*ଆସିଛି ବସନ୍ତ*
ନବ ଦୁର୍ବାଦଳେ ବସନ୍ତ ଆସିଛି
ଚିତ୍ରପଟ ପାଲିଙ୍କିରେ,
ଧରଣୀ ସୁନ୍ଦରୀ ସଜେଇ ହୋଇଛି
ନିତ୍ୟ ସବୁଜ ମେଖଳାରେ।
ମଳୟ ଝୁମୁଛି ମନ୍ଦ ମନ୍ଦ ସୁରେ
ଭ୍ରମର ବଜାଏ ବଂଶୀ,
କୋଇଲି ଗାଉଛି ନବାକ୍ଷରୀ ଛାନ୍ଦ
ପ୍ରଜାପତି ହୁଏ ଖୁସି।
ବିଳାସୀ ବସନ୍ତ ଖୋଲିଛି ପସରା
ସା,ରେ,ଗା,ମା,ପା,ଧା ଗାଇ,
କୃଷ୍ଣ ଚୁଡ଼ା ଫୁଲ ମୁକୁଳାଇ କେଶ
ପ୍ରିୟା ମନ ନିଏ ମୋହି।
କାମନା ଘାଟରେ ହାଟ ବସିଅଛି
ପିଇ ଯୌବନର ସୁରା,
ରଙ୍ଗ ବିରଙ୍ଗ କୁସୁମର ଶେଯେ
ରତି ,କାମେ ମଗ୍ନ ଧରା।
ବର୍ଷାର ତାଣ୍ଡବ, ଗ୍ରୀଷ୍ମର ପ୍ରକୋପ
ଶୀତର ଶିଶିର ଭାଳେ,
ବସନ୍ତ ରାଜର ଯାଦୁଗରୀ ସ୍ପର୍ଶେ
ମୟୂର ମୂର୍ଚ୍ଛନା ତୋଳେ।
ତରୁ ଗୁଳ୍ମ ଲତା ପାଦପ ଲତିକା
ବୃକ୍ଷ ବଲ୍ଲରୀ କୁ ଧରି,
ନବ କିଶଳୟ ଝଲସି ଉଠୁଛି
ମୁକୁତା ଯାଇଛି ଭରି।
ଶ୍ୟାମଳୀ ସୁନ୍ଦରୀ ହାତଠାରି ଡାକେ
ନେବ ଚନ୍ଦ୍ରଭାନୁ ଦେଶେ,
ମୁଗ୍ଧ ନୟନେ ପ୍ରେମର ଉଚ୍ଛ୍ୱାସେ
ପଳାଶ ଫୁଲେଇ ହସେ।
ବୟସ ବସନ୍ତ ଆଲିଙ୍ଗନ କରେ
ପ୍ରୀତି ମନ୍ତ୍ର ଗାଇ ଗାଇ,
ବଧୁଲୀ ଫୁଲର ଖିଲି ଖିଲି ହସେ
ପୁଲକିତ ହୁଏ ମହୀ।
Comments
Post a Comment