*ଛାତି ନୁହେଁ ସେତ ଆଶ୍ବସ୍ତି ର ସ୍ଥଳ*
ମୁଁ ଯେତେବେଳେ ଘୁରି ବୁଲୁ ଥିଲି ମୁକ୍ତ ବିହଙ୍ଗିଣୀ ପରି ନୀଳ ଆକାଶ ଛାତିରେ,
ବାଦଲ ର ଚୋରା ଚୋରା ଆଖି ରେ ଦେଖୁଥିଲି ସପନ,
ଯେତେବେଳେ ମେଘ ଖେଳୁଥିଲା ଲୁଚକାଳି ମୋ ସହ...
ବର୍ଷା ରେ ଭିଜି ଭିଜି ସଜଉ ଥିଲି ମୋ ମଧୁ ଚନ୍ଦ୍ରିକା,
ହଠାତ୍ ତୁମେ ଚିରି ଦେଲ ଛାତି,
ଚମକି ପଡ଼ିଲି ଦେଖି ମୋର ପ୍ରତିବିମ୍ବ ସେଇ ପ୍ରଶସ୍ତ ଛାତିରେ,
ସବୁ ଚପଳାମି କ୍ଷଣିକ ଭିତରେ ସ୍ତବ୍ଧ ହୋଇଗଲା
ଏ କ'ଣ..?
କିଏ ସେହି ବୀର..
କିଏ ସେହି ପ୍ରେମିକ..
ଯାହା ପାଇଁ ମୁଁ ସବୁ ବିକି ଦେଲି
ମୋର ସାଇତି ରଖିଥିବା ନିଜତ୍ବ,
ମୋର କୁମାରୀତ୍ବ
ଆକାଶରୁ ସବୁ ମେଘ ଯେମିତି ଓଲ୍ହେଇ ଆସିଲେ ଧୀରେ ଧୀରେ,
ଝୁଲିଲି ପ୍ରୀତି ପାଲିଙ୍କି ରେ ହାଉଲେ ହାଉଲେ,
ମନ ଟା ମହୁଲ ମହୁଲ ମହକିଲା
ମନେହେଲା ବାଡି ଆଡ ଆମ୍ବ ଗଛ ଲକ୍ଷେ ଫଗୁଣ ନେଇ ମୁରୁକି ହସୁଛି
ପ୍ରଗଳ୍ଭା,ଚଞ୍ଚଳ ମନ ଲାଜରେ ମୌନ ହୋଇ ଯାଇଛି,
ସେଇ ପ୍ରଶସ୍ତ ଛାତିର ଉଷ୍ମ ମାଦକତା ସତେ ଶଖି କଣ୍ଢେଇ ବନେଇ ଦେଇଛି।
ଇଏ କ'ଣ ପ୍ରେମର ସଂଜ୍ଞା..? ନିଶ୍ଚୟ...
ସବୁ ଋତୁ ସତେ ବସନ୍ତ ବସନ୍ତ ଲାଗୁଛି,
କ'ଣ ଯାଦୁ ଅଛି ସେଇ ସ୍ପନ୍ଦନ ରେ କେଜାଣି...
ଗୁମସୁମ ଟିକ୍ ଟିକ୍ ଶବ୍ଦବି ମୃଦୁ ମୂର୍ଚ୍ଛନା ତୋଳୁଛି
ସ୍ପନ୍ଦନ , ସ୍ପନ୍ଦନ ମିଶି କବିତା ବନି ଯାଇଛି...
ମୋ ସରଳ ନିଃଶ୍ୱାସ,ଅତୁଟ ବିଶ୍ବାସରେ ନିସର୍ତ୍ତ ଭଲ ପାଇବାର ପ୍ରୀତି ପାରିଜାତ ଉଦ୍ଭବ ହୋଇ ଯାଇଛି,
ଆଃ କେତେ ଶାନ୍ତି,କେତେ ଆଶ୍ବସ୍ତି,
କେତେ ମଧୁର ଏଇ ପ୍ରେମ ରଙ୍ଗ
ତାଙ୍କର ଉଷ୍ଣ ଆବେଗରେ ମୁଁ ନିଜକୁ ସ୍ବାହା କରି ଦେଇଛି,
ସେଇ ଛାତିର ଗହଳ ଶାଳବଣ ରେ ଛୋଟ କୁଟୀର ଟିଏ ବନେଇ ଦେଇଛି,
ହଜେଇ ଦେଇଛି ଚାବିକାଠି
ବନ୍ଦୀ କରି ଦେଇଛି ନିଜକୁ
ପୂର୍ଣ୍ଣତାର ପୂଣ୍ୟ ଭୂଇଁ ରେ।
Comments
Post a Comment