*ଛୋଟ ନୁହଁ ତୁମେ*
ପକ୍ଷୀ ଟିଏ ନୁହଁ ଆକାଶ ଯେ ତୁମେ
ବିଶାଳ ତୁମର କାୟା,
ଜଳଧାରା ନୁହଁ ସାଗର ଯେ ତୁମେ
ରତ୍ନ ଗର୍ଭା ତୁମ ରାହା।
ପଥର ଯେ ନୁହଁ ପର୍ବତ ତୁମେ
ସ୍ଥିର ଚିତ୍ତ ମନୋରଥ,
ଗଛଟିଏ ନୁହଁ ଜଙ୍ଗଲ ଯେ ତୁମେ
ସବୁଜ, ନିର୍ମଳ ପଥ।
ଫୁଲ ଟିଏ ନୁହଁ ପୁରା ଫୁଲବନ
କଅଁଳ ତୁମର ମନ,
କଣିକା ନୁହଁ ତୁମେ ମଧୁମଳୟ
ସୁଗନ୍ଧିତ ପ୍ରତିକ୍ଷଣ ।
ଜଳବିନ୍ଦୁ ନୁହଁ ତୁମେ ମେଘ ମହ୍ଲାର
ଶୀତଳ ଚନ୍ଦନ ସମ,
ଦୀପ ନୁହଁ ତୁମେ ଆଲୋକ ବର୍ତ୍ତୀକା
ପ୍ରଜ୍ଜ୍ବଳିତ କର ଧାମ।
ପଥିକ ଯେ ନୁହେଁ ତୁମେ ପାନ୍ଥଶାଳା
ଏ ଦେଶର ଭବିଷ୍ୟତ,
ସମର୍ପଣେ ହିତ ବୀରପୁତ୍ର ତୁମେ
ରଖିବ ନିଜର ସତ୍ତ୍ବ।
ସ୍ଵାର୍ଥପର ନୁହଁ ଆଦର୍ଶର ଶିଶୁ
ନିଷ୍ପାପ,ସରଳ ମନ,
ସୁଗୁଣ ସୌରଭେ ହେ ଅମୃତ ସନ୍ତାନ
ତୁମେ ଶ୍ରେଷ୍ଠ ବରଦାନ।
ବହି ନୁହଁ ତୁମେ ଜ୍ଞାନ ଗନ୍ତାଘର,
ବାଣ୍ଟ ସତ୍ୟ,ପ୍ରେମ,ଗୀତା ବାଣୀ,
ଛୋଟ ନୁହଁ ତୁମେ ଏ ଧରା ବୁକୁରେ
ତୁମେ ଅଟ ଶିରୋମଣି।
ମିନାକ୍ଷୀ ଦ୍ବିବେଦୀ
୭୯୭୮୦୮୨୮୩୪
Comments
Post a Comment