*ତଥାପି ଆଜି ମୁଁ ଜୀବନ୍ତ*
ଆଜି ମୁଁ ଥକି ଯାଇଛି,
ମୋ ଶୁଷ୍କ ମରୁଭୂମି ଶୋଷି ନେଇଛି ସମସ୍ତ ନୀରବ ଅଶ୍ରୁ
ପଥଶ୍ରାନ୍ତ ପଥିକ ମୁଁ
ଖୋଜୁଛି ଛାୟା ବୃଷ୍ଟି
ନିୟତିର ନିଷ୍ଠୁର ସଂଘାତରେ
ଲହୁଲୁହାଣ, ଭୂପତିତ
ଜୀଇଁବାର ପ୍ରତିଷ୍ପର୍ଦ୍ଧା
ଢାଳୁଛି ସଂଜୀବନୀ
ବଞ୍ଚିବାର ପ୍ରମାଣ ପତ୍ର ବାଣ୍ଟି ଚାଲିଛି,
ତଥାପି ନିର୍ଜୀବ,
ସମ୍ପର୍କରେ ଅଳନ୍ଧୁ ଲାଗିଯାଇଛି,
ଖାଲି ଟିକ୍ ଟିକ୍ ହେଲେ ହୃଦ କ'ଣ ମୁଁ ଜୀବନ୍ତ?
ଓଠ ତ ଚୁପ୍ , ନିରାଶ୍ରୟ,
ଜୀବନ୍ତ, ନିର୍ଜୀବ ର ପାର୍ଥକ୍ୟ ରହିଲା କୋଉଠି?
ହଁ ଏତିକି ଫରକ ଅବଶୋଷ ଜ୍ବାଳା ଓ ମାୟାବୀ ସମ୍ପର୍କ
ସେଇ ସମ୍ପର୍କର ନୀଳ ବିଷ ଭରି ଯାଇଛି ସମଗ୍ର ଧମନୀରେ
ଯାଦୁଗରୀ ଇନ୍ଦ୍ରଜାଲ ରେ ଭୁଲୁଣ୍ଠିତ ଅଣାୟତ୍ତ ମନ ଛଦ୍ମଯୁଦ୍ଧ ରେ ହାର ମାନି ନେଇଛି,
ତଥାପି ଆଜି ମୁଁ ଜୀବନ୍ତ।
Comments
Post a Comment