କାଶତଣ୍ଡୀ ଆଜି ହାଉଲେ ହାଉଲେ
ଗାଉଛି ଖୁସିର ଗୀତ
କୁନୁ ମୁନୁ ଚୁନୁ ସଭିଏଁ ଆସଗୋ
ବସିବା ତା ସଙ୍ଗେ ମିତ।
ନଈ ପଠାପରେ ମନ୍ଦ ସମୀରେ
ଝୁଲି ଝୁଲି ଖେଳେ ଦୋଳି,
କ୍ଷଣିକ ଜୀବନେ ସାଉଁଟେ ସେ ଖୁସି
ହସୁଥାଏ ଖିଲି ଖିଲି।
ଅପନ୍ତରା ଯାଗା ଜନମ ତାହାର
ରୁହେ ସିକ୍ତ ମନ ଧରି,
ବଗିଚାରେ କା' ଶୋଭା ପାଏ ନାହିଁ
ମନ କିନ୍ତୁ ନୁହେଁ ଭାରି।
ନଈପଠା ତାର ଅତି ଆପଣାର
କାଦୁଅ ରେ ଶୋଭା ପାଏ,
ତଥାପି ତା ମନେ ନ ଥାଏ ଯେ ଦୁଃଖ
ଖୁସିରେ ଦୋହଲୁ ଥାଏ।
ନା ଅଛି ମହକ,ନା ଅଛି ଚମକ
ଭ୍ରମର ର ନୁହେଁ ପ୍ରୀୟ,
ଦେବ କାର୍ଯ୍ୟ ରେ ବି ଲାଗେ ନାହିଁ ସେତ
ତଥାପି ବାଣ୍ଟଇ ସ୍ନେହ।
ଗୁଣୁ ଗୁଣୁ ଗାଇ କରଇ ସ୍ବାଗତ
ଦେବୀ ଦୁର୍ଗା ଧରା ପରେ,
ତା ସରଳ ପଣେ ହୋଇ ବଶିଭୂତ
ଆସିଯାନ୍ତି ମା' ଅଚିରେ
ତୁମ ସବୁ ଶିଶୁ ହୋଇ ନିଷ୍କପଟ
ସତ୍କର୍ମ କର ଏ ଜୀବନେ,
ଦେବ ଆଶୀର୍ବାଦ ରହିବ ନିଶ୍ଚିତ
ଶାନ୍ତି ଭରିଯିବ ମନେ।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment