*ମୁକସାକ୍ଷୀ*
ନିଶ୍ତବ୍ଦ ରାତ୍ରୀ
କେତେ ସୁନ୍ଦର ସଜେଇ ହେଇଛି,
ତା କୋଳରେ କେବେ ରୂପା ଜହ୍ନ ତ କେବେ ସୁନେଲି ପୁଣି କେବେ ନୀଳ ଜହ୍ନ,
ବଉଦର ଚୋରା ଚାହାଣି ରେ କିରି କିରି ହସୁଛି ରସିକିଆ ମଲାଜହ୍ନ,
ତାରା ଫୁଲର ମାଳରେ ପୂର୍ଣ୍ଣ ଗର୍ଭା ହୋଇ ଉଠିଛି ରଜନୀ,
ତଥାପି ଭାବାତୁର,ଶୋକାଭିଭୂତ
ଅହେତୁକ ଭୟ ମନରେ ଉଙ୍କି ମାରୁଛି,
ତା ଅସ୍ପଷ୍ଟ ଛାୟାରେ ଦେଖୁଛି ମାୟାବୀ ଦୁନିଆ,
ମହୁମାଛି ପାଟି ରେ ଫୁଲର ପରାଗ,
କେତେ ସ୍ନେହ,ଶାନ୍ତି ବିଛେଇ ଦେଇଛି ତା ଅନନ୍ତ ଶେଯ ରେ,
ତଥାପି ଶୁଭୁଚି ଆର୍ତ୍ତ ଚିତ୍କାର,
ଓଃ କେତେ ଦୁର୍ବିସହ,
ସତେ ଯେମିତି ବାହାରି ଆସୁଛି ଅନ୍ତବୁଜୁଳି,
ଅବଶ ଶରୀର,
ଭାରାକ୍ରାନ୍ତ ମନ ସୁଖ ବାଣ୍ଟିବା ସମ୍ଭାବନା ରେ ପାଇଛି ଅଭିଶାପ
ସବୁ କୂଟ,କପଟ,ମନ୍ତ୍ରଣା ଆଜି ତା'ରି କୋଳରେ,
ଦୁଃଖ,ସ୍ମୃତି ର ଯେତେ କଣ୍ଟା ବୁଦା ଅରମା ସବୁ ଧରାବନ୍ଧା ତା'ର ଦରମଲା ଚକ୍ଷୁ କୋଣରେ,
ଧିକ୍କାରୁଛି ନିଜକୁ,
ଦେଖୁଛି ଅରମା ଜଙ୍ଗଲ, ମିଛିମିଛିକା ପ୍ରେମ ସନ୍ଧି,
ସ୍ବପ୍ନ ର ତାରା ଫୁଲ ଆଜି ସ୍ତବ୍ଧ,
ଚାରିଆଡେ ନିଆଁ ର ବ୍ୟଭିଚାର
ଖେଳୁଛି ମନରେ ନିଝୁମ ଶୂନ୍ୟତା,
ଆତ୍ମା ଖୋଜି ବୁଲୁଛି ନ୍ୟାୟ
ଏଇ ଅନ୍ଧାରି ଜୀବର ଦି ଟୋପା ଲୁହ କ'ଣ ମୂଲ୍ୟହୀନ?
ଯୁଗ ଯୁଗର କ୍ଷୋଭ , କାନ୍ଦଣା ବିସ୍ଫୋରିତ ନୟନରେ କରୁଛି ଅଗ୍ନିବର୍ଷା,
ନା ସ୍ବର ଅଛି ନା ଶଦ୍ଦ
ଧୁମୀଳ ସମୟରୁ ପାଲଟିଛି ମୁକସାକ୍ଷୀ ବିଧାତା କୁ ଦ୍ୱାହି ଦେଇ।
Comments
Post a Comment