Skip to main content

ଅଫେରା ରାଇଜ ର ଯାତ୍ରୀ*

*ଅଫେରା ରାଇଜ ର ଯାତ୍ରୀ*

ସମୟର ଚକ୍ର ଏମିତି ଅନବରତ ଘୁରି ବୁଲୁଛି।ତାର ଅକ୍ଷାଂଶ, ଦ୍ରାଘିମା ଭିତରେ ଆମେ ସମସ୍ତେ ଏକ ଏକ କ୍ଷୁଦ୍ର ଅଣୁ ସଦୃଶ। କିନ୍ତୁ ସମସ୍ତ ଙ୍କ ଗନ୍ତବ୍ୟ ସ୍ଥଳ ସେଇ ଗୋଟିଏ ଜାଗାକୁ।ସମୟର ଋତୁଚକ୍ରରେ ଭିନ୍ନ ଭିନ୍ନ ଋତୁର ବାସ ପରି ଜୀବନର ଋତୁ ଚକ୍ର ରେ ହସ, ଲୁହ ,ସ୍ନେହ, ମମତା,ଦୁଃଖ,ସୁଖର ମିଶ୍ରଣ ର ଗାଡି ଚାଲିଥାଏ।ଜୀବନ ଚକ୍ର ର କ୍ରୁର କଟାକ୍ଷ ଇଙ୍ଗିତରେ ସମସ୍ତେ ବନ୍ଧା।

ଆମେ ସବୁ ଜାଣିଛେ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେବି ମରଇ।
ଜନ୍ମରେ ନିଶ୍ଚିତତା ନାହିଁ, କିନ୍ତୁ ଜନ୍ମ ହେଇଛେ ମାନେ ମୃତ୍ୟୁ ଧ୍ରୁବ ସତ୍ୟ।

ସୃଷ୍ଟି ରୁ ବିଲୟ ବିଲୟ ରୁ ସୃଷ୍ଟି ଯାଏ ମୃତ୍ୟୁ ର ଅଧୀନ ଆମେ ଜିଉଁଥିବା ଜୀବନ। ମୃତ୍ୟୁ ରୁ ଜୀବନର ଆରମ୍ଭ ଜୀବନ ରୁ ମୃତ୍ୟୁ।ଜଣଙ୍କ ବିନା ଆଉଜଣେ ଅସଂପୂର୍ଣ୍ଣ।
 ଉଭୟ ଜନ୍ମ ମୃତ୍ୟୁ ମୁଦ୍ରା ର ଦୁଇ ପାର୍ଶ୍ଵ ଭଳି।
ଯାତ୍ରା ହିଁ ଏକମାତ୍ର ସତ୍ୟ।
ତେବେ ମୃତ୍ୟୁକୁ ଏତେ ଭୟ କାହିଁକି?
ତଥାପି ସମସ୍ତେ ସ୍ନେହ ମମତା ଡୋରରେ ଏମିତି ବନ୍ଧା ଥାଉ ଜଣଙ୍କର ଅଚାନକ ଅନୁପସ୍ଥିତ ବି ଅସହ୍ୟ ବୋଧ ହୁଏ।

ଆପଣ ମାଉସୀ ସେଇ ମୃତ୍ୟୁ ର ଚକ୍ରବ୍ୟୁହ ରେ ଫଶି ଯାଇଛନ୍ତି। ଯେଉଁ ଥିରୁ ମୁକୁଳିବାର ବାଟ ନଥାଏ।
ଆପଣ ଙ୍କର ସ୍ମିତ ହସ,ସ୍ବଳ୍ପ ଭାଷ ସମସ୍ତ ଙ୍କ ହୃଦୟରେ ବାସ କରି ଯାଇଛି।ଯେତେବେଳେ ଦେଖାହୁଏ ବହୁତ ଖୁସି ହୋଇ ଯା'ନ୍ତି।କେମିତି ଅଛୁ । ନନା ,ବୋଉ ତୋର କେମିତି ଅଛନ୍ତି ନିଶ୍ଚୟ ପଚାରନ୍ତି। ଆସିବୁ ନିଶ୍ଚୟ ସେଇ କଅଁଳ ମିଷ୍ଟ ଆଳାପରେ ମନ କିଣି ନେଇଥିଲେ। ଝିଅ, ଜୋଇଁ,ପୁଅ,ବୋହୁ, ନାତି,ନାତଣୀଙ୍କୁ ନେଇ ଆପଣଙ୍କର ଭରପୁର ଖୁସିର ସଂସାରର ମଙ୍ଗ ଧରିଥିଲେ। ଆପଣ ଥିଲେ ପରିବାରର ମେରୁଦଣ୍ଡ।

