*ବସନ୍ତର ଆଗମନେ*
ସୌନ୍ଦର୍ଯ୍ୟ ମଣ୍ଡିତ ଚର୍ଚ୍ଚିତ ପ୍ରାଙ୍ଗଣେ
ବସନ୍ତ ର ଆଗମନେ,
ମଧୁ ଗନ୍ଧ ମୃଦୁ ଅଙ୍ଗେ ଅନୁଭବେ
ସ୍ନିଗ୍ଧ,ଶୀତଳତା ମନେ।
ମଳୟ ଝୁମଇ ମନ୍ଦ ମନ୍ଦ ସୁରେ
ମଧୁପ ବଜାଏ ବଂଶୀ,
ଚଉଦିଗ ଆଜି ଆହ୍ଲାଦ ଆମୋଦ
ଜୋଛନା ପଡ଼ିଛି ଖସି।
ବିଳାସୀ ବସନ୍ତ ଖୋଲିଛି ପସରା
ହର୍ଷ ଭରା ମାଦକତା,
ଗଗନେ ପବନେ ଧରଣୀ ଟେକିଛି
ଚାରୁ ଚନ୍ଦ୍ରିକା ଛତା।
କାମନା ଘାଟରେ ବସିଅଛି ହାଟ
ପିଇ ଯୌବନର ସୁରା,
ରଙ୍ଗ ବିରଙ୍ଗ କୁସୁମର ଶେଯେ
ରତି,କାମେ ମଗ୍ନ ଧରା।
ବର୍ଷାର ତାଣ୍ଡବ, ଗ୍ରୀଷ୍ମର ପ୍ରକୋପ
ଶୀତର ଶିଶିର ଭାଳେ,
ବସନ୍ତ ରାଜର ଯାଦୁଗରୀ ସ୍ପର୍ଶେ
ମଧୁର ମୂର୍ଚ୍ଛନା ତୋଳେ।
ତରୁ ଗୁଳ୍ମ ଲତା ପାଦପ ଲତିକା
ବୃକ୍ଷ ବଲ୍ଲରୀ କୁ ଧରି,
ନବ କିଶଳୟ ଝଲସି ଉଠୁଛି
ମୁକୁତା ଯାଇଛି ଭରି।
ଶ୍ୟାମଳୀ ସୁନ୍ଦରୀ ହାତଠାରି ଡାକେ
ନେବ ଚନ୍ଦ୍ରଭାନୁ ଦେଶ,
ମୁଗ୍ଧ ନୟନେ ପ୍ରେମର ଉଚ୍ଛ୍ୱାସେ
ସାଜି ଅଛି ବଧୁବେଶ।
ଆମ୍ର କୁଞ୍ଜବନେ ମୃଦୁ ମୃଦୁ ଭାସେ
କୋଇଲି ର କୁହୁତାନ,
ବାସ୍ନାୟିତ ମନ ପ୍ରେମ ଚଇତାଳି
ଖେଳେ ଦେହେ ଶିହରଣ।
ହଳଦୀ ବସନ୍ତ ଲେଖୁଛି ସାୟରୀ
ପ୍ରୀୟା ବାସନ୍ତୀର ମନେ,
ପ୍ରୀତି ମନ୍ତ୍ର ଗାଇ ନାଚଇ ଝରଣା
କନ୍ଦର୍ପ ର ପୁଷ୍ପ ବନେ।
ବୟସ ବାସନ୍ତୀ ଆଲିଙ୍ଗନ କରେ
ଜହ୍ନ ପାଲିଙ୍କିରେ ଆସି,
ଭରା ଯୌବନେ କୃଷ୍ଣଚୂଡ଼ା ଫୁଲ
ମୁଣ୍ଡରେ ଦିଏ ତା ଖୋସି।
ବଧୁଲୀ ଫୁଲର ଖିଲି ଖିଲି ହସେ
ମାଦକତା ଭରେ ମହୀ,
ଫଗୁଣ ଫୁଆରେ ଫଗୁ ରଙ୍ଗ ବୋଳେ
ବସନ୍ତେ ବାସନ୍ତୀ ହୋଇ।
ମିନାକ୍ଷୀ ଦ୍ବିବେଦୀ
ନିଉ ଦିଲ୍ଲୀ
୭୯୭୮୦୮୨୮୩୪
Comments
Post a Comment