*ଆଉ ଯେବେ ଆସ ବନ୍ଧୁ*
ଆଉ ଯେବେ ଆସ ମୃତ୍ୟୁ
ସୂର୍ଯ୍ୟ ର ସୁନେଲୀ କିରଣ ରେ
କି ଜହ୍ନର ରୂପେଲି ପରଦାରେ ଆସିବନି
ଏବେ ତ ମୁଣ୍ଡ ଟେକିଛି,ନିଦ ଭାଙ୍ଗିଛି,
ବଞ୍ଚିବାର ଚେଷ୍ଟା ରେ ନିଜକୁ ପରଖୁଛି,
ଶଦ୍ଦଙ୍କ ମେଳରେ ସାରା ଦୁନିଆ ଦେଖୁଛି,
ଖରାବେଳେ ମୋର ସମୟ ନାହିଁ
ପୁଅ ପରା ସ୍କୁଲ ଯାଇଛି,
ଦି ମୁଠା ଚାଉଳ ଫୁଟଉଛି ପୁଅ ପାଇଁ,
ଦ୍ଵିତୀୟା ଜହ୍ନ ଟା ଧୀରେ ଧୀରେ ନିର୍ମଳ ଦିଶିଲାଣି ନୁଆଁଣିଆ ଚାଳ ଫାଟକରେ,
ତୁମେ ଆସନା ଏବେ
ସନ୍ଧ୍ୟା ଗଡ଼ି ଯାଉଛି,
ଗାଈଟା ଦେଖୁନ ହମ୍ବାଳୀ ଛାଡିଲାଣି ଲୁଣ,ପେଜ ପାଇଁ,
ବଉଳ ଗଛଟା ମୁହଁ ଶୁଖେଇଛି
ଜାଣିଛ ବନ୍ଧୁ ଗ୍ରୀଷ୍ମ ଟା ଆଉ ମାପି ଚୁପି ଆସୁନି,
ଭାରି ବେଇମାନ , ନିର୍ଲଜିଆ ସେ
ଅସହ୍ୟ ବୈଶାଖୀ ରାତିଟା ଭାରି ଉଦ୍ଦଣ୍ଡୀ
ତା ମୁଖା ପିନ୍ଧା ପ୍ରେମ ଜାଲ ରେ ଛନ୍ଦି
ହୃଦୟକୁ ପୋଡ଼ି ଦେବ ତୁମର
ହଁ ବରଷାରେ ଭିଜି ଭିଜି ଆସିବନି
ଭାରି ନଖରାମି ତାର,
ତା ମାର୍ମିକତାରେ
ଓଦା କରିଦେବ ସାରା ଅସ୍ତିତ୍ବ
ମୋନାଲିସା ହସ ପରି ରହସ୍ୟ ମୟ ହସ ତାର
କାଗଜ ଡଙ୍ଗା କରି ଭସେଇନେବ କଳା ଗୁମର ପାଣିରେ,
ଜାଣିଛ ବନ୍ଧୁ ଶୀତର ଶିଶିର
ମର୍ଯ୍ୟାଦା ଲଂଘିଲାଣି,
ରେଶମୀ ପୋଷାକ ପିନ୍ଧେଇ
ତାର ଗୁପ୍ତ ଆଲିଙ୍ଗନ ରେ
ଜଡ କରିଦେବ,
ତା ସମ୍ଭୋଗରେ ତୁମେ ବଳି ପଡିଯିବ,
ଚିରି ଦେବ ତୁମ ନାଡି, ଅନ୍ତନାଡି
ହଁ ଆଉ ଯେବେ ଆସ ବନ୍ଧୁ
ବସନ୍ତର ବେସୁରା ରାଗିଣୀ ରେ ନୁହେଁ
ଆଜି ସେ ଭାରି ଆନମନା,
ତା ଲାଜରେ ଆଖି ରେ କିଣିନେବ ତୁମକୁ
ଯୌବନର ଦର୍ପଣ ଦେଖେଇ
ଚରିଯିବ ତୁମ ନିଃଶ୍ବାସ, ପ୍ରଶ୍ବାସରେ,
ତୁମ ଜୀବନର ନିରିହ ବାସନାକୁ ଗିଳି ଦେବ ନିମିଷକେ,
ଏବେ ବିଲକୁଲ ଆସନା ବନ୍ଧୁ
ଆଜି ମୁଁ ଅନ୍ୟମନସ୍କା
ମୋ ପିଠିରେ ଲାଉ ହେଇ କର୍ତ୍ତବ୍ୟ ଘୁରି ବୁଲୁଛି ଚଉଦିଗ,
ସାତତାଳ ପଙ୍କରୁ ପଦ୍ମ ଫୁଟେଇବାର ବେଳ ଏବେ ,
ଖୋଲା ଆଖିରେ ସ୍ବପ୍ନ ସାର୍ଥକ କରିବାର ଅଛି,
ଟିକିଏ ସ୍ଥିର ଧର
ତୁମର ମଧୁରତା ରେ ମୁଁ ବି ମଗ୍ନ,
କିନ୍ତୁ ଏବେ ତ ସମୟ ନାହିଁ
ସମୟ ଆସିଲେ ଗାଣିତିକ ସୁତ୍ରରେ ଧୀରେ ଧୀରେ ଆଉଜେଇ ନେବି ତୁମକୁ
ସେତେବେଳେ କେବଳ ତୁମେ ଥିବ ଆଉ ମୁଁ,
ଆଉ ଥିବ ଆମର ମିଳନାନ୍ତକ ପ୍ରତିଶୃତି।
Comments
Post a Comment