*"ପ୍ରକୃତି"...ଚାରୋଟି ସ୍କେଚ୍*
୧...
ମୋ ପିଲାବେଳେ ଦେଖିଥିଲି
ସବୁଜ କ୍ଷେତ,ବନ,ପାହାଡ଼
ପ୍ରକୃତିର ମନୋରମ ଛାଇ
ତା'ର ପ୍ରୀତି ରେଣୁରଙ୍ଗ,
ତା ରୂପ ମାଧୁରୀରୁ
ମୁଠାଏ ଇନ୍ଦ୍ରଧନୁ ଛିଟା
ଆଙ୍କି ହୋଇ ଯାଇଥିଲା
ମୋ ସାଧା କାନଭାସ୍ ରେ,
ପ୍ରତୀଚୀ ଗଗନେ ସନ୍ଧ୍ୟା ରାଣୀର ଗୋଲାପି ବାସରେ
ପ୍ରକୃତିର ଅପୂର୍ବ ମିଳନ
କୁଞ୍ଜ କୁଞ୍ଜ ନା ନା ବିଧ ପୁଷ୍ପର ସଂଭାର,କୈରବିଣୀ ରୂପ ବର୍ଣ୍ଣାଳୀ,
ସୁଲଭ ମନ କୁ କରୁଥିଲା ରସବନ୍ତ।
୨....
ଆଉଥରେ ପ୍ରକୃତି ସହ ଭେଟ ହେଇଥିଲା ମୋ କଲେଜର ହତା ଭିତରେ
ଯେତେବେଳେ ତୀବ୍ର ହେଲା ମନୁଷ୍ୟର ଗତି,
ପ୍ରକୃତିର ସବୁଜିମା ସମୃଦ୍ଧି ର ମୃଗତୃଷ୍ଣାରେ,ସମ୍ଭ୍ରାନ୍ତ ଙ୍କ ଦୂଷିତ ରକ୍ତରେ ପାଲଟିଗଲା ମରୁଭୂମି,
ଗେରୁଆ ମାଟିରେ ଲମ୍ବିଗଲା କଙ୍କ୍ରିଟ ରାସ୍ତା
ରସାୟନ ରେ ବନ୍ଧା, ପ୍ଲାଷ୍ଟିକ ରେ ଛନ୍ଦା ଅନ୍ଧା କାନୁନ କଲା ବାୟୁ ପ୍ରଦୂଷଣ,
ପଞ୍ଚଭୂତ ରେ ମିଶ୍ରଣ ହେଲା
ବିଷାକ୍ତ ଦୁର୍ଗନ୍ଧ,
ଜାନ୍ତ୍ରିକ ଦସ୍ୟୁ ମଦ ମାତ୍ସର୍ଯ୍ୟ ରେ ମସଗୁଲ ହୋଇ ଫାର୍ସା,ଟାଙ୍ଗିଆ ଧରି ତୁହାକୁ ତୁହା ଧର୍ଷୁଥିଲେ ପ୍ରକୃତି ମାଁ କୁ
ତା'ର ସାବଜାପତ୍ର ଶେଯରେ କଣ୍ଟକିତ ଚେତନାର ମହାସଂଗ୍ରାମ
ସମୟର ଅଙ୍ଗାର ସୁଅରେ ଦେଉଥିଲା ଅଗ୍ନି ପରୀକ୍ଷା
ଗଢ଼ିବାକୁ ନୂଆ ଏକ ପଲ୍ଲବିତ ପ୍ରକୃତି।
୩...
ଆଉଥରେ ଅଚାନକ୍ ଦେଖାହେଲା ପ୍ରକୃତି ସହ ୧୯୯୯ ମହାବାତ୍ୟା ପରେ..
ଯୌବନଗତା ପ୍ରକୃତି ଥିଲା ଶ୍ରୀହୀନା
ମାଳ ମାଳ ଶବ ଢେ଼ଉରେ
ଲଙ୍ଗଳା ଶିଶୁ ଦରାଣ୍ଡୁ ଥିଲା ମୃତ ମା'ର ସ୍ତନ ଯୁଗଳ,
ପାଗଳିନୀ ଯଶୋଦା
ଚାହିଁ ରହିଥିଲା ଲେଉଟାଣି ବାଟ,
ସାରା ରାତି ସାରା ଦିନ
ଶୂନ୍ୟତା ହିଁ ଶୂନ୍ୟତା
ଅଭିମାନୀ ମାଟିରେ ପ୍ରଗାଢ କ୍ଷୟ ଶୋକରେ,ଶଙ୍କା ରେ,ଭୟରେ ବଞ୍ଚିବାର ପାଉ ନଥିଲା ପ୍ରତିକାର,
କିଚି ମିଚିଆ କଳା ଦୁଃଖ
ଛୁଇଁ ଯାଉଥିଲା ପ୍ରକୃତି ର କାନ୍ଧକୁ ଧୀରେ ଧୀରେ,
ଅଦୃଶ୍ୟ ରହସ୍ୟ ର କୋହ
କାନ୍ଦର ନିରିହତାରେ ମୁହୂର୍ତ୍ତ ରୁ ମୁହୂର୍ତ୍ତ ହଜି ଯାଉଥିଲା
ସମୟ ର ତାଳେ ତାଳେ
୪...
ବାଟରେ ଯାଉ ଯାଉ ପୁଣିଥରେ ସାକ୍ଷାତ ହେଲା ପ୍ରକୃତି ସହ ଏହି କରୋନା କାଳରେ ଏକ ଅସହାୟ ରୂପରେ,
ଜଳୁଥିଲା ବିଷମ,ଅକ୍ଷମ,ହତାଶାର ବହ୍ନି
ବସନ୍ତର ନିରୋଳା ସ୍ବାକ୍ଷର ଲାଗୁଥିଲା ବେଇମାନ,
ଜୀବନ ମୃତ୍ୟୁ ର ଅନ୍ତହୀନ ନାମଯଜ୍ଞରେ
ସ୍ବାହା ହେଉଥିଲା ଦୃଢତା ....
ଶୂନ୍ୟତା ର ପ୍ରାଚୀର ନିର୍ମାଣ ଉହାଡରେ
ସ୍ବପ୍ନ ଫୁଲ ମାନ ଘୁଞ୍ଚି ଘୁଞ୍ଚି
ଯାଉଥିଲେ ଦୂରକୁ ଆହୁରି ଦୂରକୁ
ପ୍ରକୃତି ନିରବ ବିସ୍ମୟ ବେଓ୍ବାରିସ ହୋଇ
ଅଜଗର ଆଁ ରୁ ମୁକୁଳିବାର
ଅଭିପ୍ରାୟ କରୁଥିଲା
କ୍ଷମତାର ସ୍ବୈରତନ୍ତ୍ର ନିର୍ଜିବ, ନିର୍ବାକ,
ଦାନବର ନିଃଶ୍ବାସ ରେ ଅଗ୍ନିଦଗ୍ଧ ହେଉଥିଲା ପୃଥିବୀ,
ରଙ୍ଗୀନ ଖୋଳରେ ବତୁରା ଜୀବନ
ଅଭିଶପ୍ତ ସୁପ୍ତ କଳଙ୍କିର ଆସନ୍ନ ମୃତ୍ୟୁ ରେ
ଲହୁଲୁହାଣ ହୋଇ ଉଠିଥିଲା,
ହରେଇ ଦେଇଥିଲା ପ୍ରକୃତି ତାର
ଆତ୍ମସତ୍ତା ଚହଟ,ସୁବାସ ଆଉ ଉଲ୍ଲାସ।
Comments
Post a Comment