*ଜୟ ଗଣପତି*
ଶ୍ରାବଣୀ ବର୍ଷାରେ ଭିଜି ଭିଜି ଆଜି
ଭାଦୁଅ ଆସିଛି ଧାଇଁ,
ନବ ଦୂର୍ବାଦଳେ,ସ୍ବର୍ଣ୍ଣ ଶସ୍ୟ ଶିରେ
ବିନାୟକ ବିଜେ ପାଇଁ।
ଆଦ୍ୟ ମଳୟେ ବାଢିଛି ପ୍ରକୃତି
ସୁଗଭୀର ଅନୁରାଗେ,
ସକଳ ପୂଜାର ଆଦ୍ୟଧର ଦେବ
ଆଶୀଷ ଦେବେ ସରାଗେ।
ଧୂପ, ପୁଷ୍ପ ଦେଇ କରୁଛୁ ସ୍ବାଗତ
ଆହେ ବିଘ୍ନ ବିନାଶକ,
ଥାଉ ଅନୁରାଗ ନିତ୍ୟ ଦେବ ତବ
ବିପଦର ସହାୟକ।
ମଙ୍ଗଳ ମୂରତି ଆହେ ବିଘ୍ନହର୍ତ୍ତା
ସିଦ୍ଧି, ବୁଦ୍ଧି ପ୍ରଦାୟକ
ତବ ନାମ ସ୍ମରି ପ୍ରାଣ ପର୍ଣ୍ଣାଳୟେ
ଜାଗେ ମଧୁର ପୁଲକ।
ମାତୃ ଆଜ୍ଞା କାରୀ କରିଲ ବଇରୀ
ଯୁଦ୍ଧ କରି ପିତା ସହ
ଗଜାନନ ନାମେ ହୋଇଲେ ବିଖ୍ୟାତ
ପୋଛିଲ ମାତାଙ୍କ ଲୁହ।
ବନ୍ଦେ ମହାକାୟ, ହେ ମୋଦକ ପ୍ରିୟ
ତୁମେ ହିଁ ଅଗ୍ର ଆବାହନ,
ଭଗ୍ନ ମନକୁ ନିର୍ବିଘ୍ନରେ ପ୍ରଭୁ
କରାଅ ଅମୃତ ପାନ।
ମୂଷିକ ର ପୃଷ୍ଠେ ହୋଇ ଉପବିଷ୍ଟ
ମାତାପିତା ଚର୍ତୁପାଶ୍ବେ,
ଭ୍ରମଣ କରି ହରାଇ ଭାଇକୁ
ରଖିଲ ଯଶ ଏ ବିଶ୍ବେ।
ଏ ପବିତ୍ର ପାର୍ବଣେ କରୁଛୁ ଆହ୍ବାନ
ଆହେ ଶୈଳ ସୁତା ସୁତ,
ଅଜ୍ଞାନ,ଅନ୍ଧାର ଦୂର ହଉ ପ୍ରଭୁ
କରୁ ଭକ୍ତି ପ୍ରଣିପାତ।
Comments
Post a Comment