ଉଷୁନା ଧାନ ଗଜୁରିବାର ଆଶା ନେଇ
ମାଟି ତଳେ ଅହ ରହ ଅନେଇ ବସିଛି,
ରାତ୍ରୀ ର ପରଦାରେ ଆଶା ଗୁଡିକ ଏଣୁ ତେଣୁ ଗୁଣ ଗୁଣୁଉଛନ୍ତି,
ଜୀବନର ମୋହ ଦେଖଉଛି ମାର୍ଗ,
କବିତା ର ସମାପ୍ତି ଭୟରେ
ସାଉଁଟୁଛି ଅକ୍ଷର ସବୁ
ଶେଷରେ ନିଜକୁ ଆବିଷ୍କାର କରିଛି ଶବ୍ଦର ଗହଳି ଭିତରୁ
ଅଚିହ୍ନା ପରିଚୟ କୁ ଦେଇଛି ପ୍ରମାଣପତ୍ର,
ତଥାପି ଜୁଳୁଜୁଳିଆ ହୋଇ ଭାସି ଯାଇଛି କିଛି ଅତୀତ,
ଖୋଲି ଯାଇଛି ସ୍ମୃତି ର ଥାକବନ୍ଦୀ ପେଡି,
ଧୁଳିଆ ଡାଇରୀ କୁ ଝାଡୁ ଝାଡୁ ବୋହି ଯାଇଛି ମୁନ୍ଦାଏ ରକ୍ତ..
କ୍ଷତ ବିକ୍ଷତ ହୃଦୟରେ ଲାଗି ଯାଇଛି ଅଳନ୍ଧୁ,
ତଥାପି ମୁମୂର୍ଷୁ ସ୍ପନ୍ଦନ ରୁ
କଅଁଳି ଯାଇଛି ଦୁଇଟି ପତ୍ର,
ସୋରିଷ କ୍ଷେତ ହଳଦୀ ପାଟରେ ସଜେଇ ହୋଇ ଶୀତ ଆଉଁସୁଛି,
ଦୂର ନେପଥ୍ୟରୁ ସଙ୍ଗୀତ ମୂର୍ଚ୍ଛନା ଛାଇ ଆଲୁଅର ଛକାପଞ୍ଝା ରେ ହାଉଲେ ହାଉଲେ ସ୍ବର ତୋଳୁଛନ୍ତି
ମମତାର ପୀୟୂଷ ରେ ସଂଜୀବନୀ ମନ୍ତ୍ର ର ସ୍ପର୍ଶ,
ତାର ଅସ୍ପଷ୍ଟ ସ୍ବରରେ ଆତ୍ମହରା ହୋଇ ଯାଇଛି
ଅଣଚାଶ ପବନ ବହି ଯାଇଛି ଠିକ୍ ତା ଫେନିଳ ଧୂସର ବେଳାରେ
ପଞ୍ଚେନ୍ଦ୍ରୀୟ ,ମନ ବୁଦ୍ଧି ଲଗେଇ ଦେଇଛି
କବିତା ଶେଷ ହେବା ପୂର୍ବରୁ
କଳସୀ କଳସୀ ବହି ଯାଉଥିବା ତତଲା ଆବେଗରେ
ସଂଜ୍ଞା ଟିଏ ଦେଇ ଦେଇଛି
ଗୋପନରେ,ସବୁରି ଅଲକ୍ଷ୍ୟ ରେ
ଏବେ ଆଉ ଡର ନାହିଁ
ଛୁଇଁ ବାକୁ ଯାଉଛି ସେହି ଅମ୍ଳାନ ଜ୍ୟୋତି,
କରୁଛି ମୃତ୍ୟୁ ରୁ ଅମୃତର ଯାତ୍ରା,
ଛଦ୍ମବେଶୀ ଛଳନା,ମୁଖା ପିନ୍ଧା ପ୍ରତାରଣା
ଆଉ ଛୁଇଁ ପାରୁନି
ଦୃଶ୍ୟ ରୁ ଅଦୃଶ୍ୟ ହେବା କଳା ଶିଖି ନେଇଛି
କବିତା ସହ ଅନ୍ତରଙ୍ଗ ହେବା ପରେ,
ସେହି ନିରୋଳା ମୁହୂର୍ତ୍ତ ରେ...
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment