*ଜୀବନ ଦର୍ଶନ*
ଯୋଉଠି ମୃତ୍ୟୁ ର ଇତି
ସେଇଠୁ ଆରମ୍ଭ ହିଁ ଜୀବନ,
ତାର ଦାର୍ଶନିକ ତତ୍ତ୍ଵ କିଏବା ରଚିପାରେ..??
ଜୀବର ଜୀବନ ଦର୍ଶନ ଭିନ୍ନ କଳ୍ପନାର ଭିନ୍ନ ଭିନ୍ନ ସ୍ବାଦ,
ସମାଜ ର ଛନ୍ଦମୟୀ ରାଗିଣୀ କୁ ଯିଏ ରଙ୍ଗୀନ ତୁଳୀରେ ସଜେଇ ଇନ୍ଦ୍ରଧନୁ ଆଙ୍କି ପାରେ
ଯିଏ ଭାବ,ପ୍ରେମ, ବିଶ୍ବାସର ବୀଜ ରୋପି
ମୁଦ୍ରା ର ଦୁଇ ପାର୍ଶ୍ୱ ପରି ସୁଖ, ଦୁଃଖ ର ଅଡ଼ୁଆ ତଡୁଆ ବୁଢିଆଣୀ ଜାଲ ଛନ୍ଦ କୁ ସହଜରେ ବୁଝିପାରେ,
ସାର୍ଥକ ତା ଜୀବନ।
ଆଶା,ଆଙ୍କାକ୍ଷା ର ନଟେଇରୁ ସୂତା କାଟି ଶାନ୍ତି, ମୈତ୍ରୀ, ନ୍ୟାୟ, ଧର୍ମ ର ଡୋର ଯୋଡିପାରେ,
ଯିଏ ସ୍ନିଗ୍ଧ,ସୁମଧୁର ମହକରେ ବିଭୋର ହୋଇ
ସ୍ନେହ,ମମତାର ସମ୍ପର୍କରେ କଳାଦାଗ ନ ଲାଗିବାର ଅହରହ ଚେଷ୍ଟା କରିପାରେ,
ସାର୍ଥକ ତା ଜୀବନ।
ହସ ଲୁହ ର ଭିଜା ଭିଜା ବାସ୍ନା ରେ ଭିଜି
ଉଠାଣି ଗଡାଣି ଅଙ୍କାବଙ୍କା ରାସ୍ତା ଦେଇ ମଧୁ ମହକରେ ଅତଳ ସମୁଦ୍ରରୁ ମୋତି ଖୋଜିପାରେ,
ସୌଜନ୍ୟତାର ସରହଦରେ ରହି ମାନବିକତାର ଶ୍ରେଷ୍ଠ ପରିଚୟ ଦେଇପାରେ,
ସାର୍ଥକ ତା ଜୀବନ।
କର୍ତ୍ତବ୍ୟ କର୍ମରେ ସାଧନା ରତ ହୋଇ
ପଙ୍କିଳ ପୃଷ୍ଠରେ ରେ ପଦ୍ମ ଫୁଟାଇ ପାରେ,
ପ୍ରତିଷ୍ଠା,ପ୍ରତିପତ୍ତି ଆଢ଼ୁଆଳରେ ଗର୍ବ ନ କରି ସ୍ଥିତପ୍ରଜ୍ଞ ହୋଇ ଜ୍ୟୋତି ର ଉତ୍ସ ହୋଇ ଅନ୍ଧକାର ଦୂର କରି ପାରେ
ସାର୍ଥକ ତା ଜୀବନ ।
ମୌଳିକତା ଅକ୍ଷୁର୍ଣ୍ଣ ରଖି ଧୃତରାଷ୍ଟ୍ର ପରି ଅନ୍ଧ ପୁଟୁଳି ନ ବାନ୍ଧି ଅହିଂସା ର ଅସ୍ତ୍ର ଧରି ଯୁଗପତ ଆଗକୁ ବଢିପାରେ,
ଶିଆଳ ପରି ସଁ ସଁ ହୋଇ ଜହ୍ନ ପଛରେ ନ ଧାଇଁ
ଯୋଗ୍ୟ ସନ୍ତାନର ଭୂମିକା ନିଭେଇ ପାରେ,
ସାର୍ଥକ ତା ଜୀବନ।
ଜୀବନ ଟା ତ ଏକ ମହାର୍ଘ,
ଏକ ମହତ ଅଭିଯାନ
ସୁଖ, ଦୁଃଖ ,ସ୍ମୃତି ସାଉଁଟି
କବିତା ଲେଖିବାର ବେଳ,
ସୁଖ, ସୌନ୍ଦର୍ଯ୍ୟ ପ୍ରକୃତିର ରସ ଚିପୁଡି ମୁଗ୍ଧ ବାତାବରଣରେ ଜୀବନ ବୁଝିବାର କଳା ସହ ସନ୍ଧି କରି ସ୍ବସ୍ଥ,ନିରାମୟ ସମାଜ ଗଢିପାରେ
ସାର୍ଥକ ତା ଜୀବନ।
ଚାରୋଟି କାଠର ଭାରରେ ଜୀବନର ଦାମ୍ଭିକତା ମୃତ୍ୟୁ ର ସତ୍ୟ,ଶିବ, ସୁନ୍ଦରତାରେ ବଳି ପଡ଼ିଯାଏ,
ଆତ୍ମା, ପରମାତ୍ମା ଓ ସ୍ରଷ୍ଟା, ସୃଷ୍ଟି ର ହୁଏ ଅପୂର୍ବ ମିଳନ,
ସେଇ ମିଳନାନ୍ତକ ବେଳାରେ
ନିଃଶ୍ବାସ,ପ୍ରଶ୍ବାସର ରହସ୍ୟ ବୁଝି ପଳାତକ ନ ସାଜି ଯିଏ ମାନବ ଜୀବନ ର କର୍ତ୍ତବ୍ୟ କରିପାରେ
ସାର୍ଥକ ତା ଜୀବନ।
*ମିନାକ୍ଷୀ ଦ୍ବିବେଦୀ*
*ନିଉ ଦିଲ୍ଲୀ*
*୭୯୭୮୦୮୨୮୩୪*
Comments
Post a Comment