ସୁରକ୍ଷିତ ଜୀବନର ସଂଧାନର ଅବିଶ୍ରାନ୍ତ ଦୌଡ଼ରେ ସ୍ବାଧୀନତା ବନ୍ଧା ପକେଇଥିଲେ ନିଜକୁ। କର୍ତ୍ତବ୍ୟର କଣ୍ଟକିତ ପଥରେ ଫୁଲ ଶେଜ ପାରିବାର ଉଦ୍ୟମରେ ହସି ଉଠିଥିଲା ଆପଣଙ୍କ ର ସ୍ବର୍ଗ ପୁରୀ।
ସଂକ୍ଷେପରେ କହିବାକୁ ଗଲେ ଆପଣ ନିଆରା ମଣିଷ ଟେ ଥିଲେ।

ଆଜି ଆପଣଙ୍କ ବିହୁନେ ସମସ୍ତେ ମର୍ମାହତ।ଅନ୍ତରର କୋହ, ବେଦନାକୁ ହୃଦୟରେ ଜାକି ସମସ୍ତେ ବାଧ୍ୟ ହୋଇ ଆଗକୁ ବଢି ଚାଲିଛନ୍ତି। ଆପଣ ଙ୍କର ଆଶୀର୍ବାଦ ର କର କମଳର ସ୍ପର୍ଶ ମନରେ ଦୃଢ ବିଶ୍ବାସ ଜଗେଇଛି। କ୍ଳାନ୍ତ ଅପରାହ୍ନ ଆଖିରେ ପରସ୍ତ ପରସ୍ତ ଧୂଳି କଣାର ଆସ୍ତରଣ ଆଚ୍ଛନ୍ନ କରିଛି। ଆପଣଙ୍କ ବିନା ଘରଟା ବୃକ୍ଷ ଶୂନ୍ୟ ଟାଙ୍ଗରା ଭୂଇଁ ଲାଗୁଛି। ସେଇ ଶୀତଳ ଛାୟା ର ସ୍ପର୍ଶ ରେ ବଞ୍ଚୁଥିବା ଶାଖା ପ୍ରଶାଖା ଭାରସାମ୍ୟ ହରେଇଛନ୍ତି ସତ । ତଥାପି ଅଫେରା ରାଇଜରେ ହସି ହସି ଆପଣଙ୍କ ବରଦାୟକ ହସ୍ତ ସମସ୍ତ ଙ୍କ ଶିରରେ ମଣ୍ଡିତ ଅଛି ଏହି ଦୃଢ଼ ବିଶ୍ୱାସ ରେ ଆଗକୁ ବଢି ଚାଲିଛନ୍ତି।

ମୃତ୍ୟୁ ର ହିମ ଶୀତଳ ସ୍ପର୍ଶ ହିଁ ସବୁ ଦୁଃଖ, ଯନ୍ତ୍ରଣା ର ଯବନିକା ଟାଣିଥାଏ ସତ । ତଥାପି ଏଇ ଦୁଇଟି ଅକ୍ଷର ପ୍ରାପ୍ତି,ଅପ୍ରାପ୍ତିର ତ୍ରିଶଙ୍କୁ ଭିତରେ ଜୀବନର ସତ୍ୟତା ବୁଝେଇ ଦିଏ।
ଏଇ ଦୁର୍ବାର ସତ୍ୟ ନିକଟରେ ଆମେ ତ ଛାର ମାଟିର କଣ୍ଢେଇ।
ଏହି କ୍ଷତର ତ ଉପଶମ ନାହିଁ।
ଆପଣଙ୍କ ପଦ୍ମପାଦ ଯୁଗଳରେ ଆମର ଶତତ ନମନ।
ସ୍ବର୍ଗ ର ପାରିଯାତର ମହ ମହ ବାସରେ ଆପଣ ସେମିତି ସର୍ବଦା ହସୁଥାନ୍ତୁ।
ଆପଣଙ୍କ ଆଶୀର୍ବାଦ କମଣ୍ଡଳୁ ରୁ ସର୍ବଦା ଆଶୀର୍ବାଦ ଦେଉଥାନ୍ତୁ।

*ମିନାକ୍ଷୀ ଦ୍ବିବେଦୀ*

Comments

Popular posts from this blog

ଅଳସୁଆ ଦୁଃଖ ପାଏ (ଶିଶୁ କବିତା )✓

ଅଳସୁଆ ଦୁଃଖ ପାଏ ସମୟ ହାତରେ ଘଣ୍ଟି, ଟିକ୍–ଟିକ୍ କରି କୁହେ  “ଉଠ, ଚାଲ, ସୃଷ୍ଟି କର।” କିନ୍ତୁ ଅଳସୁଆ ଶୋଇ ରହେ, ଚାଦରକୁ ଭାବେ ସ୍ଵପ୍ନର ରାଜ୍ୟ, କାରଣ ସେ ପ୍ରକୃତିର ନିୟମରୁ ବିପରୀତ କରିଥାଏ। ପ୍ରକୃତି କେବେ ଅଳସୁଆ ନୁହେଁ ସୂର୍ଯ୍ୟ ନିତ୍ୟ ଉଦୟ ହୁଏ, ନଦୀ ସଦା ବହେ, ଗଛ ସଦା ବୃଦ୍ଧି ପାଏ, ପକ୍ଷୀ ସଦା ପରିଶ୍ରମରେ ନୀଡ଼ ଗଢ଼େ।  ଯେପରି ବୀଜ ମାଟିରେ ପଡ଼ି ଶ୍ରମର ସ୍ନେହ ପାଇଲେ ଗଛରେ ପରିଣତ ହୁଏ, ତେଣୁ ମଣିଷର ଭାଗ୍ୟ କେବଳ କାର୍ଯ୍ୟରେ ପ୍ରସ୍ଫୁଟିତ। କାର୍ଯ୍ୟହୀନ ବୀଜ ଶୁଖିଯାଏ, ଜୀବନର କାଳୀନୀ କୌଣସି ଫଳ ଦିଏନାହିଁ। ଜୀବନ ହେଉଛି ଏକ ପ୍ରବାହମାନ ନଦୀ, ଯେଉଁଥିରେ ସମୟର ଝରଣା ନିରନ୍ତର ପ୍ରବାହିତ ହୋଇ ବହିଯାଏ। କର୍ମରେ ରହିଛି ଆନନ୍ଦ, ଶ୍ରମରେ ରହିଛି ସ୍ୱାଧୀନତା, ପରିଶ୍ରମରେ ହିଁ ମଣିଷ ନିଜ ଆତ୍ମାକୁ ଜୀବନ୍ତ କରିଥାଏ। ତତ୍ତ୍ୱ କୁହେ... କର୍ମ ହିଁ ଯଜ୍ଞ, ଶ୍ରମ ହିଁ ଧ୍ୟାନ, ପରିଶ୍ରମ ହିଁ ମୁକ୍ତିର ପଥ। କର୍ମଯୋଗୀ ସମୟ ସହିତ  ଏକତାରେ ସ୍ଵୟଂକୁ ଦେଖେ। ତା’ର ପାଇଁ ପ୍ରତ୍ୟେକ କ୍ଷଣ ହୁଏ ଅମୃତ, ପ୍ରତ୍ୟେକ କାର୍ଯ୍ୟ ହୁଏ ଉପାସନା। ଅଳସୁଆ ମନରେ ସ୍ୱପ୍ନ ଥାଏ, କିନ୍ତୁ ହାତ ଆଗକୁ ବଢ଼େନି, ଚକ୍ଷୁରେ ଆଶା ଭରିଥାଏ, କିନ୍ତୁ ପାଦେ ପାଦେ ମନ୍ଥରତାର ବେଡ଼ି। ତା’ର ହାତରେ ରହିଯାଏ କେବଳ  ଦୁଃଖର ଖାଲିପଣ ଓ ପଶ୍ଚାତ୍ତାପର ଲୁହ। ମିନାକ୍ଷୀ ଦ୍ବିବେଦୀ  ୭୯୭୮୦୮୨୮୩୪ ଗୁରୁ ଗ୍ରାମ...

ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ”

“ଚିପକୋର ପ୍ରେରଣା: ବିଶ୍ନୋଇ ନାରୀର ଅଦମ୍ୟ ସାହସ” ମାନବ ଇତିହାସ ଅଗଣିତ ବଳିଦାନର ସାକ୍ଷୀ। କେହି ଦେଶ ପାଇଁ, କେହି ଧର୍ମ ପାଇଁ, କେହି ସତ୍ୟ ପାଇଁ ପ୍ରାଣ ଦେଇଥାନ୍ତି। କିନ୍ତୁ ପ୍ରକୃତି ପାଇଁ ପ୍ରାଣ ଆହୁତି ଦେବାର ଉଦାହରଣ ଅତ୍ୟନ୍ତ ଦୁର୍ଲଭ । ମାନବ ସଭ୍ୟତାର ଇତିହାସରେ କେତେକ ଏମିତି ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ  ନିଜ ସ୍ଵାର୍ଥକୁ ତ୍ୟାଗ କରି ସାମୂହିକ ମୂଲ୍ୟବୋଧ ପାଇଁ ଜୀବନ ଦେଇଛନ୍ତି। ହିମାଳୟ ଅଞ୍ଚଳରେ ଜଙ୍ଗଲ ସଂରକ୍ଷଣ ପାଇଁ ଚିପକୋ ଆନ୍ଦୋଳନ ବିଷୟରେ ଅନେକ ଲୋକ ଜାଣନ୍ତି। କିନ୍ତୁ, ଏହାର ଶହ ଶହ ବର୍ଷ ପୂର୍ବରୁ, ରାଜସ୍ଥାନରେ ମଧ୍ୟ ଏକ ଚିପକୋ ଆନ୍ଦୋଳନ ହୋଇଥିଲା, ଯାହାର ଇତିହାସ ବହୁତ ସ୍ପର୍ଶକାତର। ଏଥିରେ ପରିବେଶ ରକ୍ଷା ପ୍ରତି ସଚେତନ ଅମୃତା ଦେବୀ ବିଶ୍ନୋଇଙ୍କ ସମେତ ୩୬୩ ଜଣ ଲୋକ ନିଜ ଜୀବନ ବଳିଦାନ ଦେଇଥିଲେ।ସରକାରଙ୍କର ମୁଣ୍ଡ ନୁଆଁଇ ଦେଇଥିଲେ।ବିଶ୍ନୋଇ ସମ୍ପ୍ରଦାୟର ପ୍ରତିଷ୍ଠାତା ଥିଲେ ଗୁରୁ ଜମ୍ଭେଶ୍ୱର (ଜମ୍ଭୋଜୀ), ଯିଏ ୧୫ ଶତାବ୍ଦୀରେ ପ୍ରକୃତି ସୁରକ୍ଷାକୁ ଧର୍ମୀୟ କର୍ତ୍ତବ୍ୟ ଭାବରେ ସ୍ଥାପନ କରିଥିଲେ। ତାଙ୍କ ୨୯ ଟି ନିୟମ (ବିଶ୍-ନୋଇ)ରେ ସ୍ପଷ୍ଟ କରାଯାଇଥିଲା। ବିଶ୍ନୋଇ ସମ୍ପ୍ରଦାୟରେ ପ୍ରକୃତି ହେଉଛି ପରମେଶ୍ୱରଙ୍କ ପ୍ରତିରୂପ। ସେଠାରେ ପଶୁ, ପକ୍ଷୀ, ଗଛ, ମାଟି, ଜଳ ସବୁକୁ ପବିତ୍ର ମାନାଯାଏ। “ଗଛ କାଟିବା ପାପ, ପଶୁକୁ ହତ୍ୟା କରିବା ପାପ, ପ୍ରକୃତିକୁ ବିନାଶ କରିବା ମାନେ ମାନବତାକୁ...

