*ମୁଁ....କଟକ*
ଛାତି ଫୁଲେଇ ବାଟ ଚାଲୁ ଚାଲୁ
ଜଣେ ବାଟୋଇ ପଚାରିଲେ
କିଏ ତୁମେ ବନ୍ଧୁ...?
କ'ଣ ତୁମ ପରିଚୟ?
ମୁଁ ଗର୍ବରେ କହିଲି
ମୁଁ.... ମୁଁ ହଉଛି
ଧବଳ ଟଗର , କଟକ ନଗର
ମୁଁ ସେଇ ହଜାର ବର୍ଷ ର ପୁରୁଣା ସହର।
ହଁ... ମୁଁ ଟିକେ ଅଧିକ ପରିଚିତ...
ଚକ୍ ମକ୍ ଏଲ ଇ ଡି ଲାଇଟିରେ
ଭାସି ଆସୁଥିବା ମାଇକ ପଛରେ
ବାରମାସେ ତେର ପର୍ବ ଓ ଭସାଣୀ ର
ଆନନ୍ଦ ଆନ୍ଦୋଳନ ର ସ୍ପନ୍ଦନଶୀଳ ସହର,
ପ୍ରାକ୍ ଐତିହାସିକ ବାରବାଟୀ ଦୂର୍ଗ
ଦର୍ଶାଏ କଳିଙ୍ଗ ବୀରତ୍ବ,
ସକାଳ ପବନ ରେ,ଜିକି ଜିକି ଡିବିରି
ଆଲୁଅରେ ପ୍ରସ୍ଥ ପ୍ରସ୍ଥ ଖୋଲିଯାଏ
ଭାଇଚାରା ର ସଂପର୍କ,
ମୁଁ ସେଇ କଟକ..।
ରେଳ ଇଞ୍ଜିନର ଲମ୍ବିଥିବା କାନ୍ଧରେ
ସୁ.. ସୁ.. କରି ବାହାରି ଆସେ ହୃଦୟର
ଯେତେ ସତ୍ୟ--ସ୍ବାଭିମାନ ଭାବନା,
ତାରକସୀ ର ଯାଦୁଗରୀ ସ୍ପର୍ଶ
ମିଠା ମିଠା ମୋହର ସାନ୍ତ୍ଵନା ରେ
ଭୂମି ରୁ ଭୂମା ଆଭୂଷିତ ମୋ ଦିବ୍ୟସ୍ଥଳ,
ମୁଁ ସେଇ ଆଦିମାତା,ଜନ୍ମଦାତ୍ରୀ,ରକ୍ଷାକର୍ତ୍ତ୍ରୀ
ମୋ ଆତ୍ମାର ମମତାର ଦିହୁଡିରେ ସୃଷ୍ଟି
ଅନେକ ବୀର ପୁଙ୍ଗବ
କଳା-କଲ୍ଲୋଳିନୀ ,ଉଚ୍ଚ ନ୍ୟାୟାଳୟ,
ବିଶ୍ବ ବିଦ୍ୟାଳୟ,ବଡ଼ ମେଡ଼ିକାଲ
ସଞ୍ଜୁଆ ସଞ୍ଜୁଆ ଶୀତଳ ପବନରେ,
ଦିବାର ଦହଗଞ୍ଜ ତାତିରେ
ମମତାର ସମତା ଭରି
ଭଲ ପାଆନ୍ତି ମୋ ନିର୍ଲିପ୍ତ ମାଟିକୁ,
ଭ୍ରାନ୍ତ ଅସତ୍ୟରୁ ଚେନାଏ ହସ ଝରି
ମୁକ୍ତି ପାଏ ସ୍ବପ୍ନିଳ ସକାଳ,
ସ୍ବଚ୍ଛ ପରିବେଶ ଥଣ୍ଡା ଥଣ୍ଡା ନଈ କୂଳିଆ ପବନରୁ ଭାସି ଆସେ
ଚଟପଟା ଖାଦ୍ୟ,ଦହିବରା ଆଳୁ ଦମ
ଅନେକ..ସ୍ବାଦିଷ୍ଟ ବ୍ୟଞ୍ଜନର ମହକ,
ମୁଁ ସେଇ କଟକ....।
ମହାନଦୀ, କାଠଯୋଡୀ
ଆଖି ରୁ ନିଦ ଧୋଇ
