉପରେ ନିର୍ଭର ନ କରି ସାଧାରଣ ଲୋକଙ୍କର ପୁଞ୍ଜି ବିନିଯୋଗ ଉପରେ ପ୍ରାଧାନ୍ୟ ଦିଆଯାଏ। ତା ଫଳରେ  ବେଶୀ ଅର୍ଥ ବିନିଯୋଗ ହୋଇପାରୁଛି। ଫଳତଃ ବିଭିନ୍ନ ସଂସ୍ଥା ମାନଙ୍କର ଆର୍ଥିକ ସ୍ଥିତି ସୁଧୁରିବା ସଙ୍ଗେ ସଙ୍ଗେ ସଂସ୍ଥା ଗୁଡ଼ିକ ଉତ୍ପାଦନମୁଖୀ ହୋଇ ପାରିଛି। ବିଭିନ୍ନ ଘରୋଇ ସଂସ୍ଥା ର ସଂଖ୍ୟା ର ବୃଦ୍ଧି ଘଟିଛି।ସେଇ ଘରୋଇ ସଂସ୍ଥା ସ୍ବାଧୀନ ଭାବରେ ବିଦେଶରୁ ଅର୍ଥ ଏବଂ ଔଦକିକ ଜ୍ଞାନର ଆହରଣ କରିବା ପାଇଁ ସୁଯୋଗ ପାଇ ପାରୁଛନ୍ତି।ତେଣୁ ନୂତନ ଓ ଆଧୁନିକ ଶିଳ୍ପର ବିକାଶ ଘଟିଛି।

ଏହା ଫଳରେ ପରିଚାଳନା ଗତ ଦକ୍ଷତା ମଧ୍ଯ ବହୁ ଗୁଣରେ ବୃଦ୍ଧି ପାଇଛି।

*ଜଗତୀକରଣ* ଏକ ପ୍ରକାର ବଜାର ଭିତ୍ତିକ ଅର୍ଥନୀତି। ଏହାଯୋଗୁଁ ବିଶ୍ବ ଅର୍ଥନୀତି ବିକାଶରେ ଆମେ ଭାଗିଦାରୀ ହୋଇ ପାରିଛୁ।
ଏହି ନୀତି କାର୍ଯ୍ୟକାରୀ ହେବା ପରେ ଆମ ଦେଶ ସମଗ୍ର ବିଶ୍ୱ ସହିତ ଉତ୍ପାଦନ, ବାଣିଜ୍ୟ, ଏବଂ ପୁଞ୍ଜି ବିନିଯୋଗରେ ସାମିଲ ହୋଇ ପାରିଛି। ରପ୍ତାନୀ ଓ ଆମଦାନୀ ସୁରୁଖୁରୁରେ ହୋଇ ପାରୁଛି। WTO ପରି ସଂସ୍ଥା ସହିତ ଭାରତ ନିଜକୁ ସାମିଲ କରିବା ଫଳରେ ବିଶ୍ବ ବଜାରରୁ ଅର୍ଥ ସଂଗ୍ରହ ଏବଂ କୌଶଳ ବିକାଶ କ୍ଷେତ୍ର ରେ ଅନେକ ସୁବିଧା ଆଣି ପାରିଛି। ମୁଖ୍ୟତଃ ଆମର IT ସର୍ଭିସରେ ଆମ ଭାରତ ନିଜକୁ ମୂଖ୍ୟ ଭାଗିଦାରୀ ହିସାବରେ ନିଜକୁ ସ୍ଥାପନା କରି ପାରିଛି‌ । ବିଶ୍ବବଜାର ସହିତ ସଂଶ୍ଳିଷ୍ଟ ହୋଇପାରିଛି। 
ବିଦେଶୀ ଶିଳ୍ପପତି ଆମ ଦେଶର କଳକାରଖାନା ମାନଙ୍କ ରେ ଯେପରି ଅଧିକ  ପୁଞ୍ଜି ବିନିଯୋଗ କରିପାରିବେ ତା ଛଡା ନୂଆ କଳକାରଖାନା ସ୍ଥାପନା କରି ପାରିବେ , ସେଥିପାଇଁ ଅନେକ କଟକଣାକୁ କୋହଳ କରା ଯାଇଛି। ସେହିପରି ଆମ ଦେଶର ଶିଳ୍ପଦ୍ୟୋଗି ମାନେ ମଧ୍ୟ ଅନ୍ୟ ଦେଶରେ କଳକାରଖାନା ସ୍ଥାପନା କରିବାରେ ସୁଯୋଗ ପାଇ ପାରିଛନ୍ତି।
ତେଣୁ ପୂର୍ବରୁ ପ୍ରଚଳିତ ଥିବା ବିଭିନ୍ନ ପ୍ରକାରର ଟିକସ କୁ, ଶୁକ୍ଳ ହାର ହ୍ରାସକୁ ଉଚ୍ଛେଦ କରିବା ସହ କେତେକ କଟକଣା ମଧ୍ୟ କୋହଳ କରା ଯାଇଛି।
ଏହା ଫଳରେ ଭାରତ ଅର୍ଥନୈତିକ, ସାମାଜିକ ଏବଂ ଭୌଗଳିକ ସୀମା ବାହାରେ ନେଟୱର୍କ ଏବଂ କାର୍ଯ୍ୟ ଶୈଳୀ ସହ ଜଡ଼ିତ ହୋଇ ପାରିଲା।
ଶାରୀରିକ, ଭୌଗୋଳିକ ପାର୍ଥକ୍ୟ କିମ୍ବା ରାଜନୈତିକ ସୀମା ଆଉ ଏକ ବ୍ୟବସାୟିକ ଉଦ୍ୟୋଗ ପାଇଁ ପୃଥିବୀ ର ଏକ ଦୂର ଭୌଗୋଳିକ ବଜାରରେ ଗ୍ରାହକ ଙ୍କୁ ସେବା କରିବା ପାଇଁ ପ୍ରତିବନ୍ଧକ ହୋଇ ପାରିନାହିଁ।।

