*ଅଫେରା ରାଇଜ ର ଯାତ୍ରୀ*
ସମୟର ଚକ୍ର ଏମିତି ଅନବରତ ଘୁରି ବୁଲୁଛି।ତାର ଅକ୍ଷାଂଶ, ଦ୍ରାଘିମା ଭିତରେ ଆମେ ସମସ୍ତେ ଏକ ଏକ କ୍ଷୁଦ୍ର ଅଣୁ ସଦୃଶ। କିନ୍ତୁ ସମସ୍ତ ଙ୍କ ଗନ୍ତବ୍ୟ ସ୍ଥଳ ସେଇ ଗୋଟିଏ ଜାଗାକୁ।ସମୟର ଋତୁଚକ୍ରରେ ଭିନ୍ନ ଭିନ୍ନ ଋତୁର ବାସ ପରି ଜୀବନର ଋତୁ ଚକ୍ର ରେ ହସ, ଲୁହ ,ସ୍ନେହ, ମମତା,ଦୁଃଖ,ସୁଖର ମିଶ୍ରଣ ର ଗାଡି ଚାଲିଥାଏ।ଜୀବନ ଚକ୍ର ର କ୍ରୁର କଟାକ୍ଷ ଇଙ୍ଗିତରେ ସମସ୍ତେ ବନ୍ଧା।
ଆମେ ସବୁ ଜାଣିଛେ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେବି ମରଇ।
ଜନ୍ମରେ ନିଶ୍ଚିତତା ନାହିଁ, କିନ୍ତୁ ଜନ୍ମ ହେଇଛେ ମାନେ ମୃତ୍ୟୁ ଧ୍ରୁବ ସତ୍ୟ।
ସୃଷ୍ଟି ରୁ ବିଲୟ ବିଲୟ ରୁ ସୃଷ୍ଟି ଯାଏ ମୃତ୍ୟୁ ର ଅଧୀନ ଆମେ ଜିଉଁଥିବା ଜୀବନ। ମୃତ୍ୟୁ ରୁ ଜୀବନର ଆରମ୍ଭ ଜୀବନ ରୁ ମୃତ୍ୟୁ।ଜଣଙ୍କ ବିନା ଆଉଜଣେ ଅସଂପୂର୍ଣ୍ଣ।
ଉଭୟ ଜନ୍ମ ମୃତ୍ୟୁ ମୁଦ୍ରା ର ଦୁଇ ପାର୍ଶ୍ଵ ଭଳି।
ଯାତ୍ରା ହିଁ ଏକମାତ୍ର ସତ୍ୟ।
ତେବେ ମୃତ୍ୟୁକୁ ଏତେ ଭୟ କାହିଁକି?
ତଥାପି ସମସ୍ତେ ସ୍ନେହ ମମତା ଡୋରରେ ଏମିତି ବନ୍ଧା ଥାଉ ଜଣଙ୍କର ଅଚାନକ ଅନୁପସ୍ଥିତ ବି ଅସହ୍ୟ ବୋଧ ହୁଏ।
ଆପଣ ମାଉସୀ ସେଇ ମୃତ୍ୟୁ ର ଚକ୍ରବ୍ୟୁହ ରେ ଫଶି ଯାଇଛନ୍ତି। ଯେଉଁ ଥିରୁ ମୁକୁଳିବାର ବାଟ ନଥାଏ।
ଆପଣ ଙ୍କର ସ୍ମିତ ହସ,ସ୍ବଳ୍ପ ଭାଷ ସମସ୍ତ ଙ୍କ ହୃଦୟରେ ବାସ କରି ଯାଇଛି।ଯେତେବେଳେ ଦେଖାହୁଏ ବହୁତ ଖୁସି ହୋଇ ଯା'ନ୍ତି।କେମିତି ଅଛୁ । ନନା ,ବୋଉ ତୋର କେମିତି ଅଛନ୍ତି ନିଶ୍ଚୟ ପଚାରନ୍ତି। ଆସିବୁ ନିଶ୍ଚୟ ସେଇ କଅଁଳ ମିଷ୍ଟ ଆଳାପରେ ମନ କିଣି ନେଇଥିଲେ। ଝିଅ, ଜୋଇଁ,ପୁଅ,ବୋହୁ, ନାତି,ନାତଣୀଙ୍କୁ ନେଇ ଆପଣଙ୍କର ଭରପୁର ଖୁସିର ସଂସାରର ମଙ୍ଗ ଧରିଥିଲେ। ଆପଣ ଥିଲେ ପରିବାରର ମେରୁଦଣ୍ଡ।