ହାତ ବଢାନ୍ତି ବର୍ଷା କୁ,
ତାଙ୍କ କାଉଁରୀ ସ୍ପର୍ଶରେ ଖସି ପଡନ୍ତି
ଚିକି ମିକି ତାରା ଫୁଲ ସବୁ,
ଜ୍ୟୋସ୍ନା ର ଲାଜକୁଳୀ ଚାହାଁଣୀ
ଷଡ ଋତୁର ରମ୍ୟ ସମ୍ଭାର ରେ
ନୃତ୍ୟ କରନ୍ତି ବେଢାରେ,
ପବନର ହାନ୍ଦୋଳରେ
ଝୁଲୁଥାଏ କାଶତଣ୍ଡୀ ଫୁଲ,
ମୋ ସତୀତ୍ୱ ଆତ୍ମାର
ଅନାଘ୍ରାତ ନୈବେଦ୍ୟ
ନେତ୍ର ମୁଜି ନିତ୍ୟ ସମର୍ପିତା
କଟକ ଚଣ୍ଡୀ ଚରଣରେ,
ଦୈବୀ କୃପାର ଅଦୃଶ୍ୟ
ଆଶୀର୍ବାଦ ରେ
ଉର୍ଦ୍ଧ୍ଵ ବାହୁ ଟେକି ଧରେଇ ଦିଏ
ଜୀବନର ବର୍ଣ୍ଣବୋଧ,
ବ୍ୟବସାୟ ପେଣ୍ଠ ସ୍ଥଳ,
ବେତାର କେନ୍ଦ୍ର ଖ୍ୟାତ ଏ ମୂଲକ
ମୁଁ ସେଇ କଟକ...।।
ମୁଁ ହଜିଲା ସ୍ବରର ମୁକସାକ୍ଷୀ...
ସ୍ମୃତି ର ନୌବାଣିଜ୍ୟ ବାରମ୍ବାର
ଉତ୍ତେଇ ଆସେ ଏ ଦେହ ଭିତରକୁ,
ବାଲିଯାତ୍ରା ର ଲଟକ ଛଟକରେ
ବାଟ କଢ଼େଇ ନିଏ ମୋ
ନ୍ୟାୟ ସଙ୍ଗତ ପ୍ରବୃତ୍ତି,
ମୁଁ କଳିଙ୍ଗର ପ୍ରାଚୀନ ରାଜଧାନୀ
ଆକାଶର ରଙ୍ଗୀନ୍ ରଙ୍ଗରେ
ସଦା ଚଳଚଞ୍ଚଳ,
ବାଉନ ବଜାର ତେପନ ଗଳି
ବିମୁଗ୍ଧ ପ୍ରେମିକ ପରି
ଅନ୍ତହୀନ ଇତିହାସ ଭିଣେ
ବୁଣେ ସ୍ୱର୍ଗୀୟ ଆନନ୍ଦ,
ମୋ ଅପରୂପ ନିଖୁଣ ପ୍ରତିମା
ସମୟର ଗଦା ଗଦା ପାହାଞ୍ଚରେ
ଏଇ ନାଲି ମାଟିର
ନାଲି ମନ୍ଦିରର ଆତ୍ମା ଭିତରେ
ଦିଏ ଶ୍ରେଷ୍ଠତାର ପରିଚୟ,
ପରମ୍ପରା ର ମୁଠାଏ ପବନରେ
ଶହ ଶହ ପ୍ରଜାପତି ଆଖି
ଅସତ୍ୟ ର ଧୂଳି ଝାଡି
ଅଜ୍ଞାନ ଅହଂକାର ଦୂର କରି
ଅଖଣ୍ଡ ଅମୃତଧାରା ରେ ବିମଣ୍ଡିତ
ନୂଆ ଜୀବନର ସୃଜନ କ୍ରିୟା ରେ
ନବ ପ୍ରଜନ୍ମ ଆଉଜେଇ ଆସନ୍ତି
ଧୀରେ ଧୀରେ ମୋ କୋଳକୁ..
ଶିଖି ନିଅନ୍ତି ଜୀଇଁ ବାର ରଣ କୌଶଳ
ଆତ୍ମ ଉନ୍ମୀଳନ ସୁତ୍ର ର ସଂପର୍କ
ହଁ .... ମୁଁ ସେଇ କଟକ।।
Comments
Post a Comment