ଟିକି ଟିକି ଫୁଲ ଆମେ✓

(ଟିକି ଟିକି ଫୁଲ ଆମେ) ଟିକି ଟିକି ଫୁଲ ଆମେ ଭାରତ ମାତାର ଖିଲି ଖିଲି ହସୁଥାଉ ନ ଥାଏ ଯେ ଡର ।। ଆମ ବାସ ଖେଳିଯାଏ ମୁଲକରୁ ମୁଲକ ଭାରତର ଅଟୁ ଆମେ ସୁକୋମଳ ପ୍ରତୀକ ।। ଟିକି ଟିକି ମନ ଆମ ଦିଅ ନାହିଁ ଦଳିରେ ସ୍ବର୍ଣ୍ଣ ଦେଶ ଗଢିଦେବୁ ତୋଳି ନିଅ ସ୍ନେହରେ।। ଟିକି ଟିକି ଶିଶୁ ଆମେ ଭାରତର ମଣି ଦୂର କରିବୁ ଅନ୍ଧାର ଆଲୋକକୁ କିଣି।। ଆମେ ଅଟୁ ଭବିଷ୍ୟତ ହୀରା ମୋତି ମାଣିକ ରଖିବୁ ଦେଶର ଟେକ ହୋଇ ଆମେ ନିର୍ଭୀକ ।। ଦେଶ ଜନନୀର ଲୁହ ପୋଛି ଦେବୁ ଆମେରେ ମାଆର ସୁରକ୍ଷା ଭାର ନେବୁ ଆମ କାନ୍ଧରେ ।। ଦରିଆ ବୁକୁରୁ ଆମେ ଖୋଜି ଦେବୁ ମୁକୁତା ସ୍ନେହ,ପ୍ରେମ, ଭକ୍ତି ଢାଳି ଦେବୁ ଶାନ୍ତି ବାର୍ତ୍ତା।। ଜ୍ଞାନର ଆଲୋକ ବାଣ୍ଟି ଯିବୁ ସତ୍ୟ ପଥରେ ଚିକିମିକି ଚମକିବୁ ଭାଇଚାରା ଡୋରରେ।। ରଙ୍ଗ ରଙ୍ଗୀନ ଫୁଲ ପରି ଗୁଣ ବିକଶିବ ଦିଗନ୍ତ ବିସ୍ତାରି ଆମ ନାମ ମହକିବ।। ଆମ ହାତେ ଦିଅ ଯେତେ ନୂଆ ରଙ୍ଗ ତୁଳିକା  ଆଙ୍କି ଦେବୁ ନବ ଛବି କେତେ ଭଳି ଭଳିକା ।। ସମୃଦ୍ଧ କରିବୁ ଭାଷା ବିଶ୍ୱେ ଯିବ ଚହଟି ହେଳା ନ କର ଆମକୁ ନିଅ କୋଳେ ସାଉଁଟି।। ଭାରତ ମାତାର ଅଟୁ ଗେହ୍ଲା ପୁଅ ଝିଅ କଳା, ସଂସ୍କୃତି ଐତିହ୍ୟ ରଖିବୁ ବଜାୟ।। ଅସୁମାରୀ ସ୍ବପ୍ନ ନେଇ ଦେଶକୁ ଗଢ଼ିବୁ ସୁସ୍ଥ, ଶାନ୍ତ ପରିବେଶ ଉଦ୍ଭବ କରିବୁ।। ଗାନ୍ଧୀ,ଚାଚା, ଶାସ୍ତ୍ରୀ,ପରି ମନୋଭାବ ନେଇ ଶୃଙ୍ଖଳ ବିଶ୍ବ ଗଢିବୁ ପ୍ରୀତି ରଙ୍ଗ ଦେଇ।। ମିଳିମିଶି ପ୍ରକୃତିର ରକ୍ଷା ଯେ କର...