ଘରୋଇକରଣ ଓ ଜଗତୀକରଣ ଫଳରେ CNBC TV 18  ଅନୁଯାୟୀ ଆମ ଦେଶରେ GDP ୧୯୯୧ରେ ୨୭୫ ବିଲିଅନ ଡଲାର ଥିଲାବେଳେ ଏବେ ୨୦୨୨ ରେ ଏହା ଦଶ ଗୁଣ ବୃଦ୍ଧି ପାଇଁ ପ୍ରାୟ ୨ ଟ୍ରିଲିଅନ ଡଲାର ହୋଇ ଯାଇଛି।
GDP/capita ୧୯୯୧ ରେ ୩୨୦ ଡଲାର ଥିଲାବେଳେ ଏହା ଏବେ ବୃଦ୍ଧି ପାଇଁ ୨୧୭୫ଡଲାର ହୋଇ ପାରିଛି।

କିନ୍ତୁ ଏହି ଉଦାରୀକରଣର ମଧ୍ୟ ବିପରୀତ ପ୍ରଭାବ କିଛି ପରିମାଣରେ ଦେଖା ଯାଇଛି।
ଯଦିଓ ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଘରୋଇ ସଂସ୍ଥା ଉତ୍ତମ ମାନର ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ଓ ଶିକ୍ଷା ପ୍ରଦାନ କରୁଛନ୍ତି। କିନ୍ତୁ  ଶିକ୍ଷା  ଓ ସ୍ବାସ୍ଥ୍ୟ ସେବା ର ମୂଲ୍ୟ ଏତେ ବଢି ଯାଇଛି  ଯେ ଅଶି ପ୍ରତିଶତ ଜନତା ତାକୁ ଦେବାପାଇଁ ସକ୍ଷମ ହୋଇ ପାରୁ ନାହାଁନ୍ତି। କେତେକ ସ୍ବାର୍ଥନ୍ବେଷୀ ଘରୋଇ ବ୍ୟବସାୟିକ ସଂସ୍ଥା ଚଞ୍ଚକତା କରି ବିଭିନ୍ନ ସରକାରୀ ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବା କେନ୍ଦ୍ର ଗୁଡିକୁ ପ୍ରାୟ ଅଚଳ କରି ଦେଉଛନ୍ତି।ତେଣୁ ଦେଶର ମୂଖ୍ୟ ସ୍ରୋତ ଦେଶର ବିକାଶ ରାସ୍ତାରୁ ବିପରୀତ ମୁଖୀ ହୋଇ ଯାଉଛନ୍ତି।ଯାହାକି ଆମର ଆଗାମୀ ଭବିଷ୍ୟତ ପାଇଁ ଶୁଭ ସଂକେତ ନୁହେଁ।
ତେଣୁ ଏ କ୍ଷେତ୍ରରେ ସରକାରଙ୍କ ଦାୟିତ୍ଵ ନିହାତି ଗୁରୁତ୍ୱପୂର୍ଣ୍ଣ ଅଟେ। ଉଦାରୀକରଣ ର ସୁଯୋଗ ନେଇ ବିଭିନ୍ନ ଅସାଧୁ ବ୍ୟବସାୟୀମାନେ ମଧ୍ୟ ସରକାରୀ ବ୍ୟାଙ୍କରୁ ବହୁଳ ଅର୍ଥ ଋଣ ନେଇ ପରିଶୋଧ କରୁ ନାହାନ୍ତି। ଫଳରେ ଦେଶର ଅର୍ଥନୀତି ଉପରେ ଚାପ ପଡୁଛି। 