ସୁରକ୍ଷିତ ଜୀବନର ସଂଧାନର ଅବିଶ୍ରାନ୍ତ ଦୌଡ଼ରେ ସ୍ବାଧୀନତା ବନ୍ଧା ପକେଇଥିଲେ ନିଜକୁ। କର୍ତ୍ତବ୍ୟର କଣ୍ଟକିତ ପଥରେ ଫୁଲ ଶେଜ ପାରିବାର ଉଦ୍ୟମରେ ହସି ଉଠିଥିଲା ଆପଣଙ୍କ ର ସ୍ବର୍ଗ ପୁରୀ।
ସଂକ୍ଷେପରେ କହିବାକୁ ଗଲେ ଆପଣ ନିଆରା ମଣିଷ ଟେ ଥିଲେ।
ଆଜି ଆପଣଙ୍କ ବିହୁନେ ସମସ୍ତେ ମର୍ମାହତ।ଅନ୍ତରର କୋହ, ବେଦନାକୁ ହୃଦୟରେ ଜାକି ସମସ୍ତେ ବାଧ୍ୟ ହୋଇ ଆଗକୁ ବଢି ଚାଲିଛନ୍ତି। ଆପଣ ଙ୍କର ଆଶୀର୍ବାଦ ର କର କମଳର ସ୍ପର୍ଶ ମନରେ ଦୃଢ ବିଶ୍ବାସ ଜଗେଇଛି। କ୍ଳାନ୍ତ ଅପରାହ୍ନ ଆଖିରେ ପରସ୍ତ ପରସ୍ତ ଧୂଳି କଣାର ଆସ୍ତରଣ ଆଚ୍ଛନ୍ନ କରିଛି। ଆପଣଙ୍କ ବିନା ଘରଟା ବୃକ୍ଷ ଶୂନ୍ୟ ଟାଙ୍ଗରା ଭୂଇଁ ଲାଗୁଛି। ସେଇ ଶୀତଳ ଛାୟା ର ସ୍ପର୍ଶ ରେ ବଞ୍ଚୁଥିବା ଶାଖା ପ୍ରଶାଖା ଭାରସାମ୍ୟ ହରେଇଛନ୍ତି ସତ । ତଥାପି ଅଫେରା ରାଇଜରେ ହସି ହସି ଆପଣଙ୍କ ବରଦାୟକ ହସ୍ତ ସମସ୍ତ ଙ୍କ ଶିରରେ ମଣ୍ଡିତ ଅଛି ଏହି ଦୃଢ଼ ବିଶ୍ୱାସ ରେ ଆଗକୁ ବଢି ଚାଲିଛନ୍ତି।
ମୃତ୍ୟୁ ର ହିମ ଶୀତଳ ସ୍ପର୍ଶ ହିଁ ସବୁ ଦୁଃଖ, ଯନ୍ତ୍ରଣା ର ଯବନିକା ଟାଣିଥାଏ ସତ । ତଥାପି ଏଇ ଦୁଇଟି ଅକ୍ଷର ପ୍ରାପ୍ତି,ଅପ୍ରାପ୍ତିର ତ୍ରିଶଙ୍କୁ ଭିତରେ ଜୀବନର ସତ୍ୟତା ବୁଝେଇ ଦିଏ।
ଏଇ ଦୁର୍ବାର ସତ୍ୟ ନିକଟରେ ଆମେ ତ ଛାର ମାଟିର କଣ୍ଢେଇ।
ଏହି କ୍ଷତର ତ ଉପଶମ ନାହିଁ।
ଆପଣଙ୍କ ପଦ୍ମପାଦ ଯୁଗଳରେ ଆମର ଶତତ ନମନ।
ସ୍ବର୍ଗ ର ପାରିଯାତର ମହ ମହ ବାସରେ ଆପଣ ସେମିତି ସର୍ବଦା ହସୁଥାନ୍ତୁ।
ଆପଣଙ୍କ ଆଶୀର୍ବାଦ କମଣ୍ଡଳୁ ରୁ ସର୍ବଦା ଆଶୀର୍ବାଦ ଦେଉଥାନ୍ତୁ।
*ମିନାକ୍ଷୀ ଦ୍ବିବେଦୀ*
Comments
Post a Comment