ଜଗତୀକରଣ ଯୋଗୁଁ ବିଶ୍ବ ବଜାରରେ ରାଜନୈତିକ ପରିବେଶରେ ପ୍ରତିକୂଳ ପରିସ୍ଥିତି ରେ ଆମକୁ ମଧ୍ୟ ତଦନୁଯାୟୀ ପ୍ରତିକୁଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି।
ଉଦାହରଣ ସ୍ୱରୂପ ଋଷିଆ ଓ ଇଉକ୍ରେନ ର ପ୍ରତିକୁଳ ପ୍ରଭାବ ଆମ ଦେଶର ଅର୍ଥନୈତିକ ବିକାଶ କୁ ପ୍ରଭାବିତ କରିଛି।

ଦେଶର ଅର୍ଥନୈତିକ ନୀତି ନିୟମ ରେ ଉଦାରୀକରଣ ଏକ ମାଇଲଖୁଣ୍ଟ।  ଉଦାରୀକରଣ ନୀତି ପ୍ରଣୟନର ସମୟ ଏବଂ ଆନୁସଙ୍ଗିକ ବିଷୟରେ ତର୍କ ବିତର୍କ ହୋଇପାରେ କିନ୍ତୁ ଏହାର ଆବଶ୍ଯକତା ବିଷୟରେ କୌଣସି ମତାନ୍ତର ନାହିଁ ।
ଉଦାରୀକରଣ ଏକ ପ୍ରକ୍ରିୟା। ସମୟ ସମୟ ରେ ଏହାର ତର୍ଜମା ଏବଂ ସଂଶୋଧନର ଆବଶ୍ଯକତା ଅଛି। ନୀତି ନିୟାମକ ସଂସ୍ଥା ସବୁକୁ ଆହୁରି ଶକ୍ତିଶାଳି କରିବାର ଆବଶ୍ଯକତା ଅଛି।
ପୂର୍ବତନ ପ୍ରଧାନମନ୍ରୀ ଶ୍ରୀ
ନରସିଂହ ରାଓଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଓ ଶ୍ରୀ ମନମୋହନ ସିଂହ ଙ୍କ ଅର୍ଥନୀତି ଉପରେ ଗଭୀର ଜ୍ଞାନ ଉଦାରୀକରଣ କୁ ଜନ୍ମ ଦେଇଥିଲା।
ଯାହାଦ୍ବାରା ଆମେ ଏବେ ବିଶ୍ଵ ରେ ଦ୍ରୁତ ବିକାଶଶୀଳ ଦେଶ ଭାବରେ ପରିଗଣିତ ହୋଇପାରିଛୁ।


*ମିନାକ୍ଷୀ ଦ୍ବିବେଦୀ*
*୭୯୭୮୦୮୨୮୩୪*